🔹🔹🔹🔹🔹🔹🔹
ଗୁରୁ ତୁମେ ଚିର ଗରୀୟାନ
କଞ୍ଚା ମାଟିରେ ଗଢ଼ି ପାର ଦିଅଁ
ଦୁନିଆଁରେ ତାକୁ ଗୌରବ ଦିଅ
ସମ୍ଭାବନାକୁ ସମ୍ଭବ କରାଅ
ଜ୍ଞାନ ଦାତା ତୁମେ ଭଗବାନ ।।
ଶିକ୍ଷା ସହିତ ସଂସ୍କାର ଦିଅ
ଶୃଙ୍ଖଳା ସଂଯମ ନିଷ୍ଠା ଶିଖାଅ
ମାନବିକତାର ମନ୍ତ୍ର ପଢାଅ
ଜ୍ଞାନ ତେଜେ ବିନାଶ ଅଜ୍ଞାନ ।।
ଗୁରୁ ପରମ୍ପରା ଦେଶରୁ ଆମର
ମ୍ଯାକଲେ ପଦ୍ଧତି କରିଲା ସଂହାର
ନୈତିକତା ହେଲା ଶିକ୍ଷାରୁ ଅନ୍ତର
ଗୁରୁ ତୁମ ହୁଏ ଅପମାନ ।।
ଲଘୁର ବିଲୋମ ଅଟନ୍ତି ଯେ ଗୁରୁ
ଗରୀୟାନ ପଥଦ୍ରଷ୍ଟା କଳ୍ପତରୁ
ସମ୍ମାନୁ ବଞ୍ଚିତ ହୁଅନ୍ତି ସଂସାରୁ
ନୁହନ୍ତି ମାନବେ ସଚେତନ ।।
ବ୍ରତଧାରୀ ଗୁରୁ ହେଲେ ବୃତ୍ତିଧାରୀ
ରାଜନୀତି ଦେଲା ଶିକ୍ଷକ କରି
ସଂବିଧାନ ନେଲା ସ୍ବାଧୀନତା ହରି
ଗୁରୁଙ୍କ ଗୁରୁତ୍ବ ହୁଏ ହୀନ ।।
ଯେ ଦେଶେ ଗୁରୁଙ୍କୁ ନମିଳେ ସମ୍ମାନ
ମୂଢ଼ ହୁଅନ୍ତି ସେ ଦେଶର ସନ୍ତାନ
ଶିକ୍ଷା ବିନା ରାଷ୍ଟ୍ର ଲଭଇ ପତନ
ନେତାଙ୍କର ହେଲେ ମତିଭ୍ରମ ।।
ଗୁରୁ ପରମ୍ପରା ଘଟିଛି ବିଲୟ
ଚରିତ୍ରହୀନଙ୍କୁ ଦିଅନ୍ତି ପ୍ରଶ୍ରୟ
ଅଯୋଗ୍ୟ ନୁହନ୍ତୁ ଗୁରୁ ପଦବାଚ୍ଯ
ରହିବ ଗୁରୁଙ୍କ ସନମାନ।।
ଗୁରୁ ନୁହନ୍ତି ଯେ ସାଧାରଣ ନର
ବେଦ ଭଣେ ସେ ଯେ ସାକ୍ଷାତ ଈଶ୍ୱର
ବାଣୀ ତାଙ୍କ ଗଢ଼େ ଜୀବନ ଛାତ୍ରର
ନାଗରିକ ହୁଏ ସେ ଉତ୍ତମ ।।
ରାଧାକୃଷ୍ଣନ୍ ରାଷ୍ଟ୍ରଗୁରୁ ଭାରତର
ଥିଲେ ସେ ଅସୀମ ଜ୍ଞାନର ଭଣ୍ଡାର
ଦ୍ଵିତୀୟ ରାଷ୍ଟ୍ରପତି ସେ ଆମର
ଅଟନ୍ତି ସେ ଗୁରୁ ମହୀୟାନ ।।
ଗୁରୁ ଦିବସଟି ତାଙ୍କ ଜନ୍ମ ତିଥି
ସମର୍ପିଲେ ଦେଶେ ସେହି ମହାମତି
ତାଙ୍କ ଆଦର୍ଶରେ ଗୁରୁ ହେଲେ ବ୍ରତୀ
ଉତ୍ତୁଙ୍ଗ ହୋଇବ ଶିକ୍ଷା ମାନ ।।
ନେତା ଯଦି କରେ ଦେଶରେ ଅନୀତି
ଶିକ୍ଷା ଶିକ୍ଷକର ଘଟିଲେ ଦୁର୍ଗତି
କେମିତି ବା ହେବ ଦେଶର ପ୍ରଗତି
ଶିକ୍ଷକ ହୋଇଲେ ଦୀନହୀନ ।।
ଗୁରୁ ପଣ ହେଉ ଶିକ୍ଷାର ଉତ୍ଥାନ
ନେତା ପଣ ହେଉ ଗୁରୁଙ୍କ ଉତ୍ଥାନ
ଛାତ୍ର ପଣ ହେଉ ସୁଶିକ୍ଷା ସାଧନ
ହେବ ଆମ ଦେଶ ସୁମହାନ ।।
🔹🔹🔹🔹🔹🔹🔹
ଶ୍ରୀ ଶଶିଭୂଷଣ ପଟ୍ଟନାୟକ
ଅବସରପ୍ରାପ୍ତ ଶିକ୍ଷକ
ପାରଳାଖେମୁଣ୍ଡି
ଗଜପତି