କଷ୍ଟରେ କଷ୍ଟି ଡାକୁଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର : ରୋଗୀ ହନ୍ତସନ୍ତ

45

  • ଡାକ୍ତର ଅଭାବରୁ କ୍ବାକ୍‌ ଭରସାରେ ରୋଗୀ;
  • ୧.୭୦ କୋଟିର ସ୍ବାସ୍ଥ୍ୟକେନ୍ଦ୍ର, ମିଳୁନି ନିୟମିତ ଚିକିତ୍ସା ସେବା,


ଓଡ଼ଗାଁ, ୪।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଗଡ଼ଜାତ ଆନ୍ଦୋଳନର ଅନ୍ୟତମ ସାରଥୀ ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ ନାମିତ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ନୂଆଗାଁ ବ୍ଲକର ବାହାଡ଼ାଝୋଲା କଷ୍ଟି ଡାକୁଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏବେ ଡାକ୍ତର ଅଭାବରେ ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛି। ପ୍ରାୟ ୧ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଢାଞ୍ଚାରେ ନୂତନ କୋଠା ନିର୍ମାଣ ହୋଇଥିଲେ ମଧ୍ୟ ନିୟମିତ ଡାକ୍ତର ନଥିବାରୁ ରୋଗୀମାନଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଇ ପାରୁନାହିଁ।
ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳର ପ୍ରାୟ ୫ରୁ ୬ଟି ପଞ୍ଚାୟତର ଲୋକେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରଶୀଳ। ଏମାନଙ୍କ ମଧ୍ୟରେ ବହୁ ସଂଖ୍ୟକ ଅନୁସୂଚିତ ଜାତି ଓ ଜନଜାତିର ଲୋକ ରହିଛନ୍ତି। ଅଞ୍ଚଳରେ ଏବେବି କୁସଂସ୍କାର ଓ ଅନ୍ଧବିଶ୍ବାସର ପ୍ରଭାବ ରହିଥିବାରୁ ଅନେକ ରୋଗୀ ପ୍ରଥମେ ଝଡ଼ାଫୁଙ୍କା, ଗୁଣିଗାରେଡ଼ି ଭଳି ପ୍ରଥାର ଆଶ୍ରୟ ନିଅନ୍ତି । ରୋଗ ଜଟିଳ ହେବା ପରେ ଡାକ୍ତରଖାନାକୁ ଆସୁଥିବାରୁ ସେମାନଙ୍କ ପାଇଁ ସୁଲଭ ଓ ତୁରନ୍ତ ଚିକିତ୍ସା ବ୍ୟବସ୍ଥା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ବର୍ତ୍ତମାନ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଆୟୁଷ ଡାକ୍ତର ନିୟମିତ ରୋଗୀ ଦେଖୁଥିବା ବେଳେ ଜଣେ ଏମ୍‌ବିବିଏସ୍‌ ଡାକ୍ତର ସପ୍ତାହକୁ ମାତ୍ର ୩ ଦିନ ଆସୁଥିବା ଜଣାପଡ଼ିଛି। ମୂଳ କାର୍ଯ୍ୟସ୍ଥଳରେ ଦାୟିତ୍ୱ କିମ୍ବା ଛୁଟି କାରଣରୁ ସେ ଅନୁପସ୍ଥିତ ରହିଲେ ରୋଗୀମାନଙ୍କୁ ମହୀପୁର, ଓଡ଼ଗାଁ କିମ୍ବା ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପଡ଼ୁଛି। ଆର୍ଥିକ ଅସୁବିଧା ଥିବା ଅନେକ ରୋଗୀ ବାଧ୍ୟ ହୋଇ ଚିକିତ୍ସା ନକରାଇ ଘରକୁ ଫେରୁଥିବା ଅଭିଯୋଗ ରହିଛି। ସ୍ଥାନୀୟ ଲୋକଙ୍କ ମତରେ, କେବଳ ନୂତନ କୋଠା ନିର୍ମାଣ କଲେ ହେବ ନାହିଁ । ଏଠାରେ ନିୟମିତ ଡାକ୍ତର, ଆବଶ୍ୟକ ମାନବସମ୍ବଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇବା ଆବଶ୍ୟକ। ଏଥିସହ ଆଦିବାସୀ ଅଞ୍ଚଳରେ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ବଢ଼ାଇ ଲୋକଙ୍କ ମନରୁ କୁସଂସ୍କାର ଦୂର କରିବା ସହ ଡାକ୍ତର ଓ ଡାକ୍ତରଖାନା ପ୍ରତି ବିଶ୍ବାସ ସୃଷ୍ଟି କରିବାକୁ ସରକାର ଓ ବେସରକାରୀ ସଂସ୍ଥା ଆଗେଇ ଆସିବା ଆବଶ୍ୟକ।
ସୂଚନାଯୋଗ୍ୟ, ୨୯ ମେ ୨୦୨୩ରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ତତ୍କାଳୀନ ସାଂସଦଙ୍କ ଦ୍ବାରା ଏହି ସ୍ବାସ୍ଥ୍ୟକେନ୍ଦ୍ରର ନୂତନ କୋଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। କୋଠା ନିର୍ମାଣ ସତ୍ତ୍ବେ ଡାକ୍ତର ଓ ଅନ୍ୟାନ୍ୟ ସୁବିଧାର ଅଭାବ ରହିଥିବାରୁ ଏହାର ସୁଫଳ ଲୋକଙ୍କୁ କେତେଦୂର ମିଳୁଛି, ତାହା ନେଇ ପ୍ରଶ୍ନ ଉଠିଛି। ହେଲେ ରାଜନୈତିକ ଭିନ୍ନତା କାରଣରୁ ସ୍ବାସ୍ଥ୍ୟସେବା ପ୍ରଭାବିତ ହେଲେ । ତାହାର ପରିଣାମ ହିଁ ସାଧାରଣ ଜନତାଙ୍କୁ ଭୋଗ କରିବାକୁ ପଡିବ ଏନେଇ ଦୃଷ୍ଟି ଦେବାକୁ ଦାବି ହେଉଛି ।

Leave A Reply

Your email address will not be published.