🔹🔹🔹🔹🔹🔹🔹
ହେ କୃଷ୍ଣ ବାସୁଦେବ ଦେବକୀ ନନ୍ଦନ
ଗୋପାଳ ଗୋପୀ ବଲ୍ଲଭ ଯଶୋଦା ଜୀବନ
ରାଧାମାଧବ ମୋହନ ମୁକୁନ୍ଦ ମୁରାରି
କଂସାରୀ କେଶବ ଗିରି ଗୋବର୍ଦ୍ଧନ ଧାରୀ
ପବିତ୍ର ଏ ଜନ୍ମାଷ୍ଟମୀ ତବ ଜନ୍ମତିଥି
ଆସ ପ୍ରଭୁ ଅବତରି
ନାଶିବାକୁ ଧରାରୁ ଅରାତି ।।
ଅସୁମାରୀ କଂସାସୁର ମଦମତ୍ତ
କ୍ଷମତାର ଅସୀମ ଶକ୍ତିରେ
ନାରୀର ସମ୍ମାନ ହୁଏ ଭୂଲୁଣ୍ଠିତା
ଦେବକୀ ବା ଦ୍ରୌପଦୀ ରୂପରେ
ଆସୁରିକ ପାଶବ ପ୍ରବୃତ୍ତି
ବ୍ଯାପିଅଛି ସାରା ବିଶ୍ବେ
ଅଧର୍ମର ଚାଲିଛି ରାଜୁତି ।।
କୁରୁକ୍ଷେତ୍ରେ ମହାଭାରତରେ
କହିଥିଲ ଗୀତା ତୁମେ ପାର୍ଥ ସମ୍ମୁଖରେ
ଧର୍ମ ସଂସ୍ଥାପନା ପାଇଁ
ଯୁଗେ ଯୁଗେ ଆସ ଅବତରି
ପୁଣ୍ୟଭୂମି ଭାରତବର୍ଷରେ ।।
ଭାଦ୍ର କୃଷ୍ଣ ଅଷ୍ଟମୀର ମହା କାଳରାତ୍ରି
ତବ ଆଗମନେ
କଂସର ନିବିଡ଼ କାରା ଶୂନଶାନ
ରକ୍ଷୀଗଣ ନିଦ୍ରା ଅଚେତନେ
ମାତୃସ୍ତନ କରିନାହଁ ପାନ
ବର୍ଷଣମୁଖର ରାତ୍ରେ
ନନ୍ଦରାଣୀ ପାଶେ ପ୍ରଭୁ କରିଲ ପ୍ରସ୍ଥାନ
ବାସୁକୀ ସାଜିଲା ଛତ୍ର
ଯମୁନା ଛାଡ଼ିଲା ପଥ
ଯଶୋମତୀ ସୁତ ରୂପେ
ରହିଲ ଗୋକୁଳେ
ନାନା ଲୀଳା ବିରଚିଲ ଏହି ଭୂମଣ୍ଡଳେ ।।
ଆସିଅଛି ଆଜି ପୁଣି ସେହି ପୁଣ୍ୟ ତିଥି
ଧରା ପୃଷ୍ଠେ କଂସାସୁରେ ଉଠିଲେଣି ମାତି
ଆସ ତୁମେ ଅସଂଖ୍ୟ ରୂପରେ
ନାଶିବାକୁ କଂସଯୂଥ ଏହି ଅବନୀରେ ।।
🔹🔹🔹🔹🔹🔹🔹
ଶ୍ରୀ ଶଶିଭୂଷଣ ପଟ୍ଟନାୟକ
ଅବସରପ୍ରାପ୍ତ ଶିକ୍ଷକ
ପାରଳାଖେମୁଣ୍ଡି
ଗଜପତି