ପ୍ରଥମରୁ ଅଷ୍ଟମ ଶ୍ରେଣୀ ପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗ
- ୩ ମାସରୁ ଊଦ୍ଧ୍ୱର୍ ସମୟ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ
- ତ୍ରୁଟି ସଂଶୋଧନ କରି ସରକାରଙ୍କ ଦ୍ୱାରା ପ୍ରକାଶିତ ପିଡିଏଫରେ ମଧ୍ୟ ଅନେକ ତ୍ରୁଟି ରହିଛି
- ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ବିଫଳତାର ନୈତିକ ଦାୟିତ୍ୱ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦିଅନ୍ତୁ
ଭୁବନେଶ୍ୱର, ୦୪/୦୯/୨୦୨୬: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ଗତ ଜୁନ୍ ମାସରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହେବା ପରେ ରାଜ୍ୟବ୍ୟାପୀ ଉଦ୍ବେଗ ପ୍ରକାଶ ପାଇଥିଲା । ଏହି ଘଟଣାକୁ ୩ ମାସରୁ ଊଦ୍ଧ୍ୱର୍ ସମୟ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ତ୍ରୁଟିଶୂନ୍ୟ ବହି ପାଇପାରି ନାହାନ୍ତି, ଯାହାକୁ ନେଇ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ପ୍ରଥମ ସମେଟିଭ ପରୀକ୍ଷା ନିକଟତର ହୋଇଥିବା ବେଳେ ଛାତ୍ରଛାତ୍ରୀ ମାନେ ତ୍ରୁଟିଶୂନ୍ୟ ପୁସ୍ତକ ପାଇପାରି ନାହାନ୍ତି, ଯାହା ଅଭିଭାବକ ମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି ବୋଲି ବିଜେଡି କହିଛି ।
ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ଶ୍ରୀ ମିହିର ରାୟ କହିଛନ୍ତି, ରାଜ୍ୟର ସରକାରୀ ସ୍କୁଲରେ ପ୍ରଚଳିତ ହେଉଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହେବା ପରେ, ଦେଶବ୍ୟାପୀ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା, ଯେଉଁଥିପାଇଁ ଓଡିଶା ସର୍ବଭାରତୀୟ ସ୍ତରରେ ନିନ୍ଦିତ ହୋଇଥିଲା । ତୁରନ୍ତ ଏହି ତ୍ରୁଟି ଗୁଡିକୁ ସୁଧାରି ନୂତନ ପୁସ୍ତକ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରିବା ପାଇଁ ଅଭିଭାବକ ଓ ବୁଦ୍ଧିଜୀବୀ ମହଲରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ହୋଇଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ପୁସ୍ତକରେ ଥିବା ବ୍ୟାପକ ତ୍ରୁଟିକୁ ଏକ ଷଡଯନ୍ତ୍ର ବୋଲି ଅଭିହିତ କରିବା ସହିତ ନୂତନ ତ୍ରୁଟିଶୂନ୍ୟ ପୁସ୍ତକ ବିତରଣ କରାଯିବ ବୋଲି କହିଥିଲେ । କିନ୍ତୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନୂତନ ପୁସ୍ତକ ପ୍ରଦାନ କରାଯିବ ନାହିଁ ଓ ଶିକ୍ଷକ ମାନେ ବହିରେ ଥିବା ତ୍ରୁଟିକୁ ସୁଧାରି ପିଲା ମାନଙ୍କୁ ପଢ଼ାଇବେ ବୋଲି କହିଥିଲେ, ଯାହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା ।
ଶ୍ରୀ ରାୟ କହିଛନ୍ତି, ଗତ ଅଗଷ୍ଟ ମାସରେ ବହିରେ ଥିବା ତ୍ରୁଟିକୁ ସଂଶୋଧନ କରି, ରାଜ୍ୟ ସରକାର ଏକ ପିଡିଏଫ ପ୍ରକାଶ କରି ଜନସାଧାରଣ ଏହାକୁ ତର୍ଜମା କରିବା ପାଇଁ ଆହ୍ୱାନ କରିଥିଲେ । ଏହି ପିଡିଏଫରେ ମଧ୍ୟ ଅନେକ ତ୍ରୁଟି ପରିଲକ୍ଷିତ ହୋଇଛି, ଯାହା ରାଜ୍ୟ ସରକାରଙ୍କର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କ ପାଖରେ ତ୍ରୁଟିଶୂନ୍ୟ ବହି ହସ୍ତଗତ ହୋଇନଥିବା ବେଳେ ସେମାନଙ୍କ ପ୍ରଥମ ସମେଟିଭ ପରକ୍ଷାକୁ ଆଉ ମାସଟିଏ ବି ନାହିଁ ।
ଶ୍ରୀ ରାୟ ଆହୁରି କହିଛନ୍ତି, ଦୁଃଖ ଓ ପରିତାପର ବିଷୟ ଯେ, ରାଜ୍ୟ ସରକାର ଛାତ୍ରଛାତ୍ରୀ ମାନଙ୍କୁ ନା ତ୍ରୁଟିଶୂନ୍ୟ ପୁସ୍ତକ ଯୋଗାଇଦେବାରେ ସକ୍ଷମ ହେଉଛନ୍ତି ନା ଏହି ପ୍ରସଙ୍ଗରେ ସ୍ପଷ୍ଟତା ଆଣୁଛନ୍ତି । ପୁସ୍ତକ ଗୁଡିକରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହେବାର ୩ ମାସରୁ ଊଦ୍ଧ୍ୱର୍ ସମୟ ବିତି ଯାଇଥିଲେ ସୁଦ୍ଧା ସମସ୍ୟା ଯେଉଁଠାରେ ଥିଲା ସେହିଠାରେ ରହିଛି । ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ମନ୍ତବ୍ୟରେ କିଛି ତାଳମେଳ ରହୁନାହିଁ । ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ସରକାର ଲୁଚକାଳି ଖେଳ ଖେଳୁଛନ୍ତି । ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ବିଫଳ ହୋଇଥିବାରୁ, ଏହି ବିଫଳତାର ନୈତିକ ଦାୟିତ୍ୱ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦିଅନ୍ତୁ ଓ ରାଜ୍ୟ ସରକାର ତୁରନ୍ତ ତ୍ରୁଟିଶୂନ୍ୟ ପୁସ୍ତକ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରନ୍ତୁ ।