ବଲାଙ୍ଗୀର/ନିରୋଜ ମିଶ୍ର: : ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (IOA) ସମେତ ସ୍ୱୀକୃତିପ୍ରାପ୍ତ ଜାତୀୟ କ୍ରୀଡ଼ା ମହାସଂଘ (NSF)ଗୁଡ଼ିକରେ ପଦାଧିକାରୀଙ୍କ କାର୍ଯ୍ୟକାଳ ଓ ବୟସ ସୀମାକୁ ନେଇ ପ୍ରସ୍ତାବିତ ନିୟମ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ନିୟମ ଅନୁଯାୟୀ, କୌଣସି ସ୍ୱୀକୃତିପ୍ରାପ୍ତ NSFର ସଭାପତି ସର୍ବାଧିକ ୧୨ ବର୍ଷ ପର୍ଯ୍ୟନ୍ତ, ଅର୍ଥାତ୍ ତିନିଟି କ୍ରମାଗତ ଚାରିବର୍ଷିଆ କାର୍ଯ୍ୟକାଳ ପର୍ଯ୍ୟନ୍ତ ପଦରେ ରହିପାରିବେ। ଅନ୍ୟପଟେ ସଚିବ/ସାଧାରଣ ସମ୍ପାଦକ ଏବଂ କୋଷାଧ୍ୟକ୍ଷ ସର୍ବାଧିକ ଦୁଇଟି କ୍ରମାଗତ ଚାରିବର୍ଷିଆ କାର୍ଯ୍ୟକାଳ କରିପାରିବେ। ଏହା ପରେ ପୁନର୍ବାର ନିର୍ବାଚନ ଲଢ଼ିବା ପାଇଁ ଅତି କମ୍ରେ ୪ ବର୍ଷର କୁଲିଂ-ଅଫ୍ ପିରିୟଡ୍ ରହିବ।
ସେହିପରି ସଭାପତି, ସଚିବ ଓ କୋଷାଧ୍ୟକ୍ଷ ପଦରେ ଥିବା ବ୍ୟକ୍ତି ୭୦ ବର୍ଷ ବୟସ ପୂରଣ କରିବା ପରେ ସେହି ପଦରେ ରହିପାରିବେ ନାହିଁ। IOA ବ୍ୟତୀତ କୌଣସି NSFର ପଦାଧିକାରୀ ଏକ ସମୟରେ ଅନ୍ୟ ଏକ NSFର ପଦାଧିକାରୀ ମଧ୍ୟ ହୋଇପାରିବେ ନାହିଁ।
ଏହି ନିୟମ ଯଦି କଡ଼ାକଡ଼ି ଭାବେ ଲାଗୁ ହୁଏ, ତେବେ ଦୀର୍ଘଦିନ ଧରି କ୍ରୀଡ଼ା ସଂଗଠନର ପଦବୀ ଧରି ରଖିଥିବା ଅନେକ ପଦାଧିକାରୀଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇପାରେ। ବିଶେଷକରି କ୍ରିକେଟ୍ ସଂଗଠନଗୁଡ଼ିକରେ ମଧ୍ୟ ଏହାର ପ୍ରଭାବକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ବଲାଙ୍ଗୀରରେ ମଧ୍ୟ ଏହି ନିୟମକୁ ନେଇ ଚର୍ଚ୍ଚା ଜୋର ଧରିଛି। କ୍ରୀଡ଼ା ସଂଗଠନର ପଦବୀ କେବଳ କିଛି ଲୋକ କିମ୍ବା ଗୋଟିଏ ପରିବାର ମଧ୍ୟରେ ସୀମିତ ରହିବା ଉଚିତ୍ କି, ନା ନୂଆ ନେତୃତ୍ୱକୁ ସୁଯୋଗ ମିଳିବା ଉଚିତ୍—ଏହି ପ୍ରଶ୍ନ ଏବେ ଉଠୁଛି।
ପଦବୀ କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ; କ୍ରୀଡ଼ାର ବିକାଶ ଓ ନୂଆ ନେତୃତ୍ୱକୁ ସୁଯୋଗ ଦେବା ହିଁ ମୁଖ୍ୟ ଉଦ୍ଦେଶ୍ୟ ହେବା ଉଚିତ୍। ଦୀର୍ଘଦିନ ଧରି ଗୋଟିଏ ପଦବୀରେ ରହିବାର ପ୍ରଥାକୁ ରୋକି ନୂଆ ପିଢ଼ିକୁ ସୁଯୋଗ ଦେବା ଦିଗରେ ଏଭଳି ନିୟମ ଏକ ବଡ଼ ପଦକ୍ଷେପ ହୋଇପାରେ। ତେଣୁ ବଲାଙ୍ଗୀରର କ୍ରୀଡ଼ା ମହଲରେ ଏହି ନିୟମକୁ ନେଇ ଆଲୋଚନା ଏବେ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି।