ଚାନ୍ଦା ଅର୍ଥର ସମ୍ପୂର୍ଣ୍ଣ ହିସାବ ସାର୍ବଜନୀନ ଓ ନିରପେକ୍ଷ ତଦନ୍ତ ଦାବି
ଝାରସୁଗୁଡା, : ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ନାମରେ ସଂଗୃହୀତ ଚାନ୍ଦାରେ କଥିତ ଅନିୟମିତତା ଓ ଅର୍ଥର ଦୁରୁପଯୋଗ ଅଭିଯୋଗକୁ ନେଇ ଝାରସୁଗୁଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଗୁରୁବାର ମହାତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ପ୍ରାଙ୍ଗଣରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଜିଲ୍ଲା କଂଗ୍ରେସ ସଭାପତି ଜୀବନ ସାର୍ଥକଙ୍କ ନେତୃତ୍ୱରେ ବହୁ ସଂଖ୍ୟକ କଂଗ୍ରେସ କର୍ମୀ ଏକତ୍ରିତ ହୋଇ ରାମ ମନ୍ଦିର ନାମରେ ସାଧାରଣ ଲୋକଙ୍କଠାରୁ ସଂଗୃହୀତ ଚାନ୍ଦାର ସମ୍ପୂର୍ଣ୍ଣ ହିସାବ ସାର୍ବଜନୀନ କରିବା ସହ ଏହାର ସ୍ୱଚ୍ଛତା ଓ ଜବାବଦେହିତା ସୁନିଶ୍ଚିତ କରିବାକୁ ଦାବି କରିଥିଲେ।
ପ୍ରତିବାଦକାରୀମାନଙ୍କ କହିବାନୁସାରେ, ଧାର୍ମିକ ଭାବନାକୁ ଆଧାର କରି ସଂଗୃହୀତ ଜନସାଧାରଣଙ୍କ ଅର୍ଥରେ କୌଣସି ପ୍ରକାରର ଅନିୟମିତତା କିମ୍ବା ଦୁରୁପଯୋଗ ଗ୍ରହଣୀୟ ନୁହେଁ। ଏହି ଅଭିଯୋଗର ନିରପେକ୍ଷ ତଦନ୍ତ କରାଯିବା ସହ ଯଦି କୌଣସି ଆର୍ଥିକ ଅନିୟମିତତା ପ୍ରମାଣିତ ହୁଏ, ତେବେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେମାନେ ଦାବି କରିଥିଲେ।
କଂଗ୍ରେସ ନେତାମାନେ କହିଥିଲେ ଯେ, ରାମ ମନ୍ଦିର ପ୍ରତି ଦେଶବାସୀଙ୍କ ଗଭୀର ଆସ୍ଥା ଓ ଭାବନା ରହିଛି। ତେଣୁ ଏହି ଭାବନା ସହ ଜଡିତ ଚାନ୍ଦା ଅର୍ଥର ପରିଚାଳନାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା, ଜବାବଦେହିତା ଓ ଆର୍ଥିକ ପାରଦର୍ଶିତା ବଜାୟ ରଖିବା ଆବଶ୍ୟକ।
ଏହି ବିକ୍ଷୋଭରେ ଜିଲ୍ଲା ସଭାପତି ଜୀବନ ସାର୍ଥକଙ୍କ ସହ ଅମିତା ବିଶ୍ୱାଳ, ପୂର୍ବତନ ସଭାପତି ଭରତ ଅବସ୍ତି, ପ୍ରଶାନ୍ତ ତ୍ରିପାଠୀ, ୱାରିଶ ଚାଚା, ଅଲେଖ କୁମାର, ରିୟାଜ ହୁସେନ, ସଲିମ ଖାନ, ଶୈଳେଶ ଅବସ୍ତି, ସୁଖଦେବ ବାଗ, ସଞ୍ଜୟ ମହାପାତ୍ର, ଦେବାନନ୍ଦନ ବାରିକ, ସଞ୍ଜୟ ପଲ, ଅଜୟ ପଣ୍ଡା, ପଙ୍କଜ ବେନାର୍ଜୀଙ୍କ ସମେତ କଂଗ୍ରେସର ବହୁ ନେତା ଓ ବିଭିନ୍ନ ଶାଖାର କର୍ମୀମାନେ ଉପସ୍ଥିତ ଥିଲେ।