କାହା ଜମି, କାହା ଅଧିକାର—ଓସିଏକୁ ଗଲା କେମିତି? ଡେପୁଟି ସିଏମ୍ଙ୍କ ମନ୍ତବ୍ୟ ପରେ ବଲାଙ୍ଗୀରରେ ତେଜିଲା ଜମି ବିବାଦ
ବଲାଙ୍ଗୀର/ ନିରୋଜ ମିଶ୍ର: ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଖେଳପଡ଼ିଆକୁ ନେଇ ଏବେ ବଲାଙ୍ଗୀରରେ ଚର୍ଚ୍ଚା ତୀବ୍ର ହୋଇଛି। ଖେଳପଡ଼ିଆ କାହାର? ଜମିର ମାଲିକାନା କାହା ନାମରେ? ଏହା ଯଦି ବିଶ୍ୱବିଦ୍ୟାଳୟର ଜମି ଥିଲା, ତେବେ ବର୍ତ୍ତମାନ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ଅଧୀନକୁ ଗଲା କିପରି?—ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କଠାରୁ ବୁଦ୍ଧିଜୀବୀ ଓ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହ ଖେଳପଡ଼ିଆ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ପରେ ଏହି ପ୍ରସଙ୍ଗ ଆହୁରି ଚର୍ଚ୍ଚାକୁ ଆସିଛି। ତାଙ୍କ ମନ୍ତବ୍ୟରେ ଏହି ଖେଳପଡ଼ିଆ ପୂର୍ବରୁ ରହିଥିବା ଏବଂ ପରବର୍ତ୍ତୀ ସମୟରେ ଏହାକୁ ଗାନ୍ଧୀ ଷ୍ଟାଡିୟମ୍ ଭାବେ ନାମିତ କରାଯାଇଥିବା କଥା ସାମ୍ନାକୁ ଆସିଛି।
ବଲାଙ୍ଗୀରବାସୀଙ୍କ ପ୍ରଶ୍ନ—ଯଦି ଏହି ଜମି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସମ୍ପତ୍ତି ଥିଲା, ତେବେ ଏହାକୁ ଓସିଏକୁ କେଉଁ ଆଧାରରେ ଦିଆଗଲା? ବିଶ୍ୱବିଦ୍ୟାଳୟ ନିଜେ ଜମି ହସ୍ତାନ୍ତର କଲା କି? ନା ସରକାରୀ ସ୍ତରରେ ଅନ୍ୟ କୌଣସି ନିଷ୍ପତ୍ତି ହୋଇଥିଲା?
ଏହି ପ୍ରଶ୍ନର ଉତ୍ତର ଏବେ ସାର୍ବଜନୀନ ଭାବେ ସ୍ପଷ୍ଟ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି।
ରାଜେନ୍ଦ୍ର କଲେଜର ପୁରୁଣା ଦିନର ଜମିକୁ ନେଇ ପ୍ରାୟ ୨୦୦ ଏକର ଜମି ଥିବା ନେଇ ପୁରୁଣା ପିଢ଼ିର ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା ରହିଆସିଛି। ସେହି ଜମି ମଧ୍ୟରେ ବର୍ତ୍ତମାନର ଖେଳପଡ଼ିଆ ଅଞ୍ଚଳ ମଧ୍ୟ ଥିବା କୁହାଯାଉଛି।
ତେବେ ପ୍ରଶ୍ନ ହେଉଛି—ପୁରୁଣା ରେକର୍ଡରେ କ’ଣ ରହିଛି? ବର୍ତ୍ତମାନ ରେକର୍ଡରେ କ’ଣ ରହିଛି? ଜମିର ଖାତା ଓ ପ୍ଲଟ୍ ନମ୍ବର କାହା ନାମରେ? ଏହି ଦସ୍ତାବିଜଗୁଡ଼ିକ ସାମ୍ନାକୁ ଆସିଲେ ହୁଏତ ଅନେକ ପ୍ରଶ୍ନର ଉତ୍ତର ମିଳିପାରେ।
ବିଶ୍ୱବିଦ୍ୟାଳୟ ଓ ସରକାରଙ୍କ ମଧ୍ୟରେ ଏନେଇ କୌଣସି ବୁଝାମଣାପତ୍ର (MoU) ହୋଇଛି କି? ଯଦି ହୋଇଛି, ତେବେ ଏହାର ସର୍ତ୍ତ କ’ଣ? ଜମିର ମାଲିକାନା ପରିବର୍ତ୍ତନ ହୋଇଛି କି, ନା କେବଳ ବ୍ୟବହାର ଅଧିକାର ଦିଆଯାଇଛି? ଏହି ତଥ୍ୟ ସାର୍ବଜନୀନ ହେଲେ ବିବାଦର ଅନେକ ଦିଗ ସ୍ପଷ୍ଟ ହୋଇପାରିବ।
ଅନ୍ୟପଟେ ଖେଳପଡ଼ିଆରେ କ୍ରୀଡ଼ା କାର୍ଯ୍ୟକଳାପ ସହ ବିଭିନ୍ନ ସାମୂହିକ କାର୍ଯ୍ୟକ୍ରମ, ବିବାହ ଓ ଅନ୍ୟାନ୍ୟ ଆୟୋଜନ ହେଉଥିବା ନେଇ ମଧ୍ୟ ଚର୍ଚ୍ଚା ରହିଛି।
ଏଭଳି ସ୍ଥିତିରେ ଲୋକଙ୍କ ପ୍ରଶ୍ନ—ଏହି ଜମିର ମୂଳ ଉଦ୍ଦେଶ୍ୟ କ’ଣ? ଛାତ୍ରଛାତ୍ରୀଙ୍କ କ୍ରୀଡ଼ା ପାଇଁ ନା ସାଧାରଣ କାର୍ଯ୍ୟକ୍ରମ ପାଇଁ?
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜମି ଓ ଖେଳପଡ଼ିଆ ସୁରକ୍ଷା ପ୍ରସଙ୍ଗରେ ଛାତ୍ରଛାତ୍ରୀମାନେ ମଧ୍ୟ ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିଜ ଦାବି ଓ ମତ ଜଣାଇଥିବା କୁହାଯାଉଛି। ନୂଆ ସରକାର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜମିର ସୀମା ନିର୍ଦ୍ଧାରଣ, ରେକର୍ଡର ସ୍ପଷ୍ଟତା ଓ ସମ୍ପତ୍ତିର ସୁରକ୍ଷା ଦିଗରେ କି ପଦକ୍ଷେପ ନେବ—ଏବେ ତାହା ଉପରେ ନଜର।
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜମି ଯଦି ଷ୍ଟାଡିୟମ୍ ଅଞ୍ଚଳରେ ରହିଥିଲା, ତେବେ ଏହାର ବର୍ତ୍ତମାନ ମାଲିକାନା କାହାର? ଓସିଏକୁ ଜମି କେଉଁ ଆଧାରରେ ଦିଆଗଲା? କୌଣସି MoU ହୋଇଛି କି? ହସ୍ତାନ୍ତର ହୋଇଛି କି କେବଳ ବ୍ୟବହାର ଅଧିକାର ଦିଆଯାଇଛି?
ଏହି ପ୍ରଶ୍ନଗୁଡ଼ିକର ଦସ୍ତାବିଜ ଆଧାରିତ ଉତ୍ତର ମିଳିବା ପର୍ଯ୍ୟନ୍ତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଖେଳପଡ଼ିଆକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ବଲାଙ୍ଗୀରବାସୀ ଏବେ ଅପେକ୍ଷା କରିଛନ୍ତି—ସରକାର ଏହି ଜମିର ରେକର୍ଡ ଓ ହସ୍ତାନ୍ତର ସମ୍ପର୍କିତ ତଥ୍ୟ ସାର୍ବଜନୀନ କରିବେ କି? କାରଣ ପ୍ରଶ୍ନ ଏବେ କେବଳ ଗୋଟିଏ ଖେଳପଡ଼ିଆର ନୁହେଁ—ଏହା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜମି, ଐତିହ୍ୟ ଓ ଭବିଷ୍ୟତର ପ୍ରଶ୍ନ।