ଅସୁରକ୍ଷିତ ବିଦ୍ୟାଳୟ ପରିସର , ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଚିନ୍ତା
ଓଡ଼ଗାଁ, ୧ା୯ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କଲ୍ୟାଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଏକ ଖୋଲା କୂଅରେ ପଡ଼ି ୫ଟି ବାରହାଙ୍କ ମୃତ୍ୟୁ ଘଟିଛି। ବିଦ୍ୟାଳୟ ଖୋଲିବା ପରେ କୂଅରେ ବାରହା ପଡ଼ିଥିବା ଜଣାପଡ଼ିବାରୁ ପ୍ରଧାନଶିକ୍ଷକ ପଦ୍ମଚରଣ ଦଳେଇ ପଞ୍ଚରିଡ଼ା ବନାଞ୍ଚଳ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନଙ୍କ ଉପସ୍ଥିତିରେ ଜେସିବି ସହାୟତାରେ କୂଅରୁ ୫ଟି ମୃତ ବାରହାଙ୍କ ଶବ ଉଦ୍ଧାର କରାଯାଇଥିଲା। ପରେ ବିଦ୍ୟାଳୟ ପରିସରରେ ଗାତ ଖୋଳି ଶବଗୁଡ଼ିକୁ ପୋତି ଦିଆଯାଇଥିଲା। ବିଦ୍ୟାଳୟ ପରିସରରେ ଦୀର୍ଘଦିନ ଧରି ଖୋଲା କୂଅ ରହିଥିବାରୁ ଏହା ଛାତ୍ରଛାତ୍ରୀଙ୍କ ପାଇଁ ବିପଦର କାରଣ ହୋଇପାରେ ବୋଲି ଅଭିଭାବକ ଓ ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି।
ମଣିଷଙ୍କ ସହ ବନ୍ୟପ୍ରାଣୀମାନେ ମଧ୍ୟ ବିଦ୍ୟାଳୟ ପରିସରକୁ ପ୍ରବେଶ କରୁଥିବାରୁ ସୁରକ୍ଷା ବ୍ୟବସ୍ଥା ନେଇ ସେମାନେ ଚିନ୍ତା ପ୍ରକଟ କରିଛନ୍ତି। ସ୍ଥାନୀୟଙ୍କ କହିବାନୁଯାୟୀ, ବର୍ଷା ଋତୁରେ ଏକାଧିକଥର ବିଷଧର ସାପ ଶ୍ରେଣୀକକ୍ଷ ମଧ୍ୟକୁ ପଶିଥିବା ଅଭିଯୋଗ ରହିଛି। ଶୀତ ଋତୁରେ ହାତୀ ଭୟ ରହୁଥିବା ବେଳେ ଅନ୍ୟ ସମୟରେ ବାରହା ସମେତ ବିଭିନ୍ନ ବନ୍ୟପ୍ରାଣୀଙ୍କ ଯାତାୟାତ ଯୋଗୁଁ ବିଦ୍ୟାଳୟରେ ଭୟର ପରିବେଶ ରହୁଥିବା ସେମାନେ କହିଛନ୍ତି।ବିଦ୍ୟାଳୟ ପରିସରରେ ଥିବା ଖୋଲା କୂଅ ଉପରେ ତୁରନ୍ତ ମଜବୁତ ଢାଙ୍କୁଣି ଦେବା ସହ ପାଚେରୀ ନିର୍ମାଣ କରି ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ସୁରକ୍ଷିତ କରିବାକୁ ଅଭିଭାବକ ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏଥିସହ ବନ୍ୟପ୍ରାଣୀଙ୍କ ବିଦ୍ୟାଳୟ ପରିସରକୁ ପ୍ରବେଶ ରୋକିବା ଦିଗରେ ବନ ବିଭାଗ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ସେମାନେ ଦାବି କରିଛନ୍ତି। ସ୍ଥାନୀୟଙ୍କ ମତରେ, ବିଦ୍ୟାଳୟ ପରିସରରେ ଏଭଳି ଅସୁରକ୍ଷିତ ସ୍ଥିତି ରହିଲେ ଛାତ୍ରଛାତ୍ରୀଙ୍କ ନିରାପଦ ଶିକ୍ଷାଦାନ ପ୍ରଭାବିତ ହୋଇପାରେ। ତେଣୁ ପ୍ରଶାସନ ଓ ବନ ବିଭାଗ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେମାନେ କହିଛନ୍ତି।