୨ ନିଖୋଜ ନାବାଳିକା ଉଦ୍ଧାର,ବାପା-ମାଆଙ୍କୁ ହସ୍ତାନ୍ତର

5


ଓଡ଼ଗାଁ, ୧।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅଞ୍ଚଳରୁ ନିଖୋଜ ହୋଇଥିବା ଦୁଇ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଛି। ଆବଶ୍ୟକ ପ୍ରକ୍ରିୟା ଓ ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ରେକର୍ଡ ପରେ ଉଭୟଙ୍କୁ ପରିବାର ଲୋକଙ୍କ ଜିମା ଦିଆଯାଇଛି। ସୂଚନା ଅନୁସାରେ, ଓଡ଼ଗାଁ କଲେଜରେ +୨ ଶ୍ରେଣୀରେ ପଢ଼ୁଥିବା ଦୁଇ ନାବାଳିକା ସ୍କଲାରସିପ୍‌ ଫର୍ମ ପୂରଣ ପାଇଁ ସୋମବାର କଲେଜ ଆସିଥିଲେ। ତେବେ ସେମାନେ ଘରକୁ ଫେରିନଥିଲେ। ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ଅଭିଭାବକ ମାନେ ଚିନ୍ତିତ ହୋଇ ଓଡ଼ଗାଁ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉଭୟ ନାବାଳିକା ମୋବାଇଲ ନେଇ ଯାଇନଥିବାରୁ ସେମାନଙ୍କ ସହ ଯୋଗାଯୋଗ ସମ୍ଭବ ହୋଇନଥିଲା। ପରେ ସେମାନଙ୍କ ମୋବାଇଲରୁ ସାଙ୍ଗଙ୍କ ନିକଟକୁ ଯୋଗାଯୋଗ କରିବାରୁ ଦୁଇ ନାବାଳିକା ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଧୀନ ତଥା ନୟାଗଡ଼ ସୀମାବର୍ତ୍ତୀ କରସିଙ୍ଗ ଅଞ୍ଚଳକୁ ଯାଇଥିବା ଜଣାପଡ଼ିଥିଲା। ଏହାପରେ ଓଡ଼ଗାଁ ପୋଲିସ ସେଠାରେ ପହଞ୍ଚି ଦୁଇ ନାବାଳିକାଙ୍କୁ ଉଦ୍ଧାର କରିଥିଲା। ପଚରାଉଚରା ସମୟରେ ସେମାନେ ସାଙ୍ଗଙ୍କ ଜନ୍ମଦିନ ପାଳନ ପାଇଁ ଯାଇଥିବା ପୋଲିସକୁ କହିଥିଲେ। ମଙ୍ଗଳବାର ଉଭୟଙ୍କୁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇ ବୟାନ ରେକର୍ଡ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ଦୁଇ ନାବାଳିକା ପରସ୍ପରର ବନ୍ଧୁ ଥିବା ଜଣାପଡ଼ିଛି। ସେମାନେ ଘରୁ ବାହାରିବା ସମୟରେ ମୋବାଇଲ ନେଇନଥିବାରୁ ଅଭିଭାବକମାନେ ସେମାନଙ୍କ ସମ୍ପର୍କରେ ତୁରନ୍ତ କୌଣସି ସୂଚନା ପାଇ ପାରିନଥିଲେ। ଦୀର୍ଘ ସମୟ ଧରି ଦୁଇ ଝିଅ ଘରକୁ ନଫେରିବାରୁ ବାପା-ମାଆ ଚିନ୍ତା ଓ ଆଶଙ୍କାରେ ଥାନାର ଆଶ୍ରୟ ନେଇଥିଲେ। ସମୟ ହୋଇଗଲେ କିମ୍ବା ରାତିରେ ସାଙ୍ଗ ଘରେ ରହିବାକୁ ପଡ଼ିଲେ ଘରଲୋକଙ୍କୁ ଆଗୁଆ ସୂଚନା ଦେବା ଆବଶ୍ୟକ ବୋଲି ସଚେତନତାର ଆବଶ୍ୟକତା ରହିଛି।

Leave A Reply

Your email address will not be published.