ଓଡ଼ିଶାରୁ ଏକମାତ୍ର ଅଧିକାରୀ, ଜିଲ୍ଲା ପାଇଁ ଗୌରବର ମୁହୂର୍ତ୍ତ
ଝାରସୁଗୁଡ଼ା, ୧ ସେପ୍ଟେମ୍ବର: ଝାରସୁଗୁଡ଼ା ଜିଲ୍ଲା ପୋଲିସ ପାଇଁ ଏକ ଗୌରବମୟ ଅଧ୍ୟାୟ ଯୋଡ଼ା ହୋଇଛି। ଫେମ୍ ଇଣ୍ଡିଆ–ଏସିଆ ପୋଷ୍ଟ ପକ୍ଷରୁ ପ୍ରକାଶିତ ଦେଶର ୨୫ ଜଣ ଶ୍ରେଷ୍ଠ ପୁଲିସ ଅଧିକାରୀଙ୍କ ତାଲିକାରେ ଝାରସୁଗୁଡ଼ାର ପୁଲିସ ଅଧୀକ୍ଷକ (ଏସ୍ପି) ଗୁଣ୍ଡାଲା ରେଡ୍ଡି ରାଘବେନ୍ଦ୍ର ସ୍ଥାନ ପାଇଛନ୍ତି। ଏହି ତାଲିକାରେ ସ୍ଥାନ ପାଇଥିବା ସେ ଓଡ଼ିଶାର ଏକମାତ୍ର ପୁଲିସ ଅଧିକାରୀ।
ପୋଲିସ ନେତୃତ୍ୱ, ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ପରିଚାଳନା, ଜନସୁରକ୍ଷା, ପ୍ରଯୁକ୍ତିର ସଫଳ ବ୍ୟବହାର ଏବଂ ସାଧାରଣ ଲୋକଙ୍କ ସହ ସମନ୍ୱୟ ଭଳି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତାକୁ ଆଧାର କରି ଏହି ଚୟନ କରାଯାଇଛି।
ଫେମ୍ ଇଣ୍ଡିଆର ସମ୍ପାଦକ ଧୀରଜ କୁମାରଙ୍କ ସୂଚନା ଅନୁଯାୟୀ, କ୍ଷେତ୍ରସ୍ତରର ଅଭିଜ୍ଞତା, ନେତୃତ୍ୱ ଦକ୍ଷତା, କଠିନ ପରିସ୍ଥିତିରେ ଦୃଢ଼ ନିଷ୍ପତ୍ତି ଗ୍ରହଣ କ୍ଷମତା, ଅପରାଧ ନିୟନ୍ତ୍ରଣ, ନାଗରିକ ସେବା ଏବଂ ପୁଲିସ ବ୍ୟବସ୍ଥାର ଆଧୁନିକୀକରଣ ଆଦିକୁ ଚୟନର ପ୍ରମୁଖ ମାପଦଣ୍ଡ ଭାବେ ଗ୍ରହଣ କରାଯାଇଥିଲା।
ଦେଶର ବିଭିନ୍ନ ରାଜ୍ୟରୁ ଚୟନିତ ୨୫ ଜଣ ପୁଲିସ ଅଧିକାରୀଙ୍କ ମଧ୍ୟରେ ଝାରସୁଗୁଡ଼ା ଏସ୍ପି ରାଘବେନ୍ଦ୍ରଙ୍କ ସାମିଲ ହେବା ଓଡ଼ିଶା ପୋଲିସ ପାଇଁ ଏକ ଉଲ୍ଲେଖନୀୟ ସଫଳତା ବୋଲି ବିବେଚନା କରାଯାଉଛି। ଏହି ସଫଳତା ଝାରସୁଗୁଡ଼ା ଜିଲ୍ଲାକୁ ମଧ୍ୟ ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ଦେଇଛି।
ଏହାଛଡ଼ା ଫେମ୍ ଇଣ୍ଡିଆ–ଏସିଆ ପୋଷ୍ଟ ପକ୍ଷରୁ ‘ସୁପର–୫’ ବର୍ଗରେ ଆଉ ୫ ଜଣ ପୁଲିସ ଅଧିକାରୀଙ୍କୁ ସ୍ଥାନ ଦିଆଯାଇଛି। ଫଳରେ ମୋଟ ୩୦ ଜଣ ପୁଲିସ ଅଧିକାରୀଙ୍କୁ ଏହି ସ୍ୱତନ୍ତ୍ର ତାଲିକାରେ ସାମିଲ କରାଯାଇଛି।
ଫେମ୍ ଇଣ୍ଡିଆର ପରିଚାଳନା ସମ୍ପାଦକ ଅନିଲ ସିଂହ କହିଛନ୍ତି ଯେ, ଆଧୁନିକ ସମୟରେ ପୁଲିସିଂର ଚ୍ୟାଲେଞ୍ଜ ଦିନକୁ ଦିନ ବଦଳୁଛି। ସାଇବର ଅପରାଧ, ନିଶା କାରବାର, ଟ୍ରାଫିକ ପରିଚାଳନା, ମହିଳା ଓ ଶିଶୁ ସୁରକ୍ଷା, ପ୍ରଯୁକ୍ତିଭିତ୍ତିକ ଅପରାଧ ଏବଂ ଜରୁରୀକାଳୀନ ସେବା ଭଳି କ୍ଷେତ୍ରରେ ପୁଲିସ ନେତୃତ୍ୱକୁ ନୂତନ ଦକ୍ଷତା ଓ ଅଭିନବ ପଦକ୍ଷେପ ନେବାକୁ ପଡ଼ୁଛି। ଏହି ଚୟନ ପଦବୀ କିମ୍ବା ବରିଷ୍ଠତା ଆଧାରରେ ନୁହେଁ; ବରଂ କ୍ଷେତ୍ରସ୍ତରର ପ୍ରକୃତ କାର୍ଯ୍ୟଦକ୍ଷତା, ନେତୃତ୍ୱ, ଅପରାଧ ନିୟନ୍ତ୍ରଣ, ନବୀନ ପଦକ୍ଷେପ ଏବଂ ଜନବିଶ୍ୱାସ ବୃଦ୍ଧିରେ ଅବଦାନକୁ ଗୁରୁତ୍ୱ ଦିଆଯାଇଛି।
ଏହି ସଫଳତାର ଖବର ପ୍ରକାଶ ପାଇବା ପରେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ମହଲରୁ ଏସ୍ପି ରାଘବେନ୍ଦ୍ରଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଛି।