ହଳଦୱାନି ପ୍ରସଙ୍ଗକୁ ନେଇ ଝାରସୁଗୁଡାରେ କଂଗ୍ରେସର ବିକ୍ଷୋଭ, ନିରପେକ୍ଷ ତଦନ୍ତ ଦାବି

5


ଝାରସୁଗୁଡା
: ଉତ୍ତରାଖଣ୍ଡର ହଳଦୱାନିରେ ଭାରତୀୟ ଜାତୀୟ କଂଗ୍ରେସର ଜାତୀୟ ସଭାପତି ମଲ୍ଲୀକାର୍ଜୁନ ଖଡ଼ଗେଙ୍କ ସଭାସ୍ଥଳକୁ ଶୁଦ୍ଧିକରଣ କରାଯାଇଥିବା ଅଭିଯୋଗକୁ କେନ୍ଦ୍ର କରି ଦେଶବ୍ୟାପୀ ରାଜନୈତିକ ଚର୍ଚ୍ଚା ଜାରି ରହିଥିବାବେଳେ, ଏହାର ପ୍ରତିବାଦରେ ମଙ୍ଗଳବାର ଝାରସୁଗୁଡା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ନିକଟସ୍ଥ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପ୍ରାଙ୍ଗଣରେ ଆୟୋଜିତ ପ୍ରତିବାଦ ସଭାରେ କଂଗ୍ରେସ ନେତା ଓ କର୍ମୀମାନେ ହଳଦୱାନି ଘଟଣାକୁ ସାମାଜିକ ସମାନତା ଏବଂ ସମ୍ବିଧାନିକ ମୂଲ୍ୟବୋଧ ପ୍ରତି ଆଘାତ ବୋଲି ଅଭିହିତ କରିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ, ମଲ୍ଲୀକାର୍ଜୁନ ଖଡ଼ଗେ ଦଳିତ ସମାଜରୁ ଆସିଥିବାରୁ ସଭାସ୍ଥଳକୁ ଶୁଦ୍ଧିକରଣ କରାଯାଇଥିବା ଘଟଣା ନିନ୍ଦନୀୟ।

ବକ୍ତାମାନେ କହିଥିଲେ ଯେ, ଭାରତୀୟ ସମ୍ବିଧାନ ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଓ ସମ୍ମାନ ପ୍ରଦାନ କରିଥିବାବେଳେ ଜାତି ଆଧାରରେ କାହାକୁ ଅପମାନିତ କରିବା ଗଣତାନ୍ତ୍ରିକ ମୂଲ୍ୟବୋଧର ବିରୋଧୀ। ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆର୍‌କୁ ମଧ୍ୟ ସେମାନେ ରାଜନୈତିକ ପ୍ରତିହିଂସାମୂଳକ ପଦକ୍ଷେପ ବୋଲି ଦର୍ଶାଇ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ।

ଜିଲ୍ଲା କଂଗ୍ରେସ ପକ୍ଷରୁ ହଳଦୱାନି ଘଟଣାର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ କରିବା ସହ ଜାତି, ଧର୍ମ ଓ ବର୍ଣ୍ଣ ଆଧାରିତ ଭେଦଭାବ ବିରୋଧରେ କଠୋର ପଦକ୍ଷେପ ନେବାକୁ ଦାବି କରାଯାଇଥିଲା। ଦେଶର ଗଣତନ୍ତ୍ର ଓ ସମ୍ବିଧାନିକ ବ୍ୟବସ୍ଥାକୁ ସୁଦୃଢ଼ ରଖିବା ପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ ସାମାଜିକ ସମାନତାର ସୁରକ୍ଷା କରିବା ଆବଶ୍ୟକ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।

ଏହି ବିକ୍ଷୋଭ ସଭାରେ ଜିଲ୍ଲା ସଭାପତି ଜୀବନ ସାର୍ଥକ, ଅମିତା ବିଶ୍ୱାଳ, ପୂର୍ବତନ ସଭାପତି ଭରତ ଅବସ୍ତି, ପ୍ରଶାନ୍ତ ତ୍ରିପାଠୀ, ୱାରିଶ ଭାଇ, ଉପସଭାପତି ସଲିମ ଖାନ, ଅଲେଖ କୁମାର, ପ୍ରକାଶ ସିଂଦେଓ, ସଞ୍ଜୟ ମହାପାତ୍ର, ସୁଖଦେବ ବାଗ, ଶୈଳେଶ ଅବସ୍ତି, ନଗର ସଭାପତି ଦେବାନନ୍ଦ ବାରିକ, ସଞ୍ଜୟ ପଲ, ପଙ୍କଜ ବେନାର୍ଜୀଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.