ବାପାଙ୍କ ମୃତ୍ୟୁ ପରେ ପାଠପଢ଼ାରେ ବାଧା, ମେଧାବୀ ଛାତ୍ରୀଙ୍କ ପାଇଁ ‘ସାହାଭରସା ଫାଉଣ୍ଡେସନ’ର ଶିକ୍ଷା ସହାୟତା

40


କେନ୍ଦୁଝର,ତା୧/୯-ବାପାଙ୍କ ଦେହାନ୍ତ ପରେ ପାଠପଢ଼ା ଜାରି ରଖିବାରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣେ ମେଧାବୀ ଦଶମ ଶ୍ରେଣୀ ଛାତ୍ରୀଙ୍କ ପାଇଁ ଶିକ୍ଷା ସହାୟତାର ହାତ ବଢ଼ାଇଛି ‘ସାହାଭରସା ଫାଉଣ୍ଡେସନ’। ଫାଉଣ୍ଡେସନର ଏହି ପଦକ୍ଷେପ ଛାତ୍ରୀଙ୍କ ଶିକ୍ଷା ଜାରି ରଖିବାରେ ଏକ ନୂଆ ଆଶା ସୃଷ୍ଟି କରିଛି।
କେନ୍ଦୁଝର ଜିଲ୍ଲାର କାଠବାରୀ ପଞ୍ଚାୟତ ଅନ୍ତର୍ଗତ ଲଷ୍ମୀପୋଷି ଗ୍ରାମର ବିଜୟଲଷ୍ମୀ ନାଏକ, ପିତା ସ୍ୱର୍ଗତ ଦାଶରଥି ନାଏକ ଜଣେ ମେଧାବୀ ଛାତ୍ରୀ। ଦଶମ ଶ୍ରେଣୀରେ ପଢ଼ୁଥିବା ବିଜୟଲଷ୍ମୀଙ୍କ ବାପାଙ୍କ ଦେହାନ୍ତ ପରେ ପରିବାର ଉପରେ ଆର୍ଥିକ ଚାପ ବଢ଼ିଯାଇଥିଲା। ଫଳରେ ତାଙ୍କ ପାଠପଢ଼ା ଜାରି ରଖିବାରେ ବିଭିନ୍ନ ସମସ୍ୟା ଦେଖାଦେଇଥିଲା। ଏ ସମ୍ପର୍କରେ ଖବର ପାଇ ସାହାଭରସା ଫାଉଣ୍ଡେସନର ସଭାପତି ପ୍ରଦୀପ କୁମାର ନାଏକ ଘଟଣାରେ ହସ୍ତକ୍ଷେପ କରି ବିଜୟଲଷ୍ମୀଙ୍କ ପାଠପଢ଼ା ଯେପରି ବନ୍ଦ ନହୁଏ, ସେଥିପାଇଁ ଆବଶ୍ୟକ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଫାଉଣ୍ଡେସନର ସମ୍ପାଦକ ପ୍ରିୟବ୍ରତ ଆରୁକ, ସ୍ୱେଚ୍ଛାସେବୀ ସନ୍ତୋଷ ବାରିକ, ଅରୁଣ କୁମାର ନାଏକ ଓ କାଳନ୍ଦୀ ମହାକୁଡ଼ ବିଜୟଲଷ୍ମୀଙ୍କ ଘରକୁ ଯାଇ ପରିବାରର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ସମୟରେ ଛାତ୍ରୀଙ୍କ ଶିକ୍ଷା ସମ୍ପର୍କରେ ଆବଶ୍ୟକ ତଥ୍ୟ ସଂଗ୍ରହ କରାଯାଇଥିଲା। ପରେ ଲଷ୍ମୀପୋଷି ଗ୍ରାମରେ ଟ୍ୟୁସନ କରୁଥିବା ପପୁନ ସାରଙ୍କ ସହ ଫାଉଣ୍ଡେସନର ସଦସ୍ୟମାନେ ଯୋଗାଯୋଗ କରି ବିଜୟଲଷ୍ମୀଙ୍କୁ ଟ୍ୟୁସନ ପଢ଼ାଇବା ପାଇଁ ଅନୁରୋଧ କରିଥିଲେ। ପପୁନ ସାର ମଧ୍ୟ ଛାତ୍ରୀଙ୍କୁ ପଢ଼ାଇବା ପାଇଁ ସହମତି ପ୍ରକାଶ କରିଥିଲେ।

ଏହାପରେ ବିଜୟଲଷ୍ମୀଙ୍କ ଟ୍ୟୁସନ ପାଇଁ ଆବଶ୍ୟକ ପାଉଣା ସାହାଭରସା ଫାଉଣ୍ଡେସନ ପକ୍ଷରୁ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହା ଫଳରେ ଆର୍ଥିକ ଅସୁବିଧା ଯୋଗୁଁ ଶିକ୍ଷାରେ ବାଧା ସୃଷ୍ଟି ହେଉଥିବା ବିଜୟଲଷ୍ମୀ ନିଜ ପାଠପଢ଼ା ଜାରି ରଖିବାର ନୂଆ ସୁଯୋଗ ପାଇଛନ୍ତି।
ସାହାଭରସା ଫାଉଣ୍ଡେସନର ଏହି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି। ଆର୍ଥିକ ଅସୁବିଧା କେବେ ଯେପରି ଜଣେ ମେଧାବୀ ଛାତ୍ରୀଙ୍କ ଭବିଷ୍ୟତ ପାଇଁ ପ୍ରତିବନ୍ଧକ ନହୁଏ, ସେଥିପାଇଁ ସମାଜର ସମସ୍ତ ବର୍ଗ ଆଗେଇ ଆସିବା ଆବଶ୍ୟକ ବୋଲି ଫାଉଣ୍ଡେସନ ପକ୍ଷରୁ ମତ ପ୍ରକାଶ ପାଇଛି।

Leave A Reply

Your email address will not be published.