ନୂଆ ଭବନ ଥାଇ ବି ପଞ୍ଚାୟତ କାର୍ଯ୍ୟାଳୟରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର
ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ତାଳପଦର ସ୍ୱାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ଏବେ ସାଧାରଣରେ ଚିନ୍ତାର କାରଣ ପାଲଟିଛି। କୌଣସି କାରଣରୁ ଦୀର୍ଘ ଦୁଇ ମାସ ହେଲା ସ୍ୱାସ୍ଥ୍ୟକେନ୍ଦ୍ର ଚାଲୁଥିବା ପଞ୍ଚାୟତ କାର୍ଯ୍ୟାଳୟର ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଇଥିବାରୁ ଚିକିତ୍ସା ସେବା ପ୍ରଭାବିତ ହେଉଛି। ବିଦ୍ୟୁତ୍ ନଥିବାରୁ ବିଭିନ୍ନ ପରୀକ୍ଷା କରିବା ସହ ଆବଶ୍ୟକୀୟ ଯନ୍ତ୍ରପାତି ଚଳାଇବାରେ ମଧ୍ୟ ସମସ୍ୟା ଉପୁଜୁଛି।ଦୀର୍ଘଦିନ ହେଲା ତାଳପଦର ସ୍ୱାସ୍ଥ୍ୟକେନ୍ଦ୍ର ପଞ୍ଚାୟତ କାର୍ଯ୍ୟାଳୟରେ ଚାଲିଆସୁଛି। ଇତିମଧ୍ୟରେ ଦୀର୍ଘ ଦୁଇବର୍ଷ ରୁ ଉର୍ଦ୍ଧ ହେବ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ନୂତନ ଭବନ ନିର୍ମାଣ ସରିଥିଲେ ମଧ୍ୟ ତାହାକୁ କାର୍ଯ୍ୟକ୍ଷମ କରି ସ୍ୱାସ୍ଥ୍ୟକେନ୍ଦ୍ରକୁ ସେଠାକୁ ସ୍ଥାନାନ୍ତର କରାଯାଇନାହିଁ।ଫଳରେ ପୁରୁଣା ବ୍ୟବସ୍ଥାରେ ହିଁ ଲୋକଙ୍କୁ ଚିକିତ୍ସା ସେବା ନେବାକୁ ପଡ଼ୁଛି।ଏପରି ସ୍ଥିତିରେ ପଞ୍ଚାୟତ କାର୍ଯ୍ୟାଳୟର ବିଦ୍ୟୁତ୍ ସଂଯୋଗ କାଟି ଦିଆଯିବା ପରେ ସମସ୍ୟା ଆହୁରି ଗୁରୁତର ହୋଇଛି। ବିଦ୍ୟୁତ୍ ନଥିବାରୁ ରୋଗୀଙ୍କ ବିଭିନ୍ନ ପରୀକ୍ଷା ଓ ଅନ୍ୟାନ୍ୟ ସେବା ପ୍ରଦାନରେ ବାଧା ସୃଷ୍ଟି ହେଉଛି।ଏହାର ସିଧାସଳଖ ପ୍ରଭାବ ଅଞ୍ଚଳର ସାଧାରଣ ରୋଗୀଙ୍କ ଉପରେ ପଡ଼ୁଛି।ଏ ସମ୍ପର୍କରେ ବିଜେପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ ଚିକିତ୍ସାଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏଯାଏଁ ସମସ୍ୟାର ସମାଧାନ ହୋଇନଥିବା ଅଭିଯୋଗ ହୋଇଛି।ତେବେ କେଉଁ କାରଣରୁ ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଇଛି, ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଏହାର ସମାଧାନ କାହିଁକି ହୋଇନାହିଁ ଏବଂ ନୂତନ ଭବନ ଥିବା ସତ୍ତ୍ୱେ ସ୍ୱାସ୍ଥ୍ୟକେନ୍ଦ୍ରକୁ ସେଠାକୁ କାହିଁକି ସ୍ଥାନାନ୍ତର କରାଯାଉନାହିଁ, ତାହା ଏବେ ବଡ଼ ପ୍ରଶ୍ନ ହୋଇଛି।ସ୍ୱାସ୍ଥ୍ୟ ଭଳି ଅତ୍ୟାବଶ୍ୟକ ସେବାକୁ ନେଇ ଏଭଳି ଅବହେଳା କେତେଦୂର ଯୁକ୍ତିସଙ୍ଗତ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ତୁରନ୍ତ ବିଦ୍ୟୁତ୍ ସମସ୍ୟାର ସମାଧାନ କରିବା ସହ ନୂତନ ଭବନକୁ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାନାନ୍ତର କରି ଚିକିତ୍ସା ସେବା ଯୋଗାଇବାକୁ ଅଞ୍ଚଳ ଵାସୀଦାବି ହୋଇଛି।