ସ୍ୱଚ୍ଛ, ସୁସ୍ଥ, ସବୁଜ ଓ ସୁନ୍ଦର ଓଡ଼ଗାଁ ଗଠନ ଉପରେ ଗୁରୁତ୍ୱ
ଜନସଚେତନତା ପାଇଁ ପୁସ୍ତିକା ପ୍ରକାଶନକୁ ବିଧାୟକ ଅରୁଣଙ୍କ ପରାମର୍ଶ,
ଓଡ଼ଗାଁ, ୩୧।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି)କୁ ୨ କୋଟି ଟଙ୍କାର ପୁରସ୍କାର ମିଳିଛି। ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କଠାରୁ ଓଡ଼ଗାଁ ଏନ୍ଏସିର ପ୍ରଶାସନିକ ଅଧିକାରୀ ତଥା ନୟାଗଡ଼ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ପୁରସ୍କାର ଗ୍ରହଣ କରିଥିଲେ। ଏହି ଅବସରରେ ଓଡ଼ଗାଁ ଏନ୍ଏସି ପକ୍ଷରୁ ସ୍ଥାନୀୟ ବ୍ଲକ୍ ରୋଡ୍ସ୍ଥିତ କଲ୍ୟାଣୀ ମଣ୍ଡପଠାରେ ସୋମବାର ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଥିଲା। ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବର ସିଧାପ୍ରସାରଣ ଆଭାସୀ ମାଧ୍ୟମରେ ଦେଖାଯାଇଥିଲା। ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି, ଓଡ଼ଗାଁ ବ୍ଲକ୍ ଅଧ୍ୟକ୍ଷ ଲୋକନାଥ ସାହୁ ବିଶେଷ ଅତିଥି, ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ ମୁଖ୍ୟବକ୍ତା ଏବଂ ବିଡିଓ ପ୍ରୀତିବାଳା ରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ସ୍ୱଚ୍ଛ, ସୁସ୍ଥ, ସବୁଜ ଓ ସୁନ୍ଦର ଓଡ଼ଗାଁ ଗଠନ ପାଇଁ ସହରର ଯତ୍ନ ଓ ରକ୍ଷଣାବେକ୍ଷଣର ଦାୟିତ୍ୱ ସମସ୍ତେ ନେବା ଆବଶ୍ୟକ ବୋଲି ବିଧାୟକ ଡ. ସାହୁ କହିଥିଲେ। “ଏନ୍ଏସି ଆମର, ଏହାର ରକ୍ଷଣାବେକ୍ଷଣ ମଧ୍ୟ ଆମର ଦାୟିତ୍ୱ” ବୋଲି ସେ ମତବ୍ୟକ୍ତ କରିବା ସହ ଜନସାଧାରଣଙ୍କ ମଧ୍ୟରେ ସଚେତନତା ପାଇଁ ଏକ ସଚେତନତାଧର୍ମୀ ପୁସ୍ତିକା ପ୍ରକାଶ କରିବାକୁ ପରାମର୍ଶ ଦେଇଥିଲେ। ବାର୍ଷିକ ବିବରଣୀ ପାଠ କରି ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ଏନ୍ଏସିର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସହ ଆଗାମୀ ଦିନରେ ହେବାକୁଥିବା ବିଭିନ୍ନ ଯୋଜନାର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଶାନ୍ତିଶୃଙ୍ଖଳା ରକ୍ଷାରେ ଅବଦାନ ପାଇଁ ଓଡ଼ଗାଁ ଥାନା ଆଇଆଇସି ସତ୍ୟନାରାୟଣ ବାରିକ ଏବଂ ସାମାଜିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କ୍ରୀଡ଼ାବିତ୍ ଦିବାକର ନାୟକଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କାର ବିତରଣ କରାଯାଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରାତଃକାଳୀନ ରାମଧୁନ ପରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ପରେ ଏନ୍ଏସି କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଶିକ୍ଷକ ଭାବଗ୍ରାହୀ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶିକ୍ଷକ ରଞ୍ଜନ କୁମାର ଦାଶ, ଅବସରପ୍ରାପ୍ତ ଶିକ୍ଷକ ପଞ୍ଚାନନ ପଣ୍ଡା, ବରଦା ଦାସ, ଏମ୍. ଶୁଭମ୍, ଇଂ. ସାର୍ଥକ ସ୍ୱାଇଁ, ସୂର୍ଯ୍ୟ ପଟ୍ଟନାୟକ, କିରଣ ମିଶ୍ରଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ।