ଚାଷୀଙ୍କ ୧୧ ଦଫା ଦାବି ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

35


ଝାରସୁଗୁଡା, ୩୧ ଅଗଷ୍ଟ: ଜିଲ୍ଲା କୃଷକ ସଂଗଠନ, ଝାରସୁଗୁଡାର ଆହ୍ୱାନରେ ସୋମବାର ଜିଲ୍ଲାର ଶତାଧିକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ ବ୍ୟବସ୍ଥାରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ପୂର୍ବାହ୍ନ ୧୧ଟାରେ ବେହେରାମାଳ ଛକରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚିଥିଲା। ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ସଭା ଶେଷରେ ଚାଷୀମାନଙ୍କ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ୧୧ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

ଚାଷୀମାନଙ୍କର ପ୍ରମୁଖ ଦାବି ମଧ୍ୟରେ ଧାନ ବିକ୍ରି ପଞ୍ଜିକରଣରେ ବାଧକ ସାଜୁଥିବା ଅଗ୍ରୀଷ୍ଟକ ବ୍ୟବସ୍ଥାକୁ ପ୍ରତ୍ୟାହାର କରିବା, ଭାଗଚାଷୀ ପଞ୍ଜିକରଣକୁ ପୂର୍ବବର୍ଷ ପରି ସରଳ କରିବା, ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ କରିବା, ଚାଷ ହୋଇଥିବା ସମସ୍ତ କିସମର ଜମିକୁ ପଞ୍ଜିକରଣରେ ସାମିଲ କରିବା ଏବଂ ପଞ୍ଜିକରଣର ଅବଧିକୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବା ସହ ଅନ୍ୟାନ୍ୟ ଦାବି ସାମିଲ ରହିଥିଲା।

ପ୍ରତିବାଦ ଶୋଭାଯାତ୍ରାର ନେତୃତ୍ୱ ଦିଲୀପ ବଢ଼ାଇ, ହେମନ୍ତ ସାଗର କୁମୁରା, ବିରଞ୍ଚି ସାହୁ, ଗୋପୀନାଥ ମାଝୀ ଓ ବାସୁଦେବ ଧରୁଆ ନେଇଥିଲେ। ପ୍ରତିବାଦ ସଭାରେ ହେମନ୍ତ ସାହୁ, ଲକ୍ଷ୍ମଣ ସାହୁ, ଗୌତମ ପଧାନ, ଭୋନାଥ ବଢ଼ାଇ, ଲିଙ୍ଗରାଜ ବଢ଼ାଇ, ହେମାଂଶୁ ପଧାନ, ପ୍ରଦୀପ ବିଶ୍ୱାଳ, ବଳରାମ ପାଣ୍ଡେ, ଭୋପାଳ ବେହେରା, ସନତ ସିଂହ, ଅମିତା ବିଶ୍ୱାଳ, ଜଗରନାଥ ଜେନା, ଲୋକେନ୍ଦ୍ର ରାଉତ, କମଳ ପଧାନ, ଅକ୍ଷୟ ସାହୁ, ଶିବାଜୀ ବେହେରା ଓ ହିମାଂଶୁ ପଟେଲ ପ୍ରମୁଖ ବକ୍ତବ୍ୟ ରଖି ଚାଷୀଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସରକାରଙ୍କ ହସ୍ତକ୍ଷେପ ଦାବି କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ଜିଲ୍ଲାସ୍ତରୀୟ ନେତୃବୃନ୍ଦ ଦଳମତ ନିର୍ବିଶେଷରେ ଯୋଗଦେଇ ଚାଷୀମାନଙ୍କ ହକ୍‌ ଓ ଅଧିକାର ପ୍ରତି ସମର୍ଥନ ଜଣାଇଥିଲେ।

Leave A Reply

Your email address will not be published.