ପରମ୍ପରା, ସଂସ୍କୃତି ଓ ଅସ୍ମିତାର ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ: ଲୋକମହଲରେ ଉଠିଲା ମତ
ବଲାଙ୍ଗୀର: ଆମ ପରମ୍ପରା, ସଂସ୍କୃତି, ଧର୍ମୀୟ ଭାବନା ଓ ଅସ୍ମିତାର ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ। ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ସାମ୍ବାଦିକ ସଂଘର ପ୍ରତିଷ୍ଠା ଦିବସ ପାଳନ ଅବସରରେ ମା’ ସମଲେଶ୍ୱରୀ ଓ ମା’ ପାଟଣେଶ୍ୱରୀଙ୍କ ଫଟୋଚିତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଲୋକମତ ଅନୁଯାୟୀ, ମା’ ସମଲେଶ୍ୱରୀ ଚୌହାନ ବଂଶର କୁଳଦେବୀ ଭାବେ ପୂଜିତ ହୋଇଆସୁଥିବାବେଳେ ମା’ ପାଟଣେଶ୍ୱରୀ ପ୍ରାକ୍ତନ ପାଟଣା ରାଜ୍ୟ ତଥା କୋଶଳାଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ଭାବେ ପୂଜିତ। ପରମ୍ପରା ଓ ଶାସ୍ତ୍ରୀୟ ମତାନୁସାରେ ମା’ ପାଟଣେଶ୍ୱରୀଙ୍କୁ ବଡ଼ ଭଉଣୀ ଭାବେ ମାନ୍ୟତା ଦିଆଯାଏ ଏବଂ ତାଙ୍କୁ ପ୍ରଥମେ ପୂଜା କରିବାର ପରମ୍ପରା ରହିଥିବା ମତ ପ୍ରକାଶ ପାଇଛି।
ଏହି ପରମ୍ପରାଗତ ଦୃଷ୍ଟିକୋଣକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଉଲ୍ଲେଖ କରିଥିବା ନେଇ ଚର୍ଚ୍ଚା ହେଉଛି। ତାଙ୍କ ମତାମତ ପରେ ବଲାଙ୍ଗୀରରେ ଏହି ପ୍ରସଙ୍ଗ ନୂଆ ଆଲୋଚନାର ରୂପ ନେଇଛି।
ସାମ୍ବାଦିକ ସଂଘର ପ୍ରତିଷ୍ଠା ଦିବସ ଅବସରରେ ଉପମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ଫଟୋଚିତ୍ର ପ୍ରଦାନ କରାଯାଇଥିଲା, ସେଥିରେ ବଲାଙ୍ଗୀରର ଆରାଧ୍ୟା ଦେବୀ ମା’ ପାଟଣେଶ୍ୱରୀ କିମ୍ବା ମା’ ସମଲେଶ୍ୱରୀଙ୍କ ଫଟୋଚିତ୍ର ରହିଥାନ୍ତା, ତେବେ ଏହି ପ୍ରସଙ୍ଗ ନେଇ ଏଭଳି ଚର୍ଚ୍ଚା ହୋଇନଥାନ୍ତା ବୋଲି କେତେକ ଲୋକମହଲରେ ମତ ପ୍ରକାଶ ପାଇଛି।
ଏହା ସହ ସାମ୍ବାଦିକ ଭବନରେ ମା’ ସମଲେଶ୍ୱରୀଙ୍କ ଫଟୋଚିତ୍ର ଥିବାବେଳେ ମା’ ପାଟଣେଶ୍ୱରୀଙ୍କ ଫଟୋଚିତ୍ର ନଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ବଲାଙ୍ଗୀରର ଦୁଇ ପ୍ରମୁଖ ଆରାଧ୍ୟା ଦେବୀଙ୍କୁ ସମାନ ସମ୍ମାନ ଦେଇ ସାମ୍ବାଦିକ ଭବନରେ ଉଭୟଙ୍କ ଫଟୋଚିତ୍ର ସ୍ଥାନ ପାଇବା ଉଚିତ ବୋଲି ବିଭିନ୍ନ ମହଲରୁ ମତ ଆସିଛି।
ଅନ୍ୟପକ୍ଷରେ, ପ୍ରତିଷ୍ଠା ଦିବସ ଅବସରରେ ଫଟୋଚିତ୍ର ବ୍ୟବହାର ଓ ଅତିଥିଙ୍କୁ ଫଟୋଚିତ୍ର ପ୍ରଦାନର ପ୍ରକ୍ରିୟାକୁ ନେଇ ମଧ୍ୟ ଆଲୋଚନା ହେଉଛି। ସ୍ଥାନୀୟ ଅଞ୍ଚଳର ପରମ୍ପରା ଓ ଭାବନାକୁ ଗୁରୁତ୍ୱ ଦେଇ ଏଭଳି ଅବସରରେ ପ୍ରତୀକ ଓ ଫଟୋଚିତ୍ର ଚୟନ କରାଯିବା ଉଚିତ ବୋଲି ଲୋକେ ମତ ଦେଉଛନ୍ତି।
ଏହି ପ୍ରସଙ୍ଗ ସହ ଜଣେ ମହିଳାଙ୍କ ଉପସ୍ଥିତିକୁ ନେଇ ହେଉଥିବା ଆଲୋଚନା ମଧ୍ୟ ଚର୍ଚ୍ଚାରେ ରହିଛି। କେବଳ ଜଣେ ମହିଳା କାହାରୋ ପାଖରେ ଠିଆ ହୋଇ ଫଟୋ ଉଠାଇଥିବା ଘଟଣାକୁ ଭିନ୍ନ ଅର୍ଥରେ ବ୍ୟାଖ୍ୟା କରିବା ପୂର୍ବରୁ ତଥ୍ୟ, ପରିପ୍ରେକ୍ଷୀତ ଓ ସାମ୍ବାଦିକତାର ମର୍ଯ୍ୟାଦାକୁ ବିଚାର କରାଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।
ଗଣମାଧ୍ୟମକୁ ସମାଜର ଚତୁର୍ଥ ସ୍ତମ୍ଭ କୁହାଯାଏ। ତେଣୁ ସାମ୍ବାଦିକତାରେ ତଥ୍ୟର ସଠିକତା, ନିରପେକ୍ଷତା ଓ ଦାୟିତ୍ୱବୋଧ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ। କୌଣସି ଘଟଣା କିମ୍ବା ଫଟୋକୁ ପ୍ରକୃତ ପରିପ୍ରେକ୍ଷୀତରୁ ଅଲଗା କରି ବ୍ୟାଖ୍ୟା କରାଗଲେ ଏହା ସମାଜରେ ଭୁଲ ବାର୍ତ୍ତା ପହଞ୍ଚାଇପାରେ।
ବଲାଙ୍ଗୀରବାସୀଙ୍କ ମତ ହେଉଛି, ମା’ ସମଲେଶ୍ୱରୀ ଓ ମା’ ପାଟଣେଶ୍ୱରୀ—ଉଭୟ ଦେବୀଙ୍କ ପ୍ରତି ଲୋକଙ୍କ ଗଭୀର ଶ୍ରଦ୍ଧା ରହିଛି। ତେଣୁ ଆଗାମୀ ଦିନରେ ସାମ୍ବାଦିକ ଭବନରେ ଉଭୟ ଦେବୀଙ୍କ ଫଟୋଚିତ୍ର ସମ୍ମାନର ସହ ସ୍ଥାନ ପାଇଲେ ଏହା ବଲାଙ୍ଗୀରର ପରମ୍ପରା, ସଂସ୍କୃତି ଓ ଲୋକଭାବନାକୁ ସମ୍ମାନ ଦେବ ବୋଲି ଆଶା ପ୍ରକାଶ ପାଇଛି।
ପ୍ରତିଷ୍ଠା ଦିବସ ଭଳି ଏକ ଗୌରବମୟ ଅବସରରେ ଉଠିଥିବା ଏହି ଚର୍ଚ୍ଚାକୁ ବିବାଦର ରୂପ ନଦେଇ, ସମସ୍ତ ପକ୍ଷର ମତ ଓ ଭାବନାକୁ ସମ୍ମାନ ଦେଇ ବଲାଙ୍ଗୀର ସାମ୍ବାଦିକ ସଂଘ ଆଗାମୀ ଦିନରେ ଆବଶ୍ୟକ ପଦକ୍ଷେପ ନେବ ବୋଲି ବଲାଙ୍ଗୀରବାସୀ ଆଶା ପ୍ରକାଶ କରିଛନ୍ତି।