ପିକ୍ଅପ୍ ଭ୍ୟାନ୍ ଜବତ, ଚାଳକ ଗିରଫ ପରେ ଜେଲ୍ ହାଜତ
ଓଡ଼ଗାଁ, ୩୦/୦୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଚଢ଼ାଉ କରି ୬୫ ବସ୍ତା ଦେଶୀ ମଦ ପାଉଚ୍ ଜବତ କରିଛି। ଏଥିସହ ଚୋରାଚାଲାଣରେ ବ୍ୟବହୃତ ଏକ ପିକ୍ଅପ୍ ଭ୍ୟାନ୍ ଜବତ କରିବା ସହ ଚାଳକଙ୍କୁ ଗିରଫ କରାଯାଇଛି। ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ସତ୍ୟନାରାୟଣ ବାରିକଙ୍କ ସୂଚନାନୁସାରେ, ଶନିବାର ଅପରାହ୍ନରେ ଭୁବନେଶ୍ୱର-ଭଞ୍ଜନଗର ୨୧ ନମ୍ବର ରାଜ୍ୟ ରାଜପଥର ରୋହିବାଙ୍କ ନିକଟରେ ପୋଲିସ ଓଡି-୩୨-ଜି-୬୮୧୭ ନମ୍ବର ବିଶିଷ୍ଟ ଏକ ଲେଲ୍ୟାଣ୍ଡ ପିକ୍ଅପ୍ ଭ୍ୟାନ୍କୁ ଅଟକାଇ ଯାଞ୍ଚ ପାଇଁ ଓଡ଼ଗାଁ ଥାନାକୁ ଆଣିଥିଲା। ଯାଞ୍ଚ ବେଳେ ଗାଡ଼ିରୁ ୬୫ ବସ୍ତାରେ ପ୍ୟାକ୍ ହୋଇଥିବା ମୋଟ ୩,୨୫୦ ଲିଟର ଦେଶୀ ମଦ ପାଉଚ୍ ମିଳିଥିଲା। ପୋଲିସ ମଦ ସହ ପିକ୍ଅପ୍ ଭ୍ୟାନ୍କୁ ଜବତ କରିଛି। ଏନେଇ ଓଡ଼ଗାଁ ଆଦର୍ଶ ଥାନାରେ ମାମଲା ନମ୍ବର ୩୦୭/୨୦୨୬ ରୁଜୁ କରାଯାଇଛି। ମାମଲାରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ କରଚୁଲି ଗାଁର ଗାଡ଼ି ଚାଳକ ଚିନ୍ମୟ ପ୍ରଧାନ (୨୭)ଙ୍କୁ ପୋଲିସ ଗିରଫ କରି ରବିବାର କୋର୍ଟ ଚାଲାଣ କରିଥିଲା। ତାଙ୍କର ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।ପୋଲିସ ସୂଚନା ଅନୁଯାୟୀ, କରଚୁଲି ଅଞ୍ଚଳରୁ ଉକ୍ତ ଦେଶୀ ମଦ ନୟାଗଡ଼ ଅଭିମୁଖେ ଚୋରାଚାଲାଣ ହେଉଥିଲା।