ଓଡ଼ଗାଁ, ୩୦।୮(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ଷ୍ଟେଟ୍ ବ୍ୟାଡମିଣ୍ଟନ୍ ଆସୋସିଏସନ୍ (ଓଏସ୍ବିଏ) ପକ୍ଷରୁ ନୟାଗଡ଼ ଜିଲ୍ଲାସ୍ତରୀୟ ଲେଭେଲ୍-୩ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ନୟାଗଡ଼ସ୍ଥିତ ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମ୍ରେ ଅନୁଷ୍ଠିତ ହୋଇଛି। ଏଥିରେ ଓଡ଼ଗାଁର ୬ ଜଣ ଖେଳାଳି ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ମନୋନୀତ ଖେଳାଳିଙ୍କ ମଧ୍ୟରେ ୧୩ ବର୍ଷରୁ କମ୍ ବାଳକ ବିଭାଗରେ ରନର୍ସ-ଅପ୍ ସମରଜିତ ନାୟକ, ୧୫ ବର୍ଷରୁ କମ୍ ବାଳକ ବିଭାଗରେ ବିଜେତା ଅଂଶୁମାନ ନାୟକ, ରନର୍ସ-ଅପ୍ ବିଶ୍ୱରଞ୍ଜନ ବେହେରା ଏବଂ ସେମିଫାଇନାଲିଷ୍ଟ ଇହିମୟ କୁମାର ସାହୁ ରହିଛନ୍ତି। ସେହିପରି ୧୭ ବର୍ଷରୁ କମ୍ ବାଳିକା ବିଭାଗରେ ସେମିଫାଇନାଲିଷ୍ଟ ଓଜସ୍ୱିନୀ ମହାପାତ୍ର ଓ ରୋଜାଲିନ୍ ପ୍ରଧାନ ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି।
ନୟାଗଡ଼ ଜିଲ୍ଲା ବ୍ୟାଡମିଣ୍ଟନ୍ ଆସୋସିଏସନ୍ର ସମ୍ପାଦକ ନିରଞ୍ଜନ ବିଶ୍ୱାଳଙ୍କ ପରିଚାଳନାରେ ଆୟୋଜିତ ଏହି ପ୍ରତିଯୋଗିତାରେ ଜିଲ୍ଲାର ୫ଟି ଇନ୍ଡୋର ଷ୍ଟାଡିୟମ୍ରୁ ଖେଳାଳିମାନେ ଯୋଗଦେଇଥିଲେ। ଏଥିରୁ ଓଡ଼ଗାଁର ୬ ଜଣଙ୍କ ସମେତ ନୟାଗଡ଼ ଜିଲ୍ଲାର ମୋଟ ୨୨ ଜଣ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।
ପ୍ରତିଯୋଗିତାର ଶେଷରେ ଆୟୋଜିତ ପୁରସ୍କାର ବିତରଣୀ ସମାରୋହରେ ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ମୁଖ୍ୟ ଅତିଥି ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଜାତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କୃତ କରିଥିଲେ। ଓଡ଼ଗାଁର ୬ ଜଣ ଖେଳାଳିଙ୍କ ଏହି ସଫଳତା ପାଇଁ ସେମାନଙ୍କ ଅଭିଭାବକମାନେ ଓଡ଼ଗାଁ ଇନ୍ଡୋର ଷ୍ଟାଡିୟମ୍ର ଭାରପ୍ରାପ୍ତ ଅଧିକାରୀ ତଥା ବ୍ୟାଡମିଣ୍ଟନ୍ କୋଚ୍ ସୋନାଲୀ ସାହୁଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.