ନେପାଳ ବନ୍ୟା ବିଭୀଷିକା ରେ ମୃତକଙ୍କ ଆତ୍ମାର ସଦଗତି ଓ ଆହତଙ୍କ ଆରୋଗ୍ୟ ପାଇଁ ‘ତ୍ରିରଙ୍ଗା ମିଡ଼ିଆ’ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

8

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ନେପାଳରେ ଘଟିଥିବା ପ୍ରଳୟଙ୍କରୀ ଓ ଆକସ୍ମିକ ବନ୍ୟା ବିଭୀଷିକାକୁ ପାଞ୍ଚ ଦିନ ବିତିଯାଇଥିଲେ ବି ସେଠାକାର ସ୍ଥିତି ଅତ୍ୟନ୍ତ ହୃଦୟବିଦାରକ ହୋଇରହିଛି। ବିଶେଷ କରି ରସୁଆ, ଧାଡ଼ିଂ ଏବଂ ନୂୱାକୋଟ୍ ଜିଲ୍ଲାରେ ପ୍ରକୃତିର କରାଳ ରୂପ ଯୋଗୁଁ ଧନଜୀବନର ପ୍ରଭୂତ କ୍ଷତି ଘଟିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ହଜାର ହଜାର ଲୋକ ନିଖୋଜ ହୋଇଥିବା ବେଳେ ବହୁ ସଂଖ୍ୟାରେ ଶବ ଉଦ୍ଧାର କରାଯାଉଛି। ଏହି ଦୁର୍ଯୋଗରେ ଅନେକ ଭାରତୀୟ ନାଗରିକ ମଧ୍ୟ ପ୍ରାଣ ହରାଇଛନ୍ତି, ଆହତ ହୋଇଛନ୍ତି ଏବଂ ନିଖୋଜ ଅଛନ୍ତି। ସାରା ବିଶ୍ୱବାସୀ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ମୃତକଙ୍କ ଆତ୍ମାର ସଦଗତି ଓ ଆହତଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି।
ଏହି କ୍ରମରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ତ୍ରିରଙ୍ଗା ମିଡ଼ିଆ ଓ ସୋସିଆଲ ଅର୍ଗାନାଇଜେସନ’ ପକ୍ଷରୁ ସନ୍ଧ୍ୟାରେ ଏକ ଗଭୀର ଶ୍ରଦ୍ଧାଞ୍ଜଳି ସଭା ଓ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ଅନୁଷ୍ଠାନର ସଦସ୍ୟମାନେ ହାତରେ ଜଳନ୍ତା କ୍ୟାଣ୍ଡେଲ ଧରି ସହରର ପ୍ରମୁଖ ମାର୍ଗ ଯଥା ସାବିତ୍ରୀ ମହିଳା ମହାବିଦ୍ୟାଳୟ ଛକ ଠାରୁ ବାହାରି ଖାଲାସିସାହି, ଶିଶୁ ଉଦ୍ୟାନ, ବ୍ରାହ୍ମଣ ସାହି ମୁଖ୍ୟ ରାସ୍ତା ଦେଇ ଭଞ୍ଜନଗର ମେଇନ୍ ରୋଡ଼, ଟାଉନ୍ ହଲ୍ ହୋଇ ଥାନା ଛକ ନିକଟରେ ଥିବା ବିଜୁପଟ୍ଟନାୟକ ପ୍ରତିମୂର୍ତ୍ତି ପାଖରେ ପରିକ୍ରମା ଶେଷ ହୋଇଥିଲା। ଶୋଭାଯାତ୍ରା ଶେଷରେ ମୃତକଙ୍କ ସଦଗତି ଏବଂ ଆହତଙ୍କ ସୁସ୍ଥତା କାମନା କରି ୨ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା।
ଏହି ସ୍ମୃତି ସଭାରେ ବିଶ୍ୱ ହିନ୍ଦୁ ପରିଷଦର ଘୁମୁସର ଜିଲ୍ଲା ସଭାପତି ମୁରଲୀଧର ପଣ୍ଡା ଏବଂ ପ୍ରମୁଖ ସମାଜସେବୀ ସୁଳପାଣି ଶତପଥୀ ବିଶେଷ ଭାବେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏହି ସାମାଜିକ କାର୍ଯ୍ୟକ୍ରମରେ ତ୍ରିରଙ୍ଗା ମିଡ଼ିଆର ସମସ୍ତ କାର୍ଯ୍ୟକାରୀ ସଦସ୍ୟ ଓ କର୍ମକର୍ତ୍ତା ହୃଦୟର ସହ ଉପସ୍ଥିତ ରହି ଏହାକୁ ସଫଳ କରିଥିଲେ।

Leave A Reply

Your email address will not be published.