ମହାନୀୟତାର ଅନନ୍ୟ ଉଦାହରଣ: ବ୍ରାହ୍ମଣ ସମିତି ସଭାଗୃହ ପାଇଁ ଜମି ଦାନ କଲେ ସମାଜସେବୀ ବିଷ୍ଣୁ ପ୍ରସାଦ ପ୍ରଧାନ

10

ବିଧାୟକ କଲେ ଶିଳାନ୍ୟାସ. ଜମି ଦାନ କରିଥିବା ବିଷ୍ଣୁ ପ୍ରସାଦଙ୍କୁ ‘ଘୁମୁସର ପୁରୋହିତ ବ୍ରାହ୍ମଣ ସମିତି’ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା

ଭଞ୍ଜନଗର ରୁ ଉଦୟନାଥ ପଣ୍ଡା ( ଶାସକ ପ୍ରଶାସକ ):: ଜମି ଚାଖଣ୍ଡେ କିମ୍ବା ଦୁଇ-ତିନି ଇଞ୍ଚ ପାଇଁ ସାରା ସଂସାରରେ ବିବାଦ, ହିଂସା ଓ ମାରପିଟ୍ ଦେଖିବାକୁ ମିଳୁଥିବା ବେଳେ, ଭଞ୍ଜନଗର ସହରତଳି ଛେଦାଭୂମି ଗ୍ରାମରୁ ଆସିଛି ଏକ ପ୍ରେରଣାଦାୟୀ ଖବର। ଗ୍ରାମର ବିଶିଷ୍ଟ ସମାଜସେବୀ ବିଷ୍ଣୁ ପ୍ରସାଦ ପ୍ରଧାନ ସମାଜର ଉନ୍ନତି ପାଇଁ ନିଜର ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଜମି ଦାନ କରି ଏକ ମହାନ ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କର ଏହି ମହତ୍ ପ୍ରଚେଷ୍ଟା ଯୋଗୁଁ ‘ଘୁମୁସର ପୁରୋହିତ ବ୍ରାହ୍ମଣ ସମିତି’ର ସଭାଗୃହ ନିର୍ମାଣର ମାର୍ଗ ପ୍ରଶସ୍ତ ହୋଇଛି, ଯାହାର ଭବ୍ୟ ଶିଳାନ୍ୟାସ ଉତ୍ସବ ରବିବାର ଦିନ ଶ୍ରଦ୍ଧାର ସହ ସମ୍ପନ୍ନ ହୋଇଯାଇଛି।

​ଏହି ଶିଳାନ୍ୟାସ ଉତ୍ସବରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଭାଗୃହର ଶିଳାନ୍ୟାସ କରିଥିଲେ। ସେ କହିଥିଲେ ଯେ, ଏହି ସଭାଗୃହ ବ୍ରାହ୍ମଣ ସମାଜର ସାମାଜିକ, ସାଂସ୍କୃତିକ ଓ ମିଳନ କାର୍ଯ୍ୟକ୍ରମ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ। ଏଥିସହ ସଭାଗୃହ ନିର୍ମାଣ ପାଇଁ ୧୧ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିବା ବେଳେ, ଆଗାମୀ ଦିନରେ ଆବଶ୍ୟକ ପଡ଼ିଲେ ଆହୁରି ୨୦ ଲକ୍ଷ ଟଙ୍କା ଦିଆଯିବ ବୋଲି ବିଧାୟକ ଘୋଷଣା କରିଥିଲେ।
​ଗୋପବନ୍ଧୁ ମହାପାତ୍ର (ଅଧ୍ୟକ୍ଷ, ଭଞ୍ଜନଗର ପୌରପାଳିକା): ପୌରପାଳିକା ପକ୍ଷରୁ ସମସ୍ତ ଆବଶ୍ୟକୀୟ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବି.ଡି.ଓ ଶ୍ରୀମତୀ ​ଭାରତୀ ଦେବୀ ,ବିଧାୟକ ହାତପାଣ୍ଠିରୁ ଆସିଥିବା ଅନୁଦାନ ସଂକ୍ରାନ୍ତରେ ଆଲୋକପାତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ସହକାରୀ ନିର୍ବାହୀ ଯନ୍ତ୍ରୀ ନିତ୍ୟାନନ୍ଦ ପାତ୍ର, ବିଶ୍ବହିନ୍ଦୁ ପରିଷଦର ଘୁମୁସର ଜିଲ୍ଲା ସଭାପତି ମୁରଲୀଧର ପଣ୍ଡା, ଏମ୍.ପି. ପ୍ରତିନିଧି ସନ୍ତୋଷ ତିଆଡି, ଏବଂ ସ୍ଥାନୀୟ ସରପଞ୍ଚ ଶିବରାମ ସାହୁ ଉପସ୍ଥିତ ଥିଲେ।
​ଏହି କାର୍ଯ୍ୟକ୍ରମକୁ ଶୁଳପାଣି ଶତପଥି ସଂଯୋଜନା କରିଥିବା ବେଳେ ଭଞ୍ଜନଗର ପୁରୋହିତ ବ୍ରାହ୍ମଣ ସମିତି ସଭାପତି ଜୟ କୃଷ୍ଣ ମିଶ୍ର ଉତ୍ସବରେ ଅଧ୍ୟକ୍ଷତା କରିଥିଲେ।
​ଉତ୍ସବ ଅବସରରେ ଅନୁଷ୍ଠିତ ହୋମ କାର୍ଯ୍ୟରେ ଜମିଦାତା ବିଷ୍ଣୁ ପ୍ରସାଦ ପ୍ରଧାନ ନିଜେ କର୍ତ୍ତା ଭାବେ ଯୋଗ ଦେଇଥିଲେ। ମାନବ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଶୁଭ କାର୍ଯ୍ୟରେ ବ୍ରାହ୍ମଣମାନଙ୍କ ବେଦ ପାଠ, ଆଶୀର୍ବାଦ ଓ କର୍ମକାଣ୍ଡର ଆବଶ୍ୟକତା ରହିଥିବାରୁ, ଏହି ଦେବ ଅଂଶଧାରୀ ସମାଜର ହିତ ପାଇଁ ଜମି ଦାନ କରିଥିବା ବିଷ୍ଣୁ ପ୍ରସାଦଙ୍କୁ ‘ଘୁମୁସର ପୁରୋହିତ ବ୍ରାହ୍ମଣ ସମିତି’ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉପସ୍ଥିତ ପଣ୍ଡିତ ଓ ଆମନ୍ତ୍ରିତ ଅତିଥିମାନେ ଏହି ମହତ୍ ଉଦ୍ୟମକୁ ଆଗାମୀ ପିଢ଼ି ପାଇଁ ଏକ ପ୍ରେରଣାଦାୟୀ ପଦକ୍ଷେପ ବୋଲି ଅଭିହିତ କରିଥିଲେ।

Leave A Reply

Your email address will not be published.