କୁନି ବୈଜ୍ଞାନିକ ଙ୍କ ଇକୋ ଫ୍ରେଣ୍ଡଲି ପ୍ରକଳ୍ପ ପ୍ରଦର୍ଶିତ :ୱିନର ବ୍ରାଇଟ୍ ଫ୍ୟୁଚର ସ୍କୁଲ ରେ ବିଜ୍ଞାନ ମେଳା ଅନୁଷ୍ଠିତ।
ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ୱିନର ବ୍ରାଇଟ୍ ଫ୍ୟୁଚର ସ୍କୁଲର ଖୁଣ୍ଟପାଲି କ୍ୟାମ୍ପସରେ ରବିବାର ‘ଇକୋ ଫ୍ରେଣ୍ଡଲି ଇଣ୍ଡିଆ – ୨୦୩୦’ ଥିମ୍କୁ ଆଧାର କରି ଏକ ବିଶାଳ ବିଜ୍ଞାନ ଓ ହସ୍ତକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ସୃଜନଶୀଳତା, ବୈଜ୍ଞାନିକ ଚିନ୍ତାଧାରା ଓ ପରିବେଶ ସଚେତନତାକୁ ପ୍ରୋତ୍ସାହିତ କରିବା ଏହି ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଏହି ଅବସରରେ ପୂର୍ବତନ ବରଗଡ଼ ଲୋକସଭା ସାଂସଦ ଡ. ପ୍ରଭାସ କୁମାର ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ପ୍ରକଳ୍ପଗୁଡ଼ିକ ପରିଦର୍ଶନ କରିବା ସହ ସେମାନଙ୍କର ପ୍ରତିଭା ଓ ଉଦ୍ଭାବନୀ ଚିନ୍ତାଧାରାର ଉଚ୍ଚ ପ୍ରଶଂସା କରିଥିଲେ। ବିଜ୍ଞାନ ଓ ସୃଜନଶୀଳତାକୁ ଶିକ୍ଷାର ଅବିଚ୍ଛିନ୍ନ ଅଙ୍ଗ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତର ଦାୟିତ୍ୱବାନ ନାଗରିକ ଭାବେ ଗଢ଼ି ତୋଳିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅପାଲି ଅପରାଜିତା ଦାଶ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଅତିଥି, ଅଭିଭାବକ, ବିଚାରକ, ଗଣମାଧ୍ୟମ ପ୍ରତିନିଧି, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ। ଏହାପରେ ମୁଖ୍ୟ ଅତିଥି ଡ. ପ୍ରଭାସ କୁମାର ସିଂହଙ୍କୁ ବିଦ୍ୟାଳୟ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଓ ସମ୍ମାନ ପ୍ରଦାନ କରାଯାଇଥିଲା।
ପ୍ରଦର୍ଶନୀରେ ଛାତ୍ରଛାତ୍ରୀମାନେ ମୋଟ ୩୬୮ଟି ବିଜ୍ଞାନ, ଓ ହସ୍ତକଳା ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ବିଶେଷକରି ପରିବେଶ ସୁରକ୍ଷା, ବର୍ଜ୍ୟବସ୍ତୁ ପରିଚାଳନା, ନବୀକରଣୀୟ ଶକ୍ତି, ଜଳ ସଂରକ୍ଷଣ ଓ ସ୍ୱଚ୍ଛ-ସବୁଜ ଭାରତ ଗଠନ ସମ୍ପର୍କିତ ବିଭିନ୍ନ ମଡେଲ୍ ଓ ପ୍ରକଳ୍ପ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ ପାଇଁ ୧୩ ଜଣ ଉଚ୍ଚଶିକ୍ଷିତ ଓ ଅଭିଜ୍ଞ ବିଚାରକ ଯୋଗଦେଇଥିଲେ। ସେମାନେ ବିଭିନ୍ନ ବର୍ଗର ପ୍ରକଳ୍ପଗୁଡ଼ିକୁ ସୃଜନଶୀଳତା, ନୂତନତ୍ୱ, ବ୍ୟବହାରିକତା, ବୈଜ୍ଞାନିକ ଦୃଷ୍ଟିକୋଣ ଓ ପରିବେଶ ଉପଯୋଗିତା ଆଧାରରେ ମୂଲ୍ୟାୟନ କରିଥିଲେ।
ଏହି ଅବସରରେ ବିଚାରକମାନଙ୍କ ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଦର୍ଶନୀକୁ ସଫଳ କରିବାରେ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ଭୂମିକାକୁ ପ୍ରଶଂସା କରାଯାଇଥିଲା।

ଶେଷରେ ବିଦ୍ୟାଳୟର ଚେୟାରମ୍ୟାନ୍ ଶ୍ରୀ ଶ୍ରୀକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରି ମୁଖ୍ୟ ଅତିଥି, ବିଚାରକମଣ୍ଡଳୀ, ଗଣମାଧ୍ୟମ ପ୍ରତିନିଧି, ଅଭିଭାବକ, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ପ୍ରଦର୍ଶନୀରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସହଯୋଗ କରିଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ପ୍ରଦର୍ଶନୀଟି ଛାତ୍ରଛାତ୍ରୀଙ୍କ ପ୍ରତିଭା ଓ ପରିବେଶ ପ୍ରତି ସେମାନଙ୍କର ଦାୟିତ୍ୱବୋଧର ଏକ ଉଜ୍ଜ୍ୱଳ ଉଦାହରଣ ଭାବେ ପରିଗଣିତ ହୋଇଥିଲା।