ଶ୍ରୀ ରଘୁନାଥ ଜିଉ ଓ ଦୂତୀକେଶ୍ୱର ମହାଦେବଙ୍କୁ ଦର୍ଶନ କଲେ ମନ୍ତ୍ରୀ ଗୋକୁଳାନନ୍ଦ, ଉନ୍ନୟନ ପାଇଁ ଦେଲେ ପ୍ରତିଶ୍ରୁତି

15


ଓଡ଼ଗାଁ, ୨୯ା୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସ୍ୱର୍ଣ୍ଣକଳସ କ୍ଷେତ୍ରାଧିପତି ଶ୍ରୀ ରଘୁନାଥ ଜିଉ ଏବଂ ଜାମୁ ପାଟଣା ଶୁଳିଆ ପାହାଡ଼ ପାଦଦେଶରେ ବିରାଜିତ ବାବା ଦୂତୀକେଶ୍ୱର ମହାଦେବଙ୍କୁ ଶନିବାର ଓଡ଼ିଶା ସରକାରଙ୍କ ମତ୍ସ୍ୟ, ପଶୁ ସମ୍ପଦ ବିକାଶ ଓ ଅଣୁ, କ୍ଷୁଦ୍ର ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ ସପରିବାର ଦର୍ଶନ କରିଛନ୍ତି। ମନ୍ତ୍ରୀ ଶ୍ରୀ ରଘୁନାଥ ଜିଉଙ୍କ ମନ୍ଦିରରେ ପହଞ୍ଚିବା ପରେ ଦଳୀୟ କର୍ମକର୍ତ୍ତା, ସୁଆର ସେବକ ସଭାପତି କାର୍ତ୍ତିକ ପଣ୍ଡା ଓ ଅନ୍ୟ ସହଯୋଗୀ ମାନେ ତାଙ୍କୁ ପାଛୋଟି ନେଇଥିଲେ। ପୂଜକ ପରିଷଦ ସଭାପତି ପ୍ରଫୁଲ୍ଲ ମହାପାତ୍ର ପାଳିଆ ପଣ୍ଡା ଭାବେ ମନ୍ତ୍ରୀଙ୍କୁ ଶ୍ରୀଜିଉଙ୍କ ଦର୍ଶନ କରାଇବା ସହ ଭୋଗରାଗ ଓ ବେଢ଼ା ପରିକ୍ରମା କରାଇଥିଲେ। ଏହି ଅବସରରେ ମନ୍ଦିରର ଉନ୍ନୟନ ଓ ସୌନ୍ଦର୍ଯ୍ୟକରଣ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସେବକମାନେ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ମନ୍ଦିର ସୁପରଭାଇଜରଙ୍କ ପକ୍ଷରୁ ମନ୍ତ୍ରୀଙ୍କୁ ଶ୍ରୀଜିଉଙ୍କ ପଟ୍ଟଚିତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ପରେ ମନ୍ତ୍ରୀ ଜାମୁ ପାଟଣା ଶୁଳିଆ ପାହାଡ଼ ପାଦଦେଶରେ ଅବସ୍ଥିତ ଶ୍ରୀ ଶ୍ରୀ ଦୂତୀକେଶ୍ୱର ମହାଦେବଙ୍କ ଦର୍ଶନ କରିଥିଲେ। ପୀଠର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖି ସେ ଖୁସି ପ୍ରକାଶ କରିଥିଲେ। ମନ୍ଦିର ପରିଚାଳନା କମିଟି ପକ୍ଷରୁ ମା’ ପାର୍ବତୀ ମନ୍ଦିରର ମରାମତି ଏବଂ ପୀଠରେ ଏକ ହରିଣ ପାର୍କ ପ୍ରତିଷ୍ଠା ପାଇଁ ମନ୍ତ୍ରୀଙ୍କୁ ଲିଖିତ ଅନୁରୋଧପତ୍ର ପ୍ରଦାନ କରାଯାଇଥିଲା। କମିଟିର ଉପସଭାପତି ପ୍ରଫୁଲ୍ଲ କୁମାର ମାଝୀ, ସହସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଭୁଜବଳ, କୋଷାଧ୍ୟକ୍ଷ ପ୍ରତାପ କୁମାର ଜେନା, ସଭ୍ୟ ରବୀନ୍ଦ୍ରନାଥ ପରିଡ଼ା ଓ ଗୋଲକ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ପୀଠର ଉନ୍ନତି ପାଇଁ ଯେତିକି ସମ୍ଭବପର ଚେଷ୍ଟା କରିବେ ବୋଲି ମନ୍ତ୍ରୀ ଶ୍ରୀ ମଲିକ ପ୍ରତିଶ୍ରୁତି ଦେଇଥିଲେ।

Leave A Reply

Your email address will not be published.