ସାକେରୀ ଓ ଗୋଡ଼ିପାଟଣାରେ ପାରମ୍ପରିକ କାଠିଯାତ୍ରା,

16


ଓଡ଼ଗାଁ, ୨୯।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଗୋଡ଼ିପାଟଣା ଓ ସାକେରୀ ଗାଁର ଅଧିଷ୍ଠାତ୍ରୀ ଦେବୀ କାଳିଆ ଷଣ୍ଢଙ୍କ ଶକ୍ତିପୀଠରେ ପାରମ୍ପରିକ କାଠିଯାତ୍ରା ଧୁମ୍‌ଧାମରେ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଶ୍ରାବଣ ଗହ୍ମା ପୂର୍ଣ୍ଣିମା ତିଥିରେ ଗୋଡ଼ିପାଟଣାରେ ଏହି ପାରମ୍ପରିକ ନୃତ୍ୟ ଅନୁଷ୍ଠିତ ହୋଇଥିବା ବେଳେ ପରଦିନ ଭାଦ୍ରବ ପ୍ରତିପଦା ତିଥିରେ ସାକେରୀରେ କାଳିଆ ଷଣ୍ଢଙ୍କ କାଠିଯାତ୍ରା ପାଳିତ ହୋଇଥିଲା।
ଲୋକବିଶ୍ୱାସ ଅନୁଯାୟୀ, ମା’ଙ୍କ କରୁଣା ଲାଭ କଲେ ଗ୍ରାମବାସୀ ନିରୋଗ ରହିବା ସହିତ ଭଲ ଫସଲ ଅମଳ କରିଥାଆନ୍ତି। ଏହି ପରମ୍ପରାରେ ୧୧ ହାତ ଲମ୍ବର ଦୁଇଟି ବାଉଁଶର ଗୋଟିଏ ପାର୍ଶ୍ୱରେ ପିତଳର ଦୁଇଟି ଢାଳକୁ ମୁଖ ସଦୃଶ ବାନ୍ଧି ଦିଆଯାଏ। ନାଲି ଓ କଳା ରଙ୍ଗର ନୂଆଲୁଗାକୁ କୁଞ୍ଚ ଆକାରରେ ସଜାଇ ସମଗ୍ର ବାଉଁଶକୁ ଆକର୍ଷଣୀୟ ଭାବେ ପ୍ରସ୍ତୁତ କରାଯାଏ। ଢାଲ ଉପରେ କଜ୍ଜଳ, ସିନ୍ଦୁର, ଚୁଆ ଓ ଚନ୍ଦନ ଆଦି ଲେପନ କରାଯାଇ ଠାକୁରାଣୀଙ୍କ ଆଜ୍ଞାମାଳ ଲାଗି କରାଯାଇଥାଏ।
ପୂଜା ଓ ନୈବେଦ୍ୟ ଅର୍ପଣ ପରେ ହବିଷାନ୍ନରେ ଥିବା ବ୍ୟକ୍ତି କାଠିବାଉଁଶକୁ ଧରି ଦ୍ରୁତଗତିରେ ନୃତ୍ୟ କରି ସମଗ୍ର ଗ୍ରାମ ପରିକ୍ରମା କରିଥିଲେ। ଗ୍ରାମର ପ୍ରତ୍ୟେକ ଦ୍ୱାରରେ ପ୍ରସ୍ତୁତ ଚାଳିଭୋଗ ଠାକୁରାଣୀଙ୍କ ନିକଟରେ ଲାଗି କରାଯାଇଥିଲା। ପାରମ୍ପରିକ ରୀତିନୀତି ଓ ଭକ୍ତିଭାବରେ ଅନୁଷ୍ଠିତ ଏହି କାଠିଯାତ୍ରା ଗ୍ରାମରେ ଉତ୍ସବମୁଖର ପରିବେଶ ସୃଷ୍ଟି କରିଥିଲା।

Leave A Reply

Your email address will not be published.