୭ ଦିନରେ ଅଭିଯୋଗ ସମାଧାନ ନହେଲେ ଜରିମାନା

19

  • ଓଡ଼ଗାଁ ବ୍ଲକସ୍ତରୀୟ ଜନଶୁଣାଣି ଶିବିରରେ ମନରେଗା ଓ ସମଗ୍ର ଶିକ୍ଷାର ସାମାଜିକ ସମୀକ୍ଷା,
  • ୩୦ରୁ କାର୍ଯ୍ୟକ୍ଷମ ହେବ ଭିବି-ଜି ରାମ ଜି ଯୋଜନା,


ଓଡ଼ଗାଁ, ୨୯।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକସ୍ତରୀୟ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ଏବଂ ବିକଶିତ ଭାରତ ନିଶ୍ଚିତ ରୋଜଗାର ଓ ଆଜୀବିକା ମିଶନ ଗ୍ରାମୀଣ (ଭିବି-ଜି ରାମ ଜି) ଅନ୍ତର୍ଗତ ମନରେଗା ଓ ସମଗ୍ର ଶିକ୍ଷା ସମ୍ବନ୍ଧୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଶନିବାର ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଛି। ଶିବିରରେ ନୟାଗଡ଼ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ଯୋଗଦେଇ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଅଭିଯୋଗ ସମ୍ପର୍କରେ ସଂପୃକ୍ତ ପଞ୍ଚାୟତ ଅଧିକାରୀ ଓ ଡାଟା ଏଣ୍ଟ୍ରି ଅପରେଟରଙ୍କ ଠାରୁ ତଥ୍ୟ ନେଇଥିଲେ। ଆର୍ଥିକ ଅନିୟମିତତା, ନଥିପତ୍ର ଦାଖଲରେ ଅବହେଳା ଓ ଅନ୍ୟାନ୍ୟ ଅଭିଯୋଗ ୭ ଦିନ ମଧ୍ୟରେ ସମାଧାନ ନହେଲେ ସଂପୃକ୍ତ ଅଧିକାରୀଙ୍କଠାରୁ ଜରିମାନା ଅସୁଲ କରାଯିବ ବୋଲି ସେ ବ୍ଲକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।
ମନରେଗା ଯୋଜନା କାର୍ଯ୍ୟକାରିତାରେ ନୟାଗଡ଼ ଜିଲ୍ଲା ପୂର୍ବରୁ ରାଜ୍ୟର ଶ୍ରେଷ୍ଠ ୧୫ଟି ଜିଲ୍ଲା ମଧ୍ୟରେ ରହୁଥିବା ବେଳେ ବର୍ତ୍ତମାନ ୨୮ତମ ସ୍ଥାନକୁ ଖସିଆସିଥିବା ଉପଜିଲ୍ଲାପାଳ କହିଥିଲେ। ଆଗାମୀ ଦିନରେ ଭିବି-ଜି ରାମ ଜି ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ମାଧ୍ୟମରେ ଜିଲ୍ଲାର ପୂର୍ବ ସ୍ଥିତି ଫେରାଇ ଆଣିବାକୁ ସେ ଆହ୍ୱାନ ଦେଇଥିଲେ। ସମଗ୍ର ଶିକ୍ଷା ସାମାଜିକ ସମୀକ୍ଷାରେ ବ୍ଲକର ୩୨ଟି ବିଦ୍ୟାଳୟ ସମ୍ପର୍କରେ ଆଲୋଚନା ହୋଇଥିଲା। ସେଥିମଧ୍ୟରୁ ୬ଟି ବିଦ୍ୟାଳୟରେ ଶୌଚାଳୟ, ୩ଟିରେ ପାନୀୟଜଳ, ୩ଟିରେ ଖେଳପଡ଼ିଆ ଓ ୮ଟିରେ ପାଚେରୀ ସମସ୍ୟା ଥିବା ଜଣାପଡ଼ିଥିଲା। ସେହିପରି ୮ଟି ବିଦ୍ୟାଳୟରେ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ କ୍ଲବ ଗଠନ ହୋଇନଥିବା ନେଇ ମଧ୍ୟ ଆଲୋଚନା ହୋଇଥିଲା।
ବିଡିଓ ପ୍ରୀତିବାଳା ରଣା ନୂତନ ରୂପରେଖରେ ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ସମସ୍ତ ବିଳମ୍ବିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ। ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସସ୍ମିତା କର, ଜିଲ୍ଲା ସମୀକ୍ଷକ ବିଜୟ ନାରାୟଣ ବଳିୟାରସିଂହ ଓ ବ୍ଲକ ସମୀକ୍ଷକ ରାଜେଶ କୁମାର ଜେନା ଆବଶ୍ୟକ ସହଯୋଗ ଯୋଗାଇଦେବାକୁ କହିଥିଲେ। ବ୍ଲକ ମନରେଗା ସହକାରୀ ପ୍ରକଳ୍ପ ଅଧିକାରୀ ଇତିଶ୍ରୀ ଦାସଙ୍କ ସୂଚନା ଅନୁଯାୟୀ, ୨୯ ଅଗଷ୍ଟ ୨୦୨୬ ସୁଦ୍ଧା ବ୍ଲକର ୨୪,୩୧୨ ଜବକାର୍ଡଧାରୀଙ୍କ ମଧ୍ୟରୁ ୧୨,୫୫୮ଟି ଜବକାର୍ଡ ସକ୍ରିୟ ରହିଛି। ୨୯୨ ପରିବାର ମଧ୍ୟରୁ ୨୮୩ ପରିବାର କାମ ପାଇଛନ୍ତି। କୌଣସି ପ୍ରକଳ୍ପ ଏପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ହୋଇନଥିବା ବେଳେ ୧,୭୯୧ଟି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି ଏବଂ ୧,୦୭୨ଟି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଏଥିସହ କୌଣସି ପରିବାର ୧୦୦ ଦିନର କାମ ପାଇନଥିବା ସୂଚନା ମିଳିଛି। ଭିବି-ଜି ରାମ ଜି ଯୋଜନାର ଦୁଇମାସିଆ ‘ଲକିଙ୍ଗ୍’ ଅବଧି ଅଗଷ୍ଟ ୨୯ ତାରିଖରେ ଶେଷ ହେଉଥିବାରୁ ଅଗଷ୍ଟ ୩୦ ତାରିଖରୁ ଏହି ଯୋଜନା ସ୍ୱାଭାବିକ ଭାବେ କାର୍ଯ୍ୟ ଆରମ୍ଭ କରିବ ବୋଲି ଶିବିରରେ ସୂଚନା ଦିଆଯାଇଥିଲା।

Leave A Reply

Your email address will not be published.