କଟକ, ତା ୨୮.୮.୨୬ ରିଖ – ଅଗଷ୍ଟ ୨୮ ତାରିଖ ରୁ ୩୦ତାରିଖ ପର୍ଯ୍ୟନ୍ତ ଜାତୀୟ କ୍ରୀଡା ଦିବସ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ପାଳନ ମାଧ୍ୟମରେ କ୍ରୀଡା ଦିଵସ ପାଳନର ଶୁଭାରମ୍ଭ କରାଯାଇଛି । କ୍ରୀଡା କ୍ଷେତ୍ରକୁ ଅଗ୍ରାଧିକାର ଦିଆଯିବା ସହ କ୍ରୀଡାବିତଙ୍କୁ ପ୍ରୋତ୍ସାହନ ଦିଆଯିବା ଉଦ୍ଦେଶ୍ୟରେ ପ୍ରସିଦ୍ଧ ହକି ତାରକା ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଉଛି । କ୍ରୀଡା, ଉତ୍ସାହ ଓ ଏକତାର ଦେଶବ୍ୟାପୀ ଉତ୍ସବ ପାଳନ ନିମନ୍ତେ ଜାତୀୟ ସ୍ତରରେ ଏହି ତିନିଦିନରେ ବିଭିନ୍ନ କ୍ରୀଡାର ଆୟୋଜନ କରାଯାଉଛି । ବିଶେଷକରି ଶାରିରୀକ ସୁସ୍ଥତା, ଅନୁଶାସନ ଅବଲମ୍ବନ ସହ ନ୍ୟାୟସଙ୍ଗତ ତଥା ଖେଳାଳୀ ମନୋଭାବ ରକ୍ଷା କରି ଦେଶରେ କ୍ରୀଡା କ୍ଷେତ୍ରରେ ସଫଳତା ଅଣାଯାଇପାରିବ ବୋଲି ଆଜିର ଏହି ଶୁଭାରମ୍ଭ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଅତିଥିମାନେ ପ୍ରଥମେ ଧ୍ୟାନଚାନ୍ଦଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ଜୀବନୀ ଓ କ୍ରୀଡା କ୍ଷେତ୍ରରେ ଅବଦାନକୁ ମନେ ପକାଇ ଉପସ୍ଥିତ କ୍ରୀଡ଼ାବିତଙ୍କୁ ତାଙ୍କୁ ଆଦର୍ଶ ଭାବେ ଗ୍ରହଣ କରି ପଥ ଅନୁସରଣ କରିବାକୁ ଉତ୍ସାହିତ କରିଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଗଙ୍ଗାଧର ବେହେରା କାର୍ଯ୍ୟକ୍ରମ ପରିଚାଳନା ସହ ତିନିଦିନଧରି ଆୟୋଜିତ ହେବାକୁ ଥିବା ସମସ୍ତ କ୍ରୀଡା କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ସୂଚନାନୁଯାୟୀ ଆଗାମୀ ଦୁଇଦିନ ୨୯ତାରିଖରେ ଇଣ୍ଡୋର ଷ୍ଟାଡିୟମ ଠାରେ ବନ୍ଧୁତ୍ୱପୂର୍ଣ୍ଣ ବାସ୍କେଟ ବଲ ଏବଂ ସେକ୍ଟର -୭, ସିଡିଏ (କେଡିଏ) ସ୍ଥିତ ଷ୍ଟାଡିୟମ ଠାରେ ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚ୍ ଅନୁଷ୍ଠିତ ହେବ ଏବଂ ୩୦ତାରିଖରେ ଏକ ସାଇକଲ ଶୋଭାଯାତ୍ରା ଆୟୋଜନ କରାଯିବ । ପୂର୍ବତନ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଜୟରାଜ ପଟ୍ଟନାୟକ, ଶ୍ରୀ ରଶ୍ମୀ ରଞ୍ଜନ ସାମନ୍ତରାୟ, ଶ୍ରୀ ଅଜୟ କୁମାର ବେହେରା, ନାରାୟଣ ବେହେରା, ଫାଓ ଉପସଭାପତି ଶ୍ରୀ ଦିଲ୍ଲୀପ କୁମାର ସାହୁ, ଏଥେଲେଟିକ କୋଚ୍ ଶ୍ରୀ ନଳିନିକାନ୍ତ ମିଶ୍ର , ଅମ୍ୱାଳିକା ଜେନା, ମିଲିନ ମହାନ୍ତି ପ୍ରମୁଖ ଏହି ଶୁଭାରମ୍ଭ ଅବସରରେ ଅତିଥିଭାବେ ଯୋଗଦେଇ ଉପସ୍ଥିତ କ୍ରୀଡ଼ାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ।