ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଓମ୍ ଶାନ୍ତି କଲୋନୀ ଠାରେ ଅବସ୍ଥିତ ବ୍ରହ୍ମକୁମାରୀ ଶାନ୍ତି ସନ୍ଦେଶ ଭବନ ପରିସରରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଏକ ନିଆରା ଭାଇ-ଭଉଣୀ ସମ୍ପର୍କର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ଶାନ୍ତି ସନ୍ଦେଶ ଭବନର ବ୍ରହ୍ମକୁମାରୀ ଭଉଣୀମାନେ ପାରଳାଖେମୁଣ୍ଡିର ସାମ୍ବାଦିକ ଭାଇମାନଙ୍କୁ ରାକ୍ଷୀ ବାନ୍ଧି ଭାଇ-ଭଉଣୀର ପବିତ୍ର ସମ୍ପର୍କକୁ ଆହୁରି ମଜବୁତ କରିଥିଲେ। ରାକ୍ଷୀ ବାନ୍ଧିବା ସହ ଭାଇମାନଙ୍କର ଦୀର୍ଘାୟୁ , ସୁଖ , ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ।
କାର୍ଯ୍ୟକ୍ରମରେ ରାକ୍ଷୀ ପୂର୍ଣ୍ଣିମାର ଆଧ୍ୟାତ୍ମିକ ମହତ୍ତ୍ୱ ଓ ଭାଇ-ଭଉଣୀର ପବିତ୍ର ସମ୍ପର୍କ ସମ୍ପର୍କରେ ଆଲୋଚନା ହୋଇଥିଲା। ସମାଜରେ ଶାନ୍ତି , ଭାଇଚାରା , ସଦ୍ଭାବନା ଓ ମାନବିକ ମୂଲ୍ୟବୋଧ ବଜାୟ ରଖିବା ପାଇଁ ସମସ୍ତେ ଏକାଠି ହୋଇ କାମ କରିବା ଆବଶ୍ୟକ ବୋଲି ଉପସ୍ଥିତ ଅତିଥି ଓ ଭଉଣୀମାନେ ମତ ପ୍ରକାଶ କରିଥିଲେ।
ବିଶେଷକରି ସମାଜର ବିଭିନ୍ନ ଘଟଣାକୁ ଲୋକଙ୍କ ସମ୍ମୁଖକୁ ଆଣିବା ସହ ସତ୍ୟ ଓ ନିରପେକ୍ଷ ଖବର ପ୍ରକାଶ କରି ସାମ୍ବାଦିକମାନେ ସମାଜ ପ୍ରତି ନିଜର ଦାୟିତ୍ୱ ତୁଲାଉଥିବାରୁ ସେମାନଙ୍କୁ ରାକ୍ଷୀ ବାନ୍ଧିବା ଏହି କାର୍ଯ୍ୟକ୍ରମର ଏକ ବିଶେଷ ଆକର୍ଷଣ ଥିଲା।
ଏହି ଅବସରରେ ସାମ୍ବାଦିକ ଭାଇମାନେ ମଧ୍ୟ ବ୍ରହ୍ମକୁମାରୀ ଭଉଣୀମାନଙ୍କ ଠାରୁ ରାକ୍ଷୀ ଗ୍ରହଣ କରି ସେମାନଙ୍କ ଭଲପାଇବା ଓ ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଥିଲେ। ରାକ୍ଷୀ ପୂର୍ଣ୍ଣିମା କେବଳ ରାକ୍ଷୀ ବାନ୍ଧିବାର ପର୍ବ ନୁହେଁ , ବରଂ ପରସ୍ପର ମଧ୍ୟରେ ସ୍ନେହ , ବିଶ୍ୱାସ , ସମ୍ମାନ ଓ ଦାୟିତ୍ୱବୋଧକୁ ଦୃଢ଼ କରିବାର ଏକ ପବିତ୍ର ଅବସର ବୋଲି ମତ ପ୍ରକାଶ ପାଇଥିଲା।
ଶାନ୍ତି ସନ୍ଦେଶ ଭବନରେ ଅନୁଷ୍ଠିତ ଏହି ନିଆରା ରାକ୍ଷୀ ପୂର୍ଣ୍ଣିମା କାର୍ଯ୍ୟକ୍ରମ ସାମ୍ବାଦିକ ଓ ବ୍ରହ୍ମକୁମାରୀ ଭଉଣୀମାନଙ୍କ ମଧ୍ୟରେ ଏକ ସୁନ୍ଦର ସମ୍ପର୍କର ସେତୁ ସୃଷ୍ଟି କରିଥିଲା। ଉପସ୍ଥିତ ସମସ୍ତେ ଏହି ଅବସରରେ ଶାନ୍ତି , ସଦ୍ଭାବନା ଓ ଭାଇଚାରାର ବାର୍ତ୍ତା ପ୍ରଚାର କରିବାକୁ ସଂକଳ୍ପ ନେଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post