ଝାରସୁଗୁଡ଼ା: ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ପରିସରରେ ଓଡ଼ିଆ ସାହିତ୍ୟର ଅମର ସାଧକ ତଥା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ ତମ ଜୟନ୍ତୀ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମହାନ ସାହିତ୍ୟିକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କାର୍ଯ୍ୟକ୍ରମରେ ଗଙ୍ଗାଧର ମେହେରଙ୍କ ଜୀବନ, ସାହିତ୍ୟ ସାଧନା ଓ ଓଡ଼ିଆ ଭାଷା-ସାହିତ୍ୟ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରାଯାଇଥିଲା। ତାଙ୍କ ରଚନାରେ ପ୍ରକୃତିପ୍ରେମ, ମାନବିକତା, ନୈତିକତା ଓ ସାମାଜିକ ଚେତନାର ଅପୂର୍ବ ସମନ୍ୱୟ ରହିଥିବା ବିଷୟ ଉପରେ ଆଲୋକପାତ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କୁ ତାଙ୍କ ସାହିତ୍ୟ ପଢ଼ି ତାଙ୍କ ଆଦର୍ଶକୁ ଜୀବନରେ ଅନୁସରଣ କରିବାକୁ ପ୍ରେରିତ କରାଯାଇଥିଲା ।

ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀକାନ୍ତ ଦେବତାଙ୍କ ଆବାହକତ୍ୱରେ ଏହି ଅବସରରେ ଏକ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଛାତ୍ରଛାତ୍ରୀମାନେ ଗଙ୍ଗାଧର ମେହେରଙ୍କ ସାହିତ୍ୟ ଓ ଭାବଧାରା ଆଧାରିତ ବିଭିନ୍ନ ସାଂସ୍କୃତିକ ପରିବେଷଣ ମାଧ୍ୟମରେ ତାଙ୍କ ପ୍ରତି ଶ୍ରଦ୍ଧା ଜଣାଇଥିଲେ। ଛାତ୍ର ପ୍ରୀତି ପ୍ରସନ୍ନ ବିଶ୍ୱାଳ ଗଙ୍ଗାଧରଙ୍କ ବେଶ ଧାରଣ କରିବା ସହ ତାଙ୍କ ଚରିତ୍ର ଚିତ୍ରଣ କରିଥିଲେ ଓ ଛାତ୍ରୀ ସାମ୍ଭବୀ ସେନାପତି ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଶିକ୍ଷୟିତ୍ରୀ ମଧୁସ୍ମିତା ପଲେଇଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଦିବ୍ୟେନ୍ଦୁ ମଲ୍ଲିକ, ଗୀତାଞ୍ଜଳି ମିଶ୍ର, ସତ୍ୟନାରାୟଣ ଜେନା ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଇଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।