‘ସୁଭଦ୍ରା’ ହିତାଧିକାରୀଙ୍କୁ ପଞ୍ଚମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

5

କଟକ, ତା ୨୮.୦୮.୨୬ ରିଖ – ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଓ ଆତ୍ମନିର୍ଭରତାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ ‘ସୁଭଦ୍ରା’ର ପଞ୍ଚମ କିସ୍ତି ବଣ୍ଟନ କାର୍ଯ୍ୟକ୍ରମ ନେତାଜୀ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲାର ୬,୦୨,୪୩୬ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ପଞ୍ଚମ କିସ୍ତି ବାବଦରେ ₹୫,୦୦୦ ଲେଖାଏଁ ସମୁଦାୟ ୩୦୧ କୋଟି ୨୧ ଲକ୍ଷ ୮୦ ହଜାର ଟଙ୍କା ଆର୍ଥିକ ସହାୟତା ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ କହିଥିଲେ ସମାଜ ଉପରେ ଯେବେ ବିପଦ ଆସିଛି ନାରୀମାନେ ଶକ୍ତି ରୂପେ ଆମକୁ ସୁରକ୍ଷା ଦେଇଛନ୍ତି । ଏଥିସହ ବିଭିନ୍ନ ପୌରାଣିକ କିମ୍ବଦନ୍ତୀର ବ୍ୟାଖା କରି ସମାଜରେ ନାରୀମାନଙ୍କର ଗୁରୁତ୍ଵ ସମ୍ପର୍କରେ ସେ ମତ ପ୍ରକାଶ କରିଥିଲେ । ସୁଭଦ୍ରା କେବଳ ଏକ ଆର୍ଥିକ ସହାୟତା ନୁହେଁ ବରଂ ଓଡ଼ିଶାର ପ୍ରତ୍ୟେକଟି ମହିଳାଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ କରି ଗଢ଼ି ତୋଳିବା ଏବଂ ସେମାନଙ୍କ ମଧ୍ୟରେ ଉଦ୍ୟୋଗିତାର ବିକାଶ କରିବା ହେଉଛି ଏହାର ମୁଖ୍ୟ ଲକ୍ଷ୍ୟ। ସରକାର ପ୍ରତିଶ୍ରୁତିବଦ୍ଧ ଯେ ରାଜ୍ୟରେ ଜଣେ ବି ଯୋଗ୍ୟ ମହିଳା ଏହି ସହାୟତାରୁ ବଞ୍ଚିତ ହେବେ ନାହିଁ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ଚୌଦ୍ବାର-କଟକ ବିଧାୟକ ଶ୍ରୀ ସୌଭିକ ବିଶ୍ଵାଳ ଯୋଗଦେଇ ‘ସୁଭଦ୍ରା’ ଯୋଜନା ମହିଳାମାନଙ୍କୁ କେବଳ ଆର୍ଥିକ ସହାୟତା ପ୍ରଦାନରେ ସୀମିତ ନରହି, ସେମାନଙ୍କୁ ଆତ୍ମନିର୍ଭର ଓ ଉଦ୍ୟମୀ ଭାବେ ଗଢ଼ି ତୋଳିବା ଦିଗରେ ଏକ ଅଭିନବ ପଦକ୍ଷେପ ବୋଲି କହିଥିଲେ । କେନ୍ଦ୍ରାପଡା ସାଂସଦଙ୍କ ପ୍ରତିନିଧି ଶ୍ରୀ ରାମନାରାୟଣ ମହାନ୍ତି ଯୋଗଦେଇ ରକ୍ଷାର ସୂତ୍ରକୁ ବାନ୍ଧି ସମାଜକୁ ସୁଦୃଢ କରିବା ତଥା ସଶକ୍ତ କରିବାକୁ ଆହ୍ଵାନ ଦେଇଥିଲେ । ଏହାପରେ ନୟାଗଡଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସୁଭଦ୍ରା ପଞ୍ଚମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମକୁ ଆଭାସି ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ସମସ୍ତଙ୍କୁ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇବା ସହ ସ୍ଵାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ସମସ୍ତ କାର୍ଯ୍ୟର ସୁପରିଚାଳନା କରିଥିଲେ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସୋଫି ସାଇନିକା ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ବହୁ ସଂଖ୍ୟକ ‘ସୁଭଦ୍ରା’ ହିତାଧିକାରୀ ଏହି କାର୍ଯକ୍ରମରେ ଯୋଗଦେଇଥିଲେ । ତିନି ଜଣ ‘ସୁଭଦ୍ରା’ ହିତାଧିକାରୀ ମଞ୍ଚରେ ଉପସ୍ଥିତ ରହି ଏହି ଆର୍ଥିକ ସହାୟତା କିପରି ସେମାନଙ୍କ ଜୀବନରେ ଆତ୍ମବିଶ୍ୱାସ ବୃଦ୍ଧି କରିଛି ଏବଂ ସେମାନଙ୍କୁ ସ୍ୱାବଲମ୍ବୀ କରିବାରେ ସାହାଯ୍ୟ କରିଛି, ସେ ସମ୍ପର୍କରେ ନିଜ ନିଜର ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ।

Leave A Reply

Your email address will not be published.