- କଲେଜ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ପ୍ରସଙ୍ଗ
- ଶିକ୍ଷା ବ୍ୟବସ୍ଥାର ଅବନତି ପାଇଁ ରାଜ୍ୟ ସରକାରଙ୍କର ତୋଗଲକି ନୀତି ଦାୟୀ: ବିଜେଡି
- ଶିକ୍ଷାନୁଷ୍ଠାନରେ ବିଜେପି ନେତାଙ୍କ ଅନାବଶ୍ୟକ ହସ୍ତକ୍ଷେପ ଯୋଗୁ, ଶୈକ୍ଷିକ ବାତାବରଣ ନଷ୍ଟ ହୋଇଛି
- ‘ଜେନ-ଜି’ଙ୍କ ପ୍ରତି ସରକାରଙ୍କ ଆଭିମୁଖ୍ୟ ଯଥାର୍ଥ ନୁହଁ
- ଶିକ୍ଷକ ଓ କର୍ମଚାରୀମାନଙ୍କ ପାଇଁ ବାୟୋମେଟ୍ରିକ ଉପସ୍ଥାନ ନଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ କରିବା କେତେ ଯୁକ୍ତିଯୁକ୍ତ?
ଭୁବନେଶ୍ୱର, ୨୭/୦୮/୨୦୨୬: ରାଜ୍ୟର ମହାବିଦ୍ୟାଳୟ ଗୁଡିକରେ ପରୀକ୍ଷାମୂଳକ ଭାବେ ଛାତ୍ରଛାତ୍ରୀ ମାନଙ୍କର ବାୟୋମେଟ୍ରିକ ଉପସ୍ଥାନ (ଜୈବିକ ପରିଚୟ ଆଧାରିତ ଉପସ୍ଥାନ) କରାଯିବ ବୋଲି ରାଜ୍ୟ ସରକାରଙ୍କ ଘୋଷଣାକୁ ତୀବ୍ର ସମାଲୋଚନା କରିଛି ବିଜୁ ଜନତା ଦଳ । ବିଜେପି ସରକାରଙ୍କ ଗତ ଦୁଇ ବର୍ଷର ଶାସନରେ ରାଜ୍ୟର ମହାବିଦ୍ୟାଳୟ ଗୁଡିକରେ ଶୈକ୍ଷିକ ବାତାବରଣ ନଷ୍ଟ ହୋଇଛି ଓ ଛାତ୍ରଛାତ୍ରୀ ମାନଙ୍କର ମୌଳିକ ଆବଶ୍ୟକତା ପୂରଣ ହୋଇପାରି ନଥିବା ବେଳେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଆରମ୍ଭ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ବିଜେଡି ପ୍ରଶ୍ନ କରିଛି ।
ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ.ଲେନିନ ମହାନ୍ତି ରାଜ୍ୟ ସରକାରଙ୍କ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ପ୍ରସ୍ତାବ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି । ରାଜ୍ୟରେ ମହାବିଦ୍ୟାଳୟ ଗୁଡିକରେ ଶୈକ୍ଷିକ ବାତାବରଣ ନଷ୍ଟ ହୋଇଛି । ବିଜେପିର ନେତାମାନେ କଲେଜ ପରିଚାଳନାରେ ଅନାବଶ୍ୟକ ହସ୍ତକ୍ଷେପ କରୁଛନ୍ତି । ରାଜ୍ୟ ସରକାର ଛାତ୍ରଛାତ୍ରୀ ମାନଙ୍କ ମୌଳିକ ଆବଶ୍ୟକତା ପୂରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଆବଶ୍ୟକ ସଂଖ୍ୟକ ଅଧ୍ୟାପକ, ପାଠ୍ୟ ପୁସ୍ତକ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହୋଇପାରୁନାହିଁ ।
ରାଜ୍ୟର ମହାବିଦ୍ୟାଳୟ ଗୁଡିକରେ ଅଧ୍ୟାପକ ଓ କର୍ମଚାରୀମାନଙ୍କ ପାଇଁ ଏପର୍ଯ୍ୟନ୍ତ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଆରମ୍ଭ ହୋଇନାହିଁ । ଏହି ପରିପ୍ରେକ୍ଷୀରେ, ଛାତ୍ରଛାତ୍ରୀ ମାନଙ୍କ ପାଇଁ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦେବା ରାଜ୍ୟ ସରକାରଙ୍କର ତୋଗଲକି ନୀତିର ପରିଚୟ । ରାଜ୍ୟ ସରକାର ରାଜ୍ୟରେ କେଜିରୁ ପିଜି ମାଗଣା ଶିକ୍ଷା କଥା ଘୋଷଣା କଲେ । କିନ୍ତୁ, ଏନେଇ କୌଣସି ସ୍ପଷ୍ଟ ନିଦେ୍ର୍ଦଶ ଶିକ୍ଷାନୁଷ୍ଠାନ ଗୁଡିକୁ ଦିଆଯାଇନାହିଁ, ଯେଉଁ କାରଣରୁ ଅନେକ ଶିକ୍ଷା ଅନୁଷ୍ଠାନ ଗୁଡିକରେ ଛାତ୍ରଛାତ୍ରୀ ମାନଙ୍କ ଠାରୁ ଫି ଆଦାୟ କରାଯାଉଛି । ଏହାଛଡା ଅନେକ ଶିକ୍ଷା ଅନୁଷ୍ଠାନରେ ସେଲ୍ଫ ଫାଇନାନ୍ସ (ନିଜସ୍ୱ ପାଣ୍ଠି) ବ୍ୟବସ୍ଥାରେ ଶିକ୍ଷା ପ୍ରଦାନ କରାଯାଉଛି । ଏହି ବ୍ୟବସ୍ଥାରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ମାନଙ୍କୁ ମାଗଣା ଶିକ୍ଷା ବ୍ୟବସ୍ଥାରେ ସାମିଲ କରାଯିବ କି ନାହିଁ, ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ ।
ରାଜ୍ୟ ସରକାର ନିଜର ଅପାରଗତା ଲୁଚାଇବାକୁ ଯାଇ ଛାତ୍ରଛାତ୍ରୀଙ୍କ ବାୟୋମେଟି୍ରକ ଉପସ୍ଥାନ କଥା କହୁଛନ୍ତି । ଶୃଙ୍ଖଳା ଆଳରେ ଛାତ୍ରଛାତ୍ରୀମାନଙ୍କୁ ଡରାଇବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । ‘ଜେନ୍-ଜି’ଙ୍କ ପ୍ରତି ସରକାରଙ୍କ ଏହି ଆଭିମୁଖ୍ୟ ଯଥାର୍ଥ ନୁହଁ । ରାଜ୍ୟ ବିଜେପି ସରକାରଙ୍କର ତୋଗଲକି ନୀତି ସକାଶେ ଶିକ୍ଷା ବ୍ୟବସ୍ଥାର ଦ୍ରୁତ ଅବନତି ଘଟିଛି ବୋଲି ଡ. ମହାନ୍ତି ଅଭିଯୋଗ କରିଥିଲେ ।