ଥାନା ଓ ବ୍ଲକ୍ ମାନ୍ୟତା ଦାବି ଦୃଢ଼
ଓଡ଼ଗାଁ,୨୭।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନାର ପୁରାତନ ଓ ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ବାହାଡ଼ାଝୋଲାକୁ ପୂର୍ଣ୍ଣାଙ୍ଗ ପୋଲିସ ଥାନା ଏବଂ ସ୍ୱତନ୍ତ୍ର ବ୍ଲକ୍ ମାନ୍ୟତା ପ୍ରଦାନ ପାଇଁ ଦିନକୁଦିନ ଦାବି ଜୋରଦାର ହୋଇଛି। ସ୍ଥାନୀୟ ତଥ୍ୟ ଅନୁଯାୟୀ, ୧୯୦୬ ମସିହାରୁ ବାହାଡ଼ାଝୋଲାରେ ହାଟ ଚାଲି ଆସୁଥିବାବେଳେ ଏହାକୁ କେନ୍ଦ୍ର କରି ଅଞ୍ଚଳର ବାଣିଜ୍ୟିକ ଗୁରୁତ୍ୱ କ୍ରମେ ବୃଦ୍ଧି ପାଇଛି। ତେବେ ନିୟନ୍ତ୍ରିତ ବଜାର କମିଟି, ବାହାଡ଼ାଝୋଲାର ମୁଖ୍ୟ ଅଫିସ ନୟାଗଡ଼ ଠାରେ କାର୍ଯ୍ୟକରିବା ଫଳରେ ବ୍ଳକ କ୍ରିୟାନୁଷ୍ଠାନ କମିଟି କ୍ଷୋଭ ପ୍ରକାଶ କରିଛି। କାରଣ ବାହାଡ଼ାଝୋଲାର କଳେବର ବୃଦ୍ଧିରେ ନିୟନ୍ତ୍ରିତ ବଜାର କମିଟି ଅନ୍ୟ ଏକ ଗୁରୁତ୍ୱ ବହନ କରିପାରନ୍ତା । ବର୍ତ୍ତମାନ ବାହାଡ଼ାଝୋଲା କେବଳ ବାଣିଜ୍ୟିକ କେନ୍ଦ୍ର ନୁହେଁ, ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟାଙ୍କିଙ୍ଗ, ଯାତାୟାତ ସମେତ ବିଭିନ୍ନ ଆବଶ୍ୟକ ସେବା ପାଇଁ ଆଖପାଖ ଅଞ୍ଚଳର ଲୋକଙ୍କ ଏକ ପ୍ରମୁଖ ନିର୍ଭରଶୀଳ କେନ୍ଦ୍ର ପାଲଟିଛି। ଏପରି ସ୍ଥିତିରେ ଏଠାରେ ଥିବା ପୋଲିସ ଆଉଟ୍ପୋଷ୍ଟକୁ ପୂର୍ଣ୍ଣାଙ୍ଗ ଥାନାରେ ଉନ୍ନୀତ କରିବାକୁ ଦାବି ହୋଇଛି।
ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଓଡ଼ଗାଁ ଥାନା ବାହାଡ଼ାଝୋଲାଠାରୁ ପ୍ରାୟ ୧୨ କିଲୋମିଟର ଦୂରରେ ଥିବାରୁ ଜରୁରୀ ପରିସ୍ଥିତିରେ ତୁରନ୍ତ ପୋଲିସ ସେବା ପହଞ୍ଚିବାରେ ଦୂରତା ବାଧକ ସାଜୁଛି । ତେଣୁ ଆଇନଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ, ସଡ଼କ ଦୁର୍ଘଟଣା ଓ ଅନ୍ୟାନ୍ୟ ଜରୁରୀ ପରିସ୍ଥିତିରେ ତ୍ୱରିତ ପୋଲିସ ସେବା ଯୋଗାଇବା ପାଇଁ ଆଉଟ୍ପୋଷ୍ଟକୁ ପୂର୍ଣ୍ଣାଙ୍ଗ ଥାନାରେ ପରିଣତ କରିବାକୁ ଦାବି ହୋଇଛି। ଏଥିସହ ବାହାଡ଼ାଝୋଲାକୁ ସ୍ୱତନ୍ତ୍ର ବ୍ଲକ୍ ଭାବେ ଗଠନ କରିବାକୁ ମଧ୍ୟ ବ୍ଳକ କ୍ରିୟାନୁଷ୍ଠାନ କମିଟି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କ୍ଷେତ୍ରରେ ଦାବି ଉପସ୍ଥାନ କରିଚାଲିଛି । ସ୍ୱତନ୍ତ୍ର ବ୍ଲକ୍ ଗଠନ ହେଲେ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଗ୍ରାମୀଣ ବିକାଶ, ରାସ୍ତାଘାଟ, ପାନୀୟଜଳ ଓ ରୋଜଗାରମୁଖୀ ଯୋଜନା ସମେତ ବିଭିନ୍ନ ସରକାରୀ ସେବା ଲୋକଙ୍କ ନିକଟରେ ଅଧିକ ସୁବ୍ୟବସ୍ଥିତ ଭାବେ ପହଞ୍ଚିପାରିବ । ସ୍ଥାନୀୟ ଇତିହାସରେ ସ୍ୱାଧୀନତା ପୂର୍ବରୁ ବାହାଡ଼ାଝୋଲାରେ ପୂର୍ଣ୍ଣାଙ୍ଗ ଥାନା ଥିବାର ଉଲ୍ଲେଖ ମିଳୁଥିବା ଦାବି କରାଯାଇଛି। ତେଣୁ ବର୍ତ୍ତମାନର ଜନସଂଖ୍ୟା ବୃଦ୍ଧି, ବ୍ୟବସାୟିକ କାର୍ଯ୍ୟକଳାପ ଓ ଯାତାୟାତର ବିସ୍ତାରକୁ ଦୃଷ୍ଟିରେ ରଖି ପୁଣିଥରେ ପୂର୍ଣ୍ଣାଙ୍ଗ ଥାନା ସ୍ଥାପନ ସହ ସ୍ୱତନ୍ତ୍ର ବ୍ଲକ୍ ଗଠନ ପାଇଁ ସରକାର ଆବଶ୍ୟକ ସର୍ଭେ ଓ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ କରିବାକୁ ଦଳମତ ନିର୍ବିଶେଷରେ ଦାବି ଯୋର ଧରିଛି। ସମୟୋପଯୋଗୀ ପ୍ରଶାସନିକ ସୁବିଧା ସହ ଅଞ୍ଚଳର ବିକାଶ ପାଇଁ ଏହା ଏକ ଯୁକ୍ତିସଙ୍ଗତ ଦାବି ହୋଇଥିବାରୁ ।୧୯୦୬ର ଐତିହାସିକ ହାଟରୁ ଆଜିର ବିକଶିତ ବାଣିଜ୍ୟିକ କେନ୍ଦ୍ରରେ ପରିଣତ ବାହାଡ଼ାଝୋଲାର ସୁରକ୍ଷା, ପ୍ରଶାସନିକ ସୁବିଧା ଓ ସାମଗ୍ରିକ ବିକାଶ ଦୃଷ୍ଟିରୁ ସରକାର ଏହି ଦାବିକୁ ଗୁରୁତ୍ୱର ସହ ବିଚାର କରନ୍ତୁ ବୋଲି ସ୍ଥାନୀୟ ମହଲରେ ମତ ପ୍ରକାଶ ପାଇଛି।