ଓଡ଼ଗାଁରେ ‘ଖେଳ ଇଣ୍ଡିଆ ସମ୍ବାଦ’ : ଯୁବ ପ୍ରତିଭାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭର୍ଚୁଆଲ୍ ସାକ୍ଷାତ୍‌କାର

5


ଓଡ଼ଗାଁ,୨୭।୮(ଶ୍ରୀକାନ୍ତ କୁମାର ମିଶ୍ର):
ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ଡିଗ୍ରୀ ମହାବିଦ୍ୟାଳୟ, ଓଡ଼ଗାଁରେ ଯୁବ କନେକ୍ଟ କାର୍ଯ୍ୟକ୍ରମ ଅଧୀନରେ ‘ଖେଳ ଇଣ୍ଡିଆ ସମ୍ବାଦ–ଖେଳର କଥା, ପ୍ରଧାନମନ୍ତ୍ରୀଙ୍କ ସହ’ କାର୍ଯ୍ୟକ୍ରମ ଉତ୍ସାହର ସହ ଆୟୋଜିତ ହୋଇଛି। ଏଥିରେ ପ୍ରାୟ ୪୦ ଜଣ ଯୁବକ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜକିଶୋର ସାହୁ ଏବଂ ସମ୍ମାନିତ ଅତିଥି ଭାବେ ଡ଼. ଚିତ୍ତରଞ୍ଜନ ଦାଶ ଯୋଗଦେଇଥିଲେ। କ୍ରୀଡ଼ା ବ୍ୟକ୍ତିତ୍ୱ ଦିବାକର ନାୟକ ଓ କୁମାରୀ ବର୍ଷାରାଣୀ ସାହୁ ଯୁବମାନଙ୍କ ସହ କ୍ରୀଡ଼ା ଓ ଯୁବ ପ୍ରତିଭାର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ମଡରେଟର ସୌମ୍ୟା ସ୍ୱୟଂପ୍ରଭା ଓ ଜନସିନ୍‌ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମାଇ ଭାରତ ସ୍ୱେଚ୍ଛାସେବକ ଆଶୁତୋଷ ସାହୁ ଓ ବର୍ଷା ପ୍ରିୟଦର୍ଶିନୀ ପ୍ରଧାନ ସମନ୍ୱୟରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଯୁବମାନଙ୍କ ଭର୍ଚୁଆଲ୍ ସାକ୍ଷାତ୍‌କାର। ପ୍ରଧାନମନ୍ତ୍ରୀ ଯୁବପିଢ଼ିଙ୍କୁ କ୍ରୀଡ଼ା ପ୍ରତି ଆଗ୍ରହ ବଢ଼ାଇବା, ନିଜ ପ୍ରତିଭାର ବିକାଶ କରିବା ଏବଂ ଦେଶର ଉନ୍ନତିରେ ଯୁବଶକ୍ତିର ଭୂମିକା ବଢ଼ାଇବା ପାଇଁ ପ୍ରେରଣା ଦେଇଥିଲେ। ଏହି ଅବସରରେ ଯୁବମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ଶୃଙ୍ଖଳା, ଆତ୍ମବିଶ୍ୱାସ ଓ ଦେଶପ୍ରେମର ଭାବନାକୁ ଆହୁରି ମଜବୁତ କରିବାର ବାର୍ତ୍ତା ଦିଆଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାଦାୟକ ସମ୍ବୋଧନ ଯୁବମାନଙ୍କୁ ଉତ୍ସାହିତ କରିଥିଲା।

Leave A Reply

Your email address will not be published.