ଅଭିଯୋଗକାରୀ ଗଞ୍ଜେଇ ଚୋରାଚାଲାଣରେ ଗିରଫ

5


କନ୍ଧମାଳରୁ ଭୁବନେଶ୍ୱର ଚାଲାଣ ବେଳେ ବୁଗୁଡ଼ା ଅବକାରୀ ବିଭାଗର କାର୍ଯ୍ୟାନୁଷ୍ଠାନ


ଓଡ଼ଗାଁ, ୨୭।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳ ନିକଟସ୍ଥ ଧଝୋଲା ଗ୍ରାମର ଭିକାରୀ ଚରଣ ନାୟକ (୪୨) ଗଞ୍ଜାଇ ଚୋରାଚାଲାଣ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅବକାରୀ ବିଭାଗ ଦ୍ୱାରା ଗିରଫ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତ ୧୨ ତାରିଖ ବିଳମ୍ବିତ ରାତିରୁ ୧୩ ତାରିଖ ପ୍ରାୟ ରାତି ୧ଟା ସମୟରେ ଧଝୋଲାସ୍ଥିତ ଭିକାରୀଙ୍କ ଘରର ବାରିପଟ କବାଟ ତାଡ଼ି ଦୁର୍ବୃତ୍ତମାନେ ଘରେ ପଶି ଭୟଭୀତ କରି ଲୁଟ୍‌ କରିଥିବା ନେଇ ସେ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ ୨୭୪/୨୬ରେ ମାମଲା ରୁଜୁ କରି ତଦନ୍ତ ଚଳାଇବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଭିଯୋଗରେ ଭିକାରୀଙ୍କ ଘରୁ ନଗଦ ୬୦ ହଜାର ଟଙ୍କା ସମେତ ବିଭିନ୍ନ ସୁନା ଅଳଙ୍କାର ଓ ରୂପା ପାଉଁଜି ଚୋରି ହୋଇଥିବା ଦର୍ଶାଯାଇଥିଲା। ଏବେ ସେହି ଅଭିଯୋଗକାରୀ ଭିକାରୀ ନାୟକ ଗଞ୍ଜେଇ ଚୋରାଚାଲାଣ ମାମଲାରେ ଗିରଫ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଚୋରି ମାମଲାରେ ଦିଆଯାଇଥିବା ସମ୍ପତ୍ତି ସମ୍ପର୍କିତ ଅଭିଯୋଗ ଓ ବର୍ତ୍ତମାନର ଗିରଫ ଘଟଣା ମଧ୍ୟରେ କୌଣସି ସମ୍ପର୍କ ରହିଛି କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଆଲୋଚନା ଜୋର ଧରିଛି।

Leave A Reply

Your email address will not be published.