ଅଜୟଗଡ଼ରେ ମେଗା ଜନ ଅଭିଯୋଗ ଶୁଣାଣୀ: ୧୫୦୦ରୁ ଅଧିକ ଜନସାଧାରଣଙ୍କ ଉପସ୍ଥିତି

9

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଅଜୟଗଡ଼ଠାରେ ଏକ ବୃହତ୍ ମେଗା ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଜୟଗଡ଼ ଓ ଏହାର ନିକଟବର୍ତ୍ତୀ ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟକ ଲୋକ ଏହି ଶୁଣାଣୀରେ ଯୋଗଦେଇ ନିଜ ନିଜ ସମସ୍ୟା ଓ ଅଭିଯୋଗ ଜଣାଇଥିଲେ।
କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ , ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁଲେରାମ ମାରାଣ୍ଡି , ଗୁମ୍ମା ତହସିଲଦାରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ।
ଏହି ମେଗା ଜନ ଅଭିଯୋଗ ଶୁଣାଣୀରେ ଅଜୟଗଡ଼ ନିକଟବର୍ତ୍ତୀ ଅଞ୍ଚଳରୁ ୧୫୦୦ରୁ ଅଧିକ ଜନସାଧାରଣ ଯୋଗଦେଇଥିବା ଜଣାପଡ଼ିଛି। ଲୋକମାନେ ରାସ୍ତା , ପାନୀୟ ଜଳ , ଆବାସ , ଜମିଜମା , ଶିକ୍ଷା , ସ୍ୱାସ୍ଥ୍ୟ , ଭତ୍ତା ଓ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କିତ ସମସ୍ୟା ଅଧିକାରୀ ଓ ବିଧାୟକଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ।
ବିଧାୟକ ରୂପେଶ ପାଣିଗ୍ରାହୀ ଲୋକଙ୍କ ଅଭିଯୋଗଗୁଡ଼ିକୁ ଗୁରୁତ୍ୱର ସହ ଶୁଣିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ ଦିଗରେ ପଦକ୍ଷେପ ନେବାକୁ କହିଥିଲେ। ଗ୍ରାମାଞ୍ଚଳର ଲୋକଙ୍କ ନିକଟରେ ପ୍ରଶାସନ ପହଞ୍ଚି ସେମାନଙ୍କ ସମସ୍ୟା ଶୁଣୁଥିବାରୁ ଏହି ଜନ ଅଭିଯୋଗ ଶୁଣାଣୀକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି।
ଗୁମ୍ମା ବ୍ଲକରେ ଏଭଳି ଜନମୁଖୀ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିଲେ ଦୂରଦୂରାନ୍ତର ଲୋକମାନେ ନିଜ ସମସ୍ୟାର ସମାଧାନ ପାଇବାରେ ଅଧିକ ସୁବିଧା ପାଇବେ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.