ରାକ୍ଷୀରେ ନିଆରା ସଂକଳ୍ପ, ନିଶାମୁକ୍ତ ଗାଁ ଗଢ଼ିବାକୁ ଶପଥ

38

ବିଜେପୁର: ସୁଶାନ୍ତ ସାହୁ( ଶାସକ ପ୍ରଶାସକ) ରାକ୍ଷୀ ପୂର୍ଣ୍ଣିମାରେ ଭାଇ-ଭଉଣୀଙ୍କ ସମ୍ପର୍କର ପବିତ୍ର ବନ୍ଧନ ସହ ଯୋଡ଼ି ହୋଇଛି ଏକ ସାମାଜିକ ସଚେତନତାର ଅଭିଯାନ। ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ତାଳପଦର ଗ୍ରାମରେ ସରସ୍ୱତୀ ଶିଶୁମନ୍ଦିର ଓ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ପ୍ରୟାସରେ ‘ନିଶା ନିବାରଣ ବ୍ରତ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ନିଶା ବିରୋଧରେ ଗାଁରେ ଏକତ୍ରିତ ହୋଇଥିଲେ ସ୍ୱୟଂ ସହାୟକ ମହିଳା, ଛାତ୍ରଛାତ୍ରୀ, ଗୁରୁଜୀ-ଗୁରୁମା ଓ ଗ୍ରାମବାସୀ। ହାତରେ ରାକ୍ଷୀ ବାନ୍ଧି ନିଶାଠାରୁ ଦୂରେଇ ରହିବା ସହ ଗାଁକୁ ନିଶାମୁକ୍ତ କରିବା ପାଇଁ ସମସ୍ତେ ଶପଥ ନେଇଥିଲେ। ଏହାପରେ ନିଶା ବିରୋଧୀ ବାର୍ତ୍ତା ନେଇ ଗ୍ରାମ ପରିକ୍ରମା କରାଯାଇଥିଲା।“ରାକ୍ଷୀ ବାନ୍ଧି ଶପଥ ନେବା, ନିଶାକୁ ଆମେ ଦୂରେଇ ଦେବା”, “ରାକ୍ଷୀ ବାନ୍ଧିବା, ନିଶା ଛାଡ଼ିବା, ସୁସ୍ଥ ସମାଜ ଆମେ ଗଢ଼ିବା” ଓ “ରାକ୍ଷୀ ବାନ୍ଧି ଆମେ ଶପଥ ନେବା, ଗାଁକୁ ଆମେ ନିଶାମୁକ୍ତ କରିବା” ଭଳି ନାରାରେ ତାଳପଦର ଗାଁର ପରିବେଶ ପ୍ରକମ୍ପିତ ହୋଇଥିଲା।କାର୍ଯ୍ୟକ୍ରମରେ ସରସ୍ୱତୀ ଶିଶୁମନ୍ଦିରର ଗୁରୁଜୀ ପୁରନ୍ଦର ସାହୁ କହିଥିଲେ, “ନିଶା ଆଜି ସମାଜ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ।

ଏହାର କୁପ୍ରଭାବରୁ ପରିବାରକୁ ରକ୍ଷା କରିବାକୁ ହେଲେ ନିଶା ବିରୋଧରେ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ। ରାକ୍ଷୀର ଏହି ପବିତ୍ର ଦିନରେ ନିଶାକୁ ଦୂରେଇ ରଖିବାର ଶପଥ ଏକ ସୁସ୍ଥ ସମାଜ ଗଠନର ଆରମ୍ଭ ହେଉ।”ଏହି ଅଭିଯାନରେ ମହିଳାମାନଙ୍କ ସକ୍ରିୟ ଭୂମିକା ବିଶେଷ ଆକର୍ଷଣ ପାଲଟିଥିଲା। ରାକ୍ଷୀ ବାନ୍ଧିବା ସହ ନିଶା ବିରୋଧରେ ସଚେତନତାର ବାର୍ତ୍ତା ଘରେ ଘରେ ପହଞ୍ଚାଇବାକୁ ଆହ୍ୱାନ ଦିଆଯାଇଥିଲା।ରାକ୍ଷୀ ପୂର୍ଣ୍ଣିମାରେ ଏଭଳି ନିଆରା ପ୍ରୟାସ ମାଧ୍ୟମରେ “ନିଶା ଛାଡ଼ିବା, ପରିବାର ବଞ୍ଚାଇବା ଓ ସୁସ୍ଥ ସମାଜ ଗଢ଼ିବା”ର ବାର୍ତ୍ତା ତାଳପଦର ଗ୍ରାମବାସୀଙ୍କ ପକ୍ଷରୁ ଦିଆଯାଇଛି।

Leave A Reply

Your email address will not be published.