ଶିଶୁ ଭିକ୍ଷାବୃତ୍ତି ଓ ଚାଲାଣ ନିବାରଣ ସହ ପୁନର୍ବାସ ଉପରେ ଗୁରୁତ୍ୱ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ଶିଶୁ ଶ୍ରମିକ, ବାଲ୍ୟବିବାହ, ଶିଶୁ ଭିକ୍ଷାବୃତ୍ତି ଓ ଶିଶୁ ଚାଲାଣ ଭଳି ଗୁରୁତର ସମସ୍ୟାର ନିରାକରଣ ସହ ଶିଶୁଙ୍କ ଅଧିକାର ଓ ସୁରକ୍ଷା ନିଶ୍ଚିତ କରିବା ନେଇ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଭବାନୀପାଟଣାସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଜିଲ୍ଲା ପ୍ରଶାସନ ଓ କର୍ତ୍ତବ୍ୟ ଅନୁଷ୍ଠାନର ମିଳିତ ସହଯୋଗରେ ଆୟୋଜିତ ଏହି କର୍ମଶାଳାରେ ଶିଶୁ ସୁରକ୍ଷା ପାଇଁ ସମନ୍ୱିତ କାର୍ଯ୍ୟ ଯୋଜନା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗଦେଇଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ନିହାରେନ୍ଦ୍ର ପଣ୍ଡା, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ମହାନ୍ତି ଏବଂ କର୍ତ୍ତବ୍ୟ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଶୋକ କୁମାର ପଟ୍ଟନାଏକ ପ୍ରମୁଖ ମଞ୍ଚାସୀନ ଥିଲେ।
କର୍ମଶାଳାରେ ୟୁନିସେଫ ଭୁବନେଶ୍ୱରର ପରାମର୍ଶଦାତା ଘାସିରାମ ପଣ୍ଡା, ଶିକ୍ଷାବିତ୍ ତଥା ଶିଶୁ ମଙ୍ଗଳ ସମିତିର ପୂର୍ବତନ ଅଧ୍ୟକ୍ଷ ଡାକ୍ତର ଅଜୟ କୁମାର ମିଶ୍ର ଓ ବଲାଙ୍ଗୀରର ପୂର୍ବତନ ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ ପ୍ରମୁଖ ତାଲିମଦାତା ଭାବେ ଯୋଗଦେଇଥିଲେ।
ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବାଲ୍ୟବିବାହ ଏବଂ ଶିଶୁ ଶ୍ରମ ବିରୋଧରେ ବ୍ୟାପକ ସଚେତନତା ସୃଷ୍ଟି, ଭିକ୍ଷାବୃତ୍ତି ଓ ଶ୍ରମରେ ନିୟୋଜିତ ଶିଶୁଙ୍କୁ ଉଦ୍ଧାର କରି ସୁରକ୍ଷା, ଶିକ୍ଷା ଓ ପୁନର୍ବାସ ପ୍ରଦାନ ଉପରେ ଆଲୋଚନା ହୋଇଥିଲା। ଶିଶୁ ଅଧିକାର ଉଲ୍ଲଂଘନକାରୀ ଓ ଶିଶୁଙ୍କୁ ଶ୍ରମରେ ନିୟୋଜିତ କରୁଥିବା ନିଯୋଜକଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ନେବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

ଏଥିସହ ଶିଶୁ ସୁରକ୍ଷା ହେଲ୍ପଲାଇନ ୧୦୯୮ର ବ୍ୟବହାର, ନିର୍ମାଣ ଶ୍ରମିକ କାର୍ଡଧାରୀଙ୍କ ପିଲାଙ୍କ ଶିକ୍ଷା ପାଇଁ ସରକାରୀ ଯୋଜନାର ସୁଯୋଗ, ପ୍ରେରଣା କେନ୍ଦ୍ରର କାର୍ଯ୍ୟକାରିତା, ଶିଶୁ ସ୍ୱାସ୍ଥ୍ୟ, ବାଲ୍ୟବିବାହ ମୁକ୍ତ ଭାରତ, ମାନବ ଚାଲାଣ ନିବାରଣ, ଶିଶୁ ମଙ୍ଗଳ ସମିତି ଓ ଶିଶୁ ସୁରକ୍ଷା ସମିତିର ଭୂମିକା ସମ୍ପର୍କରେ ସଚେତନ କରାଯାଇଥିଲା।
ଶିଶୁଙ୍କୁ ଆଇନ ଓ ନ୍ୟାୟର ସୁଯୋଗ ପ୍ରଦାନ ସହ ୨୪ ଘଣ୍ଟିଆ ଜରୁରୀକାଳୀନ ଯତ୍ନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଶିଶୁ ସୁରକ୍ଷା ଦିଗରେ ଜିଲ୍ଲା ଶିଶୁ ସୁରକ୍ଷା ସମିତି, ପୁଲିସ, ଶ୍ରମ ବିଭାଗ, ମହିଳା ଓ ଶିଶୁ ବିକାଶ ବିଭାଗ, ଶିକ୍ଷା ବିଭାଗ ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ମତପ୍ରକାଶ ପାଇଥିଲା।
କର୍ମଶାଳାରେ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମକର୍ତ୍ତା, ଶିଶୁ ମଙ୍ଗଳ ସମିତି, କିଶୋର ନ୍ୟାୟ ବୋର୍ଡ, ଗ୍ରାମ ଓ ପଞ୍ଚାୟତ ଶିଶୁ ସୁରକ୍ଷା ସମିତି ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିମାନେ ଯୋଗଦେଇଥିଲେ। ଉପସ୍ଥିତ ଅଂଶଗ୍ରହଣକାରୀମାନେ ବିଭିନ୍ନ ସମସ୍ୟା ଉପରେ ପ୍ରଶ୍ନ କରି ସମାଧାନ ନେଇ ଆଲୋଚନା କରିଥିଲେ।
କର୍ତ୍ତବ୍ୟ ଅନୁଷ୍ଠାନର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅଶୋକ କୁମାର ପଟ୍ଟନାଏକ ଧନ୍ୟବାଦ ଅର୍ପଣ କରିବା ପରେ କର୍ମଶାଳା ସମାପ୍ତ ହୋଇଥିଲା।