ଶିଶୁଙ୍କ ଅଧିକାର ଓ ସୁରକ୍ଷା ସହ ବାଲ୍ୟବିବାହ ରୋକିବା ଉପରେ ଗୁରୁତ୍ୱ
ଓଡ଼ଗାଁ, ୨୫।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସଭାଗୃହରେ ‘ବେଟି ବଚାଓ, ବେଟି ପଢ଼ାଓ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଶିଶୁଙ୍କ ଅଧିକାର, ସୁରକ୍ଷା ଓ ବାଲ୍ୟବିବାହ ରୋକିବା ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଓ ଅନ୍ୟ ପ୍ରତିନିଧିଙ୍କ ସହ ବିଡିଓ ପ୍ରୀତିବାଳା ରଣା, ଶିଶୁ ବିକାଶ ଅଧିକାରୀ ଲହଡ଼ିମାଳା ପ୍ରଧାନ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ୱିନୀ ପ୍ରଧାନ ପ୍ରମୁଖ ଯୋଗଦେଇ ଶିଶୁ ସୁରକ୍ଷା ଓ ବାଲ୍ୟବିବାହ ନିରୋଧ ଉପରେ ଆଲୋଚନା କରିଥିଲେ। ଆଲୋଚନା ଅନୁଯାୟୀ ପ୍ରତି ଗ୍ରାମରେ ଗ୍ରାମସ୍ତରୀୟ ଶିଶୁ ସୁରକ୍ଷା କମିଟି ଗଠନ କରାଯିବ। ୱାର୍ଡ ସଦସ୍ୟ କମିଟିର ଅଧ୍ୟକ୍ଷ ରହିବା ସହ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ସଦସ୍ୟା ଏବଂ କିଶୋର-କିଶୋରୀଙ୍କ ପ୍ରତିନିଧି କମିଟିରେ ସଦସ୍ୟ ରହିବେ। ସେହିପରି ପଞ୍ଚାୟତସ୍ତରୀୟ କମିଟିର ଅଧ୍ୟକ୍ଷ ସରପଞ୍ଚ ଓ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସଞ୍ଚାଳନ ଦାୟିତ୍ୱ ତୁଲାଇବେ। ଜଣେ କିଶୋର, ଜଣେ କିଶୋରୀ, ସକ୍ରିୟ ଅଙ୍ଗନବାଡ଼ି କର୍ମୀ, ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ଓ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ କମିଟିର ସଦସ୍ୟ ଭାବେ ସାମିଲ କରାଯିବ। ପ୍ରତି ତିନି ମାସରେ କମିଟି ବୈଠକ ଅନୁଷ୍ଠିତ ହେବ। ଏଥିରେ ଶିଶୁଙ୍କ ଅଧିକାର ଓ ସୁରକ୍ଷା, ବାଲ୍ୟବିବାହ ରୋକିବା ଏବଂ ଏ ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇ ବୈଠକର ବିବରଣୀ ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀଙ୍କ ନିକଟକୁ ପଠାଯିବ। ଗ୍ରାମସ୍ତରରେ ମଧ୍ୟ ଏହିପରି ବୈଠକର ବିବରଣୀ ବ୍ଲକକୁ ପଠାଇବା ନେଇ ନିଷ୍ପତ୍ତି ହୋଇଥିଲା।