ଓଡ଼ିଶାର ସର୍ବଶ୍ରେଷ୍ଠ ଏନ୍‌ଏସି ଭାବେ ଓଡ଼ଗାଁ ଏନ୍‌ଏସିକୁ ମିଳିବ ସମ୍ମାନ

8


ପୁରସ୍କାର ବାବଦରେ ମିଳିବ ୨ କୋଟି ଟଙ୍କା


ଓଡ଼ଗାଁ, ୨୫।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ସମଗ୍ର ଓଡ଼ିଶାରେ ସ୍ଥାନୀୟ ରାଜସ୍ୱ ଆୟ ଅଭିବୃଦ୍ଧି ଓ ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରି ସର୍ବଶ୍ରେଷ୍ଠ ଏନ୍‌ଏସି ଭାବେ ମାନ୍ୟତା ହାସଲ କରିଛି। ଏଥିପାଇଁ ଓଡ଼ଗାଁ ଏନ୍‌ଏସିକୁ ୨ କୋଟି ଟଙ୍କାର ଅର୍ଥରାଶି ପୁରସ୍କାର ପ୍ରଦାନ କରାଯିବ।
ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ଘୋଷଣା ହୋଇଛି। ଆସନ୍ତା ୩୧ ତାରିଖରେ ସ୍ୱାୟତ୍ତ ଶାସନ ଦିବସ-୨୦୨୬ ପାଳନ ଅବସରରେ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୃଷି ଶିକ୍ଷା ସଦନ ଅଡିଟୋରିୟମରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ଓଡ଼ଗାଁ ଏନ୍‌ଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରସ୍କାର ଅର୍ଥରାଶି ଗ୍ରହଣ କରିବେ। ଶ୍ରେଷ୍ଠ ପ୍ରଦର୍ଶନକାରୀ ସହରାଞ୍ଚଳ ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥାଗୁଡ଼ିକୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରତିବର୍ଷ ପୁରସ୍କୃତ କରାଯାଉଥିବା ବେଳେ ଏଥର ଓଡ଼ଗାଁ ଏନ୍‌ଏସି ଓଡ଼ିଶାରେ ସର୍ବୋତ୍ତମ ସ୍ଥାନ ଅଧିକାର କରିଛି। ଏହି ସଫଳତାର ଶ୍ରେୟ ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ସମସ୍ତ ସହରବାସୀଙ୍କୁ ଉତ୍ସର୍ଗ କରିଛନ୍ତି। ଏବଂ ଉକ୍ତ ପୁରସ୍କାର ଅର୍ଥରେ ମଧ୍ୟ ଓଡ଼ଗାଁ ଏନ୍ଏସିର ବିକାଶ କାର୍ଯ୍ୟରେ ବ୍ୟବହୃତ କରାଯିବ । ସହରବାସୀଙ୍କ ସହଯୋଗ ଓ ସମର୍ଥନ ଆଗାମୀ ଦିନରେ ମଧ୍ୟ ଅତୁଟ ରହିଲେ ଓଡ଼ଗାଁ ଏନ୍‌ଏସି ଅଞ୍ଚଳର ବିକାଶ ସହିତ ଲୋକଙ୍କୁ ଆହୁରି ଉନ୍ନତ ସୁବିଧା ଓ ସେବା ଯୋଗାଇଦେବାରେ ସକ୍ଷମ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.