କିମସରେ ହୃତପିଣ୍ଡ ଧମନୀର ସଫଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ୨୧ ବର୍ଷୀୟ ଯୁବକ

6

ଭୁବନେଶ୍ୱର: ଭଦ୍ରକର ଜଣେ ୨୧ ବର୍ଷୀୟ ଅନାଥ ଯୁବକଙ୍କ ଜୀବନ ବଞ୍ଚାଇବାରେ କିମସ ଭୁବନେଶ୍ୱରର ଡାକ୍ତରମାନେ ସଫଳ ହୋଇଛନ୍ତି। ବେକରେ ବଢ଼ୁଥିବା ଏକ ବିଶାଳ ଫୁଲା ଯୋଗୁଁ ରୋଗୀଙ୍କ ଶ୍ୱାସକ୍ରିୟା ଓ ଖାଦ୍ୟପାନୀୟ ଗିଳିବାରେ ଗୁରୁତର ସମସ୍ୟା ଦେଖାଦେଇଥିଲା। କିମ୍‍ସରେ ଜଟିଳ ଜରୁରୀକାଳୀନ ଅସ୍ତ୍ରୋପଚାର ମାଧ୍ୟମରେ ତାଙ୍କୁ ସୁସ୍ଥ କରାଯାଇଛି। ଅଗଷ୍ଟ ୧୫ରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଜଣେ ବନ୍ଧୁ ତାଙ୍କୁ କିମସକୁ ଆଣିଥିଲେ। କାର୍ଡିଆକ୍ ସର୍ଜରୀ ବିଭାଗର ପ୍ରଫେସର ତଥା ବିଭାଗୀୟ ମୁଖ୍ୟ ଡା. ଚନ୍ଦନ ରାୟ ମହାପାତ୍ର ରୋଗୀଙ୍କୁ ପରୀକ୍ଷା କରିବା ପରେ ବେକର ମଝି ଭାଗରେ ପ୍ରାୟ ୪ ଇଞ୍ଚ ଲମ୍ବ ଓ ୩ ଇଞ୍ଚ ଚଉଡ଼ା ଏକ ବଡ଼, ଟାଣ ଏବଂ ନାଡ଼ି ସ୍ପନ୍ଦନ କରୁଥିବା ଫୁଲା ଥିବା ଜାଣିବାକୁ ପାଇଥିଲେ। ଏହି ଫୁଲା ଏତେ ବଡ଼ ହୋଇଯାଇଥିଲା ଯେ ଏହା ଫୁସଫୁସକୁ ବାୟୁ ନେଉଥିବା ଶ୍ୱାସନଳୀ ଉପରେ ଚାପ ପକାଉଥିଲା। ଫଳରେ ରୋଗୀଙ୍କୁ ଶ୍ୱାସ ନେବା ଅତ୍ୟନ୍ତ କଷ୍ଟକର ହୋଇପଡ଼ିଥିଲା।

ସୂଚନା ଅନୁଯାୟୀ, ପ୍ରାୟ ୬ ମାସ ପୂର୍ବେ ଯୁବକଜଣକ ଏକ ଦୁଇଚକିଆ ଯାନରୁ ପଡ଼ିଯାଇଥିଲେ। ଏଥିରେ ତାଙ୍କ ଡାହାଣ ପାଶ୍ୱର୍ ବେକ ହାଡ଼ ଭାଙ୍ଗିଯାଇଥିଲା। କିଛି ଦିନ ପୂର୍ବରୁ ତାଙ୍କ ବେକ ନିକଟରେ ଫୁଲିବା ଆରମ୍ଭ ହୋଇଥିଲା। କିମସରେ ସିଟି ସ୍କାନ୍‌ରୁ ଜଣାପଡ଼ିଲା, ଏକ ଧମନୀ କଣା ହୋଇଥିବାରୁ ରକ୍ତ ଜମି ଏହି ବଡ଼ ଫୁଲା ସୃଷ୍ଟି ହୋଇଛି। ରକ୍ତଭରା ଫୁଲାଟି ବଢ଼ିବା ସହ ଶ୍ୱାସନଳୀ ଉପରେ ଚାପ ପଡ଼ି ବେକ, ହାତ ଓ ପିଠିରେ ମଧ୍ୟ ଯନ୍ତ୍ରଣା ହେଉଥିଲା।

ଚିକିତ୍ସା ସମୟରେ ନିଶ୍ଚେତକ ଦେବା ସମୟରେ ଡାକ୍ତରୀ ଦଳ ପାଇଁ ଆହୁରି ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା। ଯଦିଓ ରୋଗୀଙ୍କ ପାଟି ଯଥେଷ୍ଟ ଖୋଲୁଥିଲା, ତଥାପି ବେକରେ ଥିବା ବିଶାଳ ଓ ନାଡ଼ି ସ୍ପନ୍ଦନଶୀଳ ଫୁଲା ଶ୍ୱାସନଳୀକୁ ଏତେ ଚାପି ଦେଇଥିଲା ଯେ ସାଧାରଣ ଉପାୟରେ ରୋଗୀଙ୍କୁ ଭେଣ୍ଟିଲେଟ୍ କରିବା ସମ୍ଭବ ହୋଇନଥିଲା। କାର୍ଡିଆକ୍ ଆନେସ୍ଥେସିଓଲୋଜିଷ୍ଟ ଡା. ଅଶୋକ ବଡ଼ମାଳୀ ନିଶ୍ଚେତକ ପରିଚାଳନାର ଦାୟିତ୍ୱ ନେଇଥିଲେ। କାର୍ଡିଆକ୍ ସର୍ଜରୀ କନସଲଟାଣ୍ଟ ଡା. ସତ୍ୟଜିତ ସାମଲ ଓ ସିନିୟର ପର୍ଫ୍ୟୁଜନିଷ୍ଟ ଦେବବ୍ରତ ମହାପାତ୍ରଙ୍କୁ ନେଇ ଗଠିତ ଅସ୍ତ୍ରୋପଚାର ଦଳ ରୋଗୀଙ୍କୁ ହାର୍ଟ-ଲଙ୍ଗ୍ ମେସିନ୍ ସହ ସଂଯୋଗ କରିଥିଲେ।

ଅସ୍ତ୍ରୋପଚାର ସମୟରେ ରୋଗୀଙ୍କ ଛାତି ଖୋଲାଯାଇ କଣା ହୋଇଥିବା ଧମନୀର ଅସ୍ତ୍ରୋପଚାର କରାଯାଇଥିଲା। ହାର୍ଟ-ଲଙ୍ଗ୍ ମେସିନର ସହାୟତାରେ ପ୍ରାୟ ୪ରୁ ୫ ଘଣ୍ଟା ଧରି ଚାଲିଥିବା ଏହି ଜଟିଳ ଅସ୍ତ୍ରୋପଚାର ସଫଳତାର ସହ ସଂପନ୍ନ ହୋଇଥିଲା।

ଅସ୍ତ୍ରୋପଚାରର ପରଦିନ ରୋଗୀଙ୍କ ଶ୍ୱାସନଳୀ ସ୍ୱାଭାବିକ ଭାବେ କାର୍ଯ୍ୟ କରିବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ଏବେ ସୁସ୍ଥ ଅଛନ୍ତି। ରୋଗୀ ଜଣକ ଛୋଟବେଳୁ ବାପା-ମାଙ୍କୁ ହରାଇଥିଲେ। କିମସରେ ଜୀବନ ବଞ୍ଚିଯାଇଥିବାରୁ ରୋଗୀ ଓ ତାଙ୍କ ଗାଁର ସଂପର୍କୀୟମାନେ କିମସ ଡାକ୍ତର ଓ ନର୍ସମାନଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଇଛନ୍ତି। ଏହି ବିରଳ ଚିକିତ୍ସା ପାଇଁ କିଟ୍‍, କିସ୍‍ ଓ କିମସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଡାକ୍ତରୀ ଦଳକୁ ଧନ୍ୟବାଦ ଜଣାଇବା ସହ ରୋଗୀଙ୍କ ଆରୋଗ୍ୟ କାମନା କରିଛନ୍ତି।

Leave A Reply

Your email address will not be published.