ଜିଲ୍ଲାସ୍ତର ପାଇଁ ୧୦ ଖେଳାଳି ମନୋନୀତ
ଓଡ଼ଗାଁ, ୨୪।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସିସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍ରେ ଓଡ଼ିଶା ଷ୍ଟେଟ୍ ବ୍ୟାଡମିଣ୍ଟନ୍ ଆସୋସିଏସନ୍ (ଓଏସବିଏ) ପକ୍ଷରୁ ଲେଭେଲ୍-୩ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ ୧୩, ୧୫ ଓ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ବର୍ଗରେ ମୋଟ ୪୭ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ। ୧୩ ବର୍ଷରୁ କମ୍ ବାଳକ ବର୍ଗରେ ରୋନକ ସାହୁ ବିଜେତା ଓ ସମରଜିତ ନାୟକ ରନର୍ସ-ଅପ୍ ହୋଇଥିବା ବେଳେ ୧୫ ବର୍ଷରୁ କମ୍ ବାଳକ ବର୍ଗରେ ଅଂଶୁମାନ ନାୟକ ବିଜେତା ଏବଂ ବିଶ୍ୱରଞ୍ଜନ ବେହେରା ରନର୍ସ-ଅପ୍ ହୋଇଛନ୍ତି। ସେହିପରି ୧୫ ବର୍ଷରୁ କମ୍ ବାଳିକା ବର୍ଗରେ ପ୍ରାଚୀ ପଲ୍ଲବୀ ସାହୁ ବିଜେତା ଓ ସାଇସ୍ତିତି ପ୍ରଜ୍ଞା ଜେନା ରନର୍ସ-ଅପ୍ ହୋଇଛନ୍ତି। ୧୭ ବର୍ଷରୁ କମ୍ ବାଳକ ବର୍ଗରେ ହିମାଂଶୁ ଶେଖର ଦାସ ବିଜେତା ଏବଂ ମହମ୍ମଦ ଆସିଫ୍ ରନର୍ସ-ଅପ୍ ହୋଇଥିବା ବେଳେ ବାଳିକା ବର୍ଗରେ ଓଜସ୍ୱିନୀ ମହାପାତ୍ର ବିଜେତା ଓ ରୋଜାଲିନ୍ ପ୍ରଧାନ ରନର୍ସ-ଅପ୍ ହୋଇଛନ୍ତି। ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ଏହି ୧୦ ଜଣ ଖେଳାଳି ଆଗାମୀ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।ଉଦ୍ଯାପନୀ କାର୍ଯ୍ୟକ୍ରମରେ ଜିଲ୍ଲା ବ୍ୟାଡମିଣ୍ଟନ୍ ଆସୋସିଏସନ୍ର ସମ୍ପାଦକ ନିରଞ୍ଜନ ବିଶ୍ୱାଳ ଏବଂ ଓଡ଼ଗାଁ ରଘୁନାଥ ଆଥଲେଟିକ୍ ଆସୋସିଏସନ୍ର ସମ୍ପାଦକ ତଥା ଅଞ୍ଚଳର ଜଣାଶୁଣା କ୍ରୀଡ଼ା ସଂଗଠକ ଦିବାକର ନାୟକ ଅତିଥି ଭାବେ ଯୋଗଦେଇ ବିଜେତା ଓ ରନର୍ସ-ଅପ୍ ଖେଳାଳିଙ୍କୁ ଟ୍ରଫି ପ୍ରଦାନ କରି ଉତ୍ସାହିତ କରିଥିଲେ। ଇଣ୍ଡୋର ଷ୍ଟାଡିୟମ୍ର ଭାରପ୍ରାପ୍ତ ଅଧିକାରୀ ତଥା ବ୍ୟାଡମିଣ୍ଟନ୍ କୋଚ୍ ସୋନାଲୀ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।