ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର; ୨୨୮ ଅଭିଯୋଗ ପଞ୍ଜିକୃତ, ୩୭ର ତତ୍କାଳ ସମାଧାନ,

46


ସହରାଞ୍ଚଳ ଚାଷଜମିରୁ ଆଂଶିକ ବିକ୍ରୟ ଅନୁମତି ପାଇଁ ଦାବି


ଓଡ଼ଗାଁ, ୨୪।୮(ଶ୍ରୀକାନ୍ତ କୁମାର ମିଶ୍ର):
ନୟାଗଡ଼ ଜିଲ୍ଲାର ଓଡ଼ଗାଁ ପଞ୍ଚାୟତ ସମିତି ପରିସରରେ ସୋମବାର ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲଗ୍ନଜିତ୍ ରାଉତ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାରଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଶିବିରରେ ମୋଟ ୨୨୮ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୨୦୫ଟି ବ୍ୟକ୍ତିଗତ ଅଭିଯୋଗ, ୧୪ଟି ଗ୍ରାମ ସମୂହ ସମସ୍ୟା ଏବଂ ୯ଟି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ ସମ୍ପର୍କିତ ଅଭିଯୋଗ ରହିଥିଲା। ତେବେ ଆଜି ରେଡକ୍ରସ୍ ସମ୍ବନ୍ଧୀୟ କୌଣସି ଅଭିଯୋଗ ଆସିନଥିଲା। ଶିବିରରେ ୩୭ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିବା ବେଳେ ଅବଶିଷ୍ଟ ଅଭିଯୋଗ ଗୁଡ଼ିକୁ ତ୍ୱରିତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗକୁ ପଠାଇ ଦିଆଯାଇଛି। ରୋହିବାଙ୍କ ପଞ୍ଚାୟତରେ ବିନା ସୂଚନାରେ ଗ୍ରାମସଭା କରାଯିବା, କାର୍ଡଧାରୀଙ୍କୁ ଠିକ୍ ଭାବେ ଚାଉଳ ଯୋଗାଣ ନକରିବା ଏବଂ ଭତ୍ତା ଟଙ୍କା ହଡ଼ପ ଅଭିଯୋଗ ନେଇ ଭଗବତୀ ପ୍ରସାଦ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଥିଲେ।ସେହିପରି ଓଡ଼ଗାଁଠାରୁ ରଙ୍ଗଣୀପାଟଣା ଦେଇ କୁରାଳ-ସୁନାମୁହିଁ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ଦେଓଗାଁ-ଭାଲିଆଡିହି ଅଞ୍ଚଳରେ ଶୀଘ୍ର ରାସ୍ତା ନିର୍ମାଣ ସହ ନିର୍ମାଣ କାର୍ଯ୍ୟ ସମୟରେ ସୁରକ୍ଷା ବ୍ୟବସ୍ଥା ପାଇଁ ଦେଓଗାଁ ଗ୍ରାମ୍ୟ କମିଟି ପକ୍ଷରୁ ଦାବି କରାଯାଇଥିଲା। ଏଥି ସହିତ ବ୍ରାହ୍ମଣସାହି ୨ ନମ୍ବର ୱାର୍ଡରୁ ପୋତା ପୋଖରୀ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ଏବଂ ଛାମୁସାହିର ଶେଷ ସୀମାରେ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ନେଇ ମଧ୍ୟ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା। ଅନ୍ୟପକ୍ଷରେ ଓଡ଼ଗାଁ ସହରାଞ୍ଚଳର ଚାଷୀମାନେ ନିଜ ଚାଷଜମିର ଆଂଶିକ ଅଂଶ ବିକ୍ରି କରିବା ଉପରେ ଥିବା ପ୍ରତିବନ୍ଧକ ହଟାଇବାକୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶିବିରରେ ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ବିଡିଓ ପ୍ରୀତିବାଳା ରଣା, ଏନ୍ଏସି ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା, ଥାନା ଆଇଆଇସି ସତ୍ୟନାରାୟଣ ବାରିକଙ୍କ ସମେତ ଜିଲ୍ଲା ତଥା ବ୍ଳକ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ।

Leave A Reply

Your email address will not be published.