- ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ଦିଗରେ ନୂଆ ପଦକ୍ଷେପ
- ଆଶାକର୍ମୀଙ୍କୁ ଆଶା କିଟ୍ ବଣ୍ଟନ କଲେ ମାନ୍ୟବର ମନ୍ତ୍ରୀ
ନବରଙ୍ଗପୁର, ତା. ୨୪.୦୮.୨୦୨୬: ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ସାନମସିଗାଁଠାରେ ନବନିର୍ମିତ କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚ୍ସି) ଭବନ ଆଜି ଏକ ଭବ୍ୟ ସମାରୋହରେ ଉଦ୍ଘାଟିତ ହୋଇଛି। ଏହି ଉଦ୍ଘାଟନ ସମାରୋହରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଲୋକସଭା ସାଂସଦ ବଳଭଦ୍ର ମାଝୀ,ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀ ଶଙ୍କର ମାଝୀ,ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁଙ୍କ ସମେତ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ଆଶାକର୍ମୀ ଓ ବହୁ ସଂଖ୍ୟକ ଅଞ୍ଚଳବାସୀ ଉପସ୍ଥିତ ଥିଲେ।
ସାନମସିଗାଁଠାରେ ନିର୍ମିତ ଏହି ନୂତନ ସିଏଚ୍ସି ଭବନ ଏକ ଜି+୧ ମହଲା ବିଶିଷ୍ଟ ସ୍ୱାସ୍ଥ୍ୟସେବା କେନ୍ଦ୍ର। ନବରଙ୍ଗପୁର ଆର୍ ଆଣ୍ଡ ବି ଡିଭିଜନ୍ ଅଧୀନରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଏହି ଭବନ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିଲା। ଏହି ପ୍ରକଳ୍ପର ପ୍ରଶାସନିକ ଅନୁମୋଦିତ ବ୍ୟୟ ୬୭୪.୬୧ ଲକ୍ଷ ଟଙ୍କା ଥିବାବେଳେ ଚୁକ୍ତି ମୂଲ୍ୟ ୫୨୧.୪୦ ଲକ୍ଷ ଟଙ୍କା (ଜିଏସ୍ଟି ସହିତ) ରହିଛି। ନିର୍ମାଣ କାର୍ଯ୍ୟ ୦୮.୦୪.୨୦୨୧ରେ ଆରମ୍ଭ ହୋଇ ୩୧.୦୫.୨୦୨୬ରେ ସମ୍ପୂର୍ଣ୍ଣ ହୋଇଛି।
ଏହି ସ୍ୱାସ୍ଥ୍ୟକେନ୍ଦ୍ର ମାଧ୍ୟମରେ ସାନମସିଗାଁ ଓ ଏହାର ଆଖପାଖ ଗ୍ରାମାଞ୍ଚଳର ପ୍ରାୟ ୨୦ ହଜାର ଲୋକଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ମିଳିପାରିବ। ସାଧାରଣ ଚିକିତ୍ସା, ଜରୁରୀକାଳୀନ ସେବା, ରେଫରାଲ୍ ସେବା ସମେତ ବିଭିନ୍ନ ସମୁଦାୟଭିତ୍ତିକ ସ୍ୱାସ୍ଥ୍ୟସେବା ଏଠାରେ ଉପଲବ୍ଧ ହେବ। ନୂତନ ଭିତ୍ତିଭୂମି ଯୋଗୁଁ ଦୂରଦୂରାନ୍ତର ଲୋକଙ୍କୁ ନିକଟସ୍ଥ ଅଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇବାର ସୁଯୋଗ ମିଳିବ ଏବଂ ଜିଲ୍ଲାର ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ।
ଉଦ୍ଘାଟନ ସମାରୋହ ଅବସରରେ ମାନ୍ୟବର ମନ୍ତ୍ରୀ ନବରଙ୍ଗପୁର ବ୍ଲକର ବିଭିନ୍ନ ଅଞ୍ଚଳରେ କାର୍ଯ୍ୟରତ ଆଶାକର୍ମୀମାନଙ୍କୁ ଆଶା କିଟ୍ ବଣ୍ଟନ କରିଥିଲେ। ଗ୍ରାମାଞ୍ଚଳରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଟିକାକରଣ, ପୋଷଣ, ସ୍ୱାସ୍ଥ୍ୟ ସଚେତନତା ଏବଂ ସରକାରୀ ସ୍ୱାସ୍ଥ୍ୟ ଯୋଜନାଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ଆଶାକର୍ମୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଏହି ଅବସରରେ ପ୍ରଶଂସା କରାଯାଇଥିଲା।
ଅଞ୍ଚଳବାସୀଙ୍କ ଦୀର୍ଘଦିନର ସ୍ୱାସ୍ଥ୍ୟସେବା ସମ୍ପର୍କିତ ଆବଶ୍ୟକତା ପୂରଣ ଦିଗରେ ନୂତନ ସିଏଚ୍ସି ଭବନର ଉଦ୍ଘାଟନ ଏକ ମାଇଲଖୁଣ୍ଟ ଭାବେ ପ୍ରମାଣିତ ହେବ। ଲୋକଙ୍କୁ ନିଜ ଅଞ୍ଚଳରେ ଗୁଣାତ୍ମକ, ସୁଲଭ ଓ ସମୟୋପଯୋଗୀ ସ୍ୱାସ୍ଥ୍ୟସେବା ଯୋଗାଇବା ସହିତ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସୁଦୃଢ଼ୀକରଣ ମାଧ୍ୟମରେ ସମଗ୍ର ନବରଙ୍ଗପୁର ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ପ୍ରଶାସନ ପକ୍ଷରୁ ନିରନ୍ତର ପ୍ରୟାସ ଜାରି ରହିଛି।
ଏହି ଅବସରରେ ଉପସ୍ଥିତ ଅତିଥିମାନେ ନୂତନ ସିଏଚ୍ସି ଭବନ ପରିଦର୍ଶନ କରିବା ସହିତ ଏଠାରେ ଉପଲବ୍ଧ ସୁବିଧା, ସ୍ୱାସ୍ଥ୍ୟସେବାର ଗୁଣବତ୍ତା ଏବଂ ରୋଗୀମାନଙ୍କ ପାଇଁ ରହିଥିବା ବ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇଥିଲେ।