ପ୍ରଶାସନକୁ ଅପେକ୍ଷା କରି କରି ଥକିଲେ, ଶେଷରେ ରାସ୍ତାକୁ ଓହ୍ଲାଇଲେ ସଚେତନ ଯୁବକ

7

ବିଜେପୁର: ଅଭିଯୋଗ ପରେ ଅଭିଯୋଗ, ହେଲେ ସମସ୍ୟାର ସମାଧାନ ହେଲାନି। ଶେଷରେ ପ୍ରଶାସନର ରାସ୍ତା ମରାମତିକୁ ଅପେକ୍ଷା ନକରି ନିଜେ ରାସ୍ତା ସଜାଇବାକୁ ଆଗେଇ ଆସିଲେ ଯୁବକ। ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ତାଳପଦର–ଲିମଟିକିରା ରାସ୍ତାରେ।ଦୀର୍ଘ ଦୁଇ ମାସରୁ ଅଧିକ ସମୟ ଧରି ଏହି ରାସ୍ତା ଖାଲଖମାରେ ଭରି ରହିଛି। ଫଳରେ ତାଳପଦର, ଲିମଟିକିରା, ବାରଗୁଡ଼ା, ବାନ୍ଧୁପାଲି ଓ ବରମୁଣ୍ଡା ଅଞ୍ଚଳର ଲୋକଙ୍କ ଯାତାୟାତ ଅସୁବିଧା ହୋଇପଡ଼ିଛି।ଛାତ୍ରଛାତ୍ରୀଙ୍କ ଯାତାୟାତ ମଧ୍ୟ ପ୍ରଭାବିତ ହେଉଛି।


ସମସ୍ୟା ନେଇ ସରପଞ୍ଚ ପିଇଓ ନିକଟରେ ଜଣାଇବା ସତ୍ତ୍ୱେ ମରାମତି ନହେବାରୁ ଲିମଟିକିରାର ସଚେତନ ଯୁବକମାନେ ନିଜ ହାତରେ ଖାଲଖମା ପୂରଣ କରି ରାସ୍ତା ସଜାଇଛନ୍ତି। ଲୋକଙ୍କ ଯାତାୟାତ ସୁଗମ କରିବା ପାଇଁ ଯୁବକମାନଙ୍କ ଏହି ପଦକ୍ଷେପ ନିଶ୍ଚିତ ଭାବେ ପ୍ରଶଂସନୀୟ।ତେବେ ପ୍ରଶ୍ନ ଉଠୁଛି ଲୋକଙ୍କ ଟିକସରେ ଚାଲୁଥିବା ପ୍ରଶାସନିକ ବ୍ୟବସ୍ଥା ଥିବା ସତ୍ତ୍ୱେ ରାସ୍ତା ମରାମତି ପାଇଁ କାହିଁକି ଯୁବକମାନଙ୍କୁ ନିଜ ହାତରେ କାମ କରିବାକୁ ପଡ଼ୁଛି?
ଅଞ୍ଚଳବାସୀଙ୍କ ଦାବି, କେବଳ ଖାଲଖମା ପୂରଣ ନୁହେଁ, ରାସ୍ତାର ଉଭୟ ପାର୍ଶ୍ୱରେ ସାଇଡ୍‌ ୱାଲ୍‌ ନିର୍ମାଣ କରାଯାଇ ଏହି ରାସ୍ତାର ସ୍ଥାୟୀ ସମାଧାନ କରାଯାଉ। ଏବେ ଯୁବକଙ୍କ ଏହି ପ୍ରୟାସ ପରେ ପ୍ରଶାସନ କେବେ ଚେତିବ, ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.