ତିନି ମାସ ହେଲା ହିତାଧିକାରୀଙ୍କୁ ମିଳୁନି ଭତ୍ତା

41


ଓଡ଼ଗାଁ ବ୍ଲକରେ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ହିତାଧିକାରୀ ହନ୍ତସନ୍ତ : ନୂଆ ଭତ୍ତା ପାଇଁ ୧୫ ଶହ ଆବେଦନ


ଓଡ଼ଗାଁ, ୨୩।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକରେ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ହିତାଧିକାରୀଙ୍କ ଭତ୍ତା ପ୍ରଦାନରେ ଅନିୟମିତତାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇଛି। ପ୍ରାୟ ଅର୍ଦ୍ଧାଧିକ ହିତାଧିକାରୀଙ୍କୁ ଗତ ୩ ମାସ ଧରି ଭତ୍ତା ମିଳିନଥିବା ଅଭିଯୋଗ ହୋଇଛି। ଭତ୍ତା ଟଙ୍କା ମିଳିବ ବୋଲି ଆଶାରେ କେହି ପଞ୍ଚାୟତ କାର୍ଯ୍ୟାଳୟକୁ ତ ଆଉ କେହି ଜମାଖାତା ଧରି ବ୍ୟାଙ୍କକୁ ଯାଉଛନ୍ତି। ହେଲେ ବାରମ୍ବାର ନିରାଶ ହୋଇ ଖାଲି ହାତରେ ଘରକୁ ଫେରିବାକୁ ପଡ଼ୁଛି। ବୃଦ୍ଧ ଦମ୍ପତିଙ୍କ ମଧ୍ୟରୁ ଜଣେ ଭତ୍ତା ଟଙ୍କା ଆଶାରେ ବାହାରକୁ ଯାଉଥିବା ବେଳେ ଅନ୍ୟଜଣ ଘରେ ଅପେକ୍ଷା କରୁଥିବା ଦୃଶ୍ୟ ଅନେକ ପରିବାରରେ ଦେଖିବାକୁ ମିଳୁଛି। ଭତ୍ତା ଟଙ୍କା ହିଁ ଅନେକ ଅସହାୟଙ୍କ ପାଇଁ ଦୈନନ୍ଦିନ ଜୀବନର ମୁଖ୍ୟ ଆଶାବାଡି। ଏହି ଟଙ୍କାରେ ଖାଦ୍ୟ ସାମଗ୍ରୀ ସହ ଔଷଧ କିଣିବା ଭଳି ଜରୁରୀ ଆବଶ୍ୟକତା ପୂରଣ ହୋଇଥାଏ। ତେଣୁ ଭତ୍ତା ପ୍ରଦାନରେ ବିଳମ୍ବ ହିତାଧିକାରୀଙ୍କ ଦୁର୍ଦ୍ଦଶାକୁ ଆହୁରି ବଢ଼ାଇ ଦେଇଛି। ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାର ଲାଭ ଯେପରି ଯୋଗ୍ୟ ହିତାଧିକାରୀଙ୍କୁ ନିୟମିତ ଭାବେ ମିଳେ, ସେଥିପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ଓଡ଼ଗାଁ ବ୍ଲକରେ ନୂଆ ଭତ୍ତା ପାଇଁ ଆବେଦନ କରିଥିବା ପ୍ରାୟ ୧୫ ଶହ ଆବେଦନକାରୀଙ୍କୁ ଶୀଘ୍ର ଭତ୍ତା ପ୍ରଦାନ ନିମନ୍ତେ ତ୍ୱରିତ ପଦକ୍ଷେପ ନେବାକୁ ମଧ୍ୟ ଦାବି ହୋଇଛି।

Leave A Reply

Your email address will not be published.