ଜିଲ୍ଲାରେ ୪୮ ପ୍ରତିଶତ ଚାଷୀଙ୍କ ପଞ୍ଜିକରଣ ବାକି ,ସମୟସୀମା ବଢ଼ାଇବାକୁ ଦାବି
ଓଡ଼ଗାଁ, ୨୩।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ସମବାୟ ସମିତିରେ ଚାଷୀଙ୍କ ନାମ ପଞ୍ଜିକରଣ କାର୍ଯ୍ୟ ଚଳିତ ଅଗଷ୍ଟ ୬ ତାରିଖରୁ ଆରମ୍ଭ ହୋଇଥିବା ବେଳେ ବାରମ୍ବାର ଇଣ୍ଟରନେଟ୍ ସମସ୍ୟା ଓ ସର୍ଭର ଡାଉନ୍ ଯୋଗୁଁ ପଞ୍ଜିକରଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଜିଲ୍ଲାରେ ଏପର୍ଯ୍ୟନ୍ତ ପ୍ରାୟ ୪୮ ପ୍ରତିଶତ ଚାଷୀଙ୍କ ନାମ ପଞ୍ଜିକୃତ ହୋଇନଥିବା ବେଳେ ଓଡ଼ଗାଁ ବ୍ଲକରେ ପ୍ରାୟ ୬୦ରୁ ୭୦ ପ୍ରତିଶତ ଚାଷୀ ପଞ୍ଜିକରଣ କରିଥିବା ଜଣାପଡ଼ିଛି। ହେଲେ ଗତ ଶୁକ୍ରବାର ଠାରୁ ସର୍ଭର ସମସ୍ୟା ଲାଗି ରହିଥିବାରୁ ପଞ୍ଜିକୃତ ବୃଦ୍ଧି ପାଇବାରେ ବିଳମ୍ବ ହେଉଛି । ଚାଷୀମାନେ ସକାଳୁ ସମବାୟ ସମିତିକୁ ଆସି ଦୀର୍ଘ ସମୟ ଅପେକ୍ଷା କରି ନିରାଶ ହୋଇ ସନ୍ଧ୍ୟାରେ ଘରକୁ ଫେରୁଛନ୍ତି। ପରବର୍ତ୍ତୀ ସମୟରେ ଚାଷ କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ଅନେକ ଚାଷୀ ପଞ୍ଜିକରଣ ପାଇଁ ପୁଣିଥରେ ଆସିବା ସମ୍ଭବପର ହେଉନାହିଁ। ସମସ୍ୟାର ସମାଧାନ ପାଇଁ କେତେକ ସମବାୟ ସମିତିର ଡାଟା ଏଣ୍ଟ୍ରି ଅପରେଟର ଚାଷୀଙ୍କୁ ରାତିରେ ଡାକି ପଞ୍ଜିକରଣ କରୁଥିବା ଜଣାପଡ଼ିଛି। ତେବେ ଚାଷୀଙ୍କ ମୋବାଇଲ୍କୁ ଓଟିପି ଆସୁଥିଲେ ମଧ୍ୟ ନମ୍ବର ପ୍ରଦର୍ଶିତ ନ ହେବାରୁ ଅନଲାଇନ୍ ଆବେଦନ ସମ୍ପୂର୍ଣ୍ଣ ହେଉନାହିଁ। ଚଳିତ ଅଗଷ୍ଟ ୩୧ ତାରିଖ ପଞ୍ଜିକରଣର ଶେଷ ସମୟସୀମା ଥିବାରୁ ଏହାକୁ ଆହୁରି ବଢ଼ାଇବାକୁ ଚାଷୀମାନଙ୍କ ପକ୍ଷରୁ ଦାବି ହୋଇଛି। ନୟାଗଡ଼ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରବିବାର ମଧ୍ୟ ପଞ୍ଜିକରଣ କାର୍ଯ୍ୟ ଚାଲିଥିଲା। ରବିବାର ଅପରାହ୍ନ ସୁଦ୍ଧା ପ୍ରାୟ ୨ ହଜାର ଚାଷୀଙ୍କ ନାମ ପଞ୍ଜିକରଣ ହୋଇଥିବା ଜଣାପଡ଼ିଛି। ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସମସ୍ତ ସମବାୟ ସମିତି କାର୍ଯ୍ୟାଳୟ ଖୋଲା ରହିବ ଏବଂ କୌଣସି କର୍ମଚାରୀ ଛୁଟିରେ ରହିବେ ନାହିଁ ବୋଲି ସମସ୍ତ ସମବାୟ ସମିତିକୁ ସୂଚନା ଦିଆଯାଇଛି। ଏନେଇ ନୟାଗଡ଼ ଜିଲ୍ଲା ଉପନିବନ୍ଧକ, ସମିତି ସମୂହ ଅନନ୍ତ କୁମାର ନାୟକ ସୂଚନା ଦେଇଛନ୍ତି।