ଓଡ଼ଗାଁ, ୨୩।୮(ଶ୍ରୀକାନ୍ତ କୁମାର ମିଶ୍ର): ଶ୍ରାବଣ ଶୁକ୍ଳ ପୁତ୍ରଦା ଏକାଦଶୀ ତିଥିରୁ ଓଡ଼ଗାଁ ବିଜେ ଶ୍ରୀରଘୁନାଥଜିଉଙ୍କ ଝୁଲଣଯାତ୍ରା ଆରମ୍ଭ ହୋଇଛି। ଏହା ଆସନ୍ତା ଗୁରୁବାର ଝୁଲଣ ପୂର୍ଣ୍ଣିମା ବଳଭଦ୍ର ଜନ୍ମରେ ପୂର୍ଣ୍ଣାଙ୍ଗ ହେବ ବୋଲି ସୂଚନା ମିଳିଛି। ଏଥିସହ ଓଡ଼ଗାଁ ଅଞ୍ଚଳର ବିଭିନ୍ନ ବିଷ୍ଣୁ ମନ୍ଦିର ଓ ମଠରେ ମଧ୍ୟ ଝୁଲଣ ପର୍ବ ଆରମ୍ଭ ହୋଇଛି। ଚାରିଦିନ ଧରି ଚାଲିବା ପରେ ପୂର୍ଣ୍ଣିମା ତିଥିରେ ଏହି ପର୍ବ ଉଦ୍ଯାପିତ ହେବ। ଏହି ଅବସରରେ ମନ୍ଦିରର ଦକ୍ଷିଣ ଦ୍ୱାରସ୍ଥିତ ଝୁଲଣ ମଣ୍ଡପରେ ସ୍ୱତନ୍ତ୍ର ଭାବେ ଚଉଦୋଳକୁ ଜରି, ଜମ୍ବୁରା ଓ ପାଟକନାରେ ସଜ୍ଜିତ କରାଯାଇ ଦୋଳି ବନ୍ଧା ଯାଇଛି । ଏକାଦଶୀ ନୀତି ଓ ବେଢ଼ା ପରିକ୍ରମା ସରିବାପରେ ଶ୍ରୀ ରଘୁନାଥ ଜିଉ ଓ ମାତା ସୀତାଙ୍କ ବିଜେ ପ୍ରତିମାଙ୍କୁ ଘଣ୍ଟି, ଘଣ୍ଟା, ମୃଦଙ୍ଗ, କାହାଳୀ, ଛତା, ତ୍ରାସ, ଚାମର ଓ ମଶାଲର ଶୋଭାଯାତ୍ରାରେ ଝୁଲଣ ମଣ୍ଡପକୁ ବିଜେ କରାଯାଇଥିଲା। ପ୍ରଭୁଙ୍କ ଝୁଲଣ ପର୍ବ ଦର୍ଶନ ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖାଯାଇଥିଲା । ସେହିପରି ଓଡ଼ଗାଁ ରାଧାକାନ୍ତ ଜିଉ ମଠରେ ଶ୍ରୀରାଧାକୃଷ୍ଣଙ୍କୁ ସୁସଜ୍ଜିତ କରାଯାଇ ପଟୁଆରରେ ଝୁଲଣ ବେଦିକୁ ବିଜେ କରାଯାଇଥିଲା। ଏହି ଅବସରରେ ଗୀତଗୋବିନ୍ଦ ପାଠ ସହ ଭଜନ ଓ କୀର୍ତ୍ତନ ପରିବେଷଣ କରାଯାଇଥିଲା। ଓଡ଼ଗାଁ ବ୍ଲକର ମନ୍ଦିରମାଳିନୀ କୁରାଳ ଗ୍ରାମର ଶ୍ରୀଦଧିବାମନଜିଉ, ଶ୍ରୀରଘୁନାଥଜିଉ, ଶ୍ରୀଭାଗବତଜିଉ, ଶ୍ରୀସତ୍ୟନାରାୟଣଜିଉ, ଶ୍ରୀଗୋପୀନାଥଜିଉ ଓ ରାଧାକାନ୍ତ ମଠରେ ମଧ୍ୟ ଝୁଲଣଯାତ୍ରା ମହାସମାରୋହରେ ପାଳିତ ହେଉଛି। ପ୍ରତ୍ୟହ ସନ୍ଧ୍ୟାରେ ଭଜନ, କୀର୍ତ୍ତନ, ପାଲା, ଦାସକାଠିଆ ସମେତ ବିଭିନ୍ନ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ଜଣାପଡ଼ିଛି।