ଓଡ଼ିଶା ସ୍ୱାର୍ଥକୁ ଜଳାଞ୍ଜଳି ଦେଲେ ବିଜେପି ସାଂସଦ: ବିଜେଡି

10

ଏମ୍ଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ପ୍ରସଙ୍ଗ

  • ଦଳୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ଚୁପ ରହିଲେ ବିଜେପି ସାଂସଦ
  • ସଂସଦରେ ବିଲ ବାବଦରେ ମୁଁହ ଖୋଲିଲେ ନାହିଁ ବିଜେପି ସାଂସଦ
  • ବିଜେପି ହେଉଛି ବ୍ୟବସାୟୀ ମାନଙ୍କ ପାର୍ଟି


ଭୁବନେଶ୍ୱର, ୨୩/୦୮/୨୦୨୬: ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ସଂସଦରେ ପାରିତ ହେବା ଦ୍ୱାରା ଓଡ଼ିଶାର ବ୍ୟାପକ କ୍ଷତି ହେବ । ତେବେ ଓଡ଼ିଶାରୁ ନିର୍ବାଚିତ ହୋଇଥିବା ବିଜେପି ସାଂସଦ ମାନେ ଏ ବାବଦରେ ସଂସଦରେ ମୁଁହ ଖୋଲିଲେ ନାହିଁ । ଏନେଇ ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ପ୍ରୀତିରଞ୍ଜନ ଘଡେଇ ଓ ଚାନ୍ଦବାଲି ବିଧାୟକ ଶ୍ରୀ ବ୍ୟୋମକେଶ ରାୟ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି ।
ଶ୍ରୀ ଘଡ଼େଇ କହିଛନ୍ତି ଯେ, ଉକ୍ତ ଆକ୍ଟକୁ ବିଜେପି ସରକାର ବିନା ଆଲୋଚନାରେ ସଂସଦରେ ପାରିତ କରାଇଛନ୍ତି । ଏହା ଦ୍ୱାରା ଓଡ଼ିଶା ବ୍ୟାପକ କ୍ଷତି ସହିବ । ରାଜ୍ୟର ସମସ୍ତ ଖଣି ଗୁଡିକର ରାଜସ୍ୱ କେନ୍ଦ୍ର ସରକାରଙ୍କ ଅଧିନକୁ ଚାଲିଯିବ । ଖଣିଜ ସମ୍ପଦରେ ଭରା ଓଡ଼ିଶାର ଖଣି ରାଜସ୍ୱ କେନ୍ଦ୍ର ସରକାରଙ୍କୁ ଟେକି ଦିଆଯାଇଛି । କିନ୍ତୁ ଏ ବାବଦରେ ବିଜେପି ସାଂସଦ ମାନେ ସଂସଦରେ ମୁଁହ ଖୋଲିଲେ ନାହିଁ । ଓଡ଼ିଶା ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଦଳୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ସଂସଦରେ ଚୁପ ରହିଲେ । ସଂସଦରେ ଆକ୍ଟ ବାବଦରେ ମୁଁହ ଖୋଲି ପ୍ରଶ୍ନ ମଧ୍ୟ କରିଲେ ନାହିଁ । ରାଜ୍ୟ ସ୍ୱାର୍ଥ ବିରୋଧରେ ଭୋଟ ଦେଇ ରାଜ୍ୟର ବ୍ୟାପକ କ୍ଷତି ହେବାକୁ ସମର୍ଥନ ଜଣାଇଛନ୍ତି । ଯାହାକୁ ଓଡ଼ିଶା ବାସୀ କେବେ ଭୁଲି ପାରିବେ ନାହିଁ । ବିଜେପି ହେଉଛି ବ୍ୟବସାୟୀ ମାନଙ୍କ ପାର୍ଟି । ବ୍ୟବସାୟୀ ମାନଙ୍କ ହିତକୁ ପ୍ରାଧାନ୍ୟ ଦେବାକୁ ବିଜେପି ଦଳ ଓଡ଼ିଶାକୁ ଲୁଣ୍ଠନ କରିବା ଯୋଜନା କରିଛନ୍ତି । ରାଜ୍ୟବାସୀଙ୍କ ସ୍ୱାର୍ଥକୁ ବାଦ୍ ଦେଇ ଖଣି ମାଲିକଙ୍କ ସୁବିଧା ପାଇଁ ଏମଏମଡିଆର ଆକ୍ଟକୁ ସଂଶୋଧନ କରିଛନ୍ତି । ଏହିପରି କାର୍ଯ୍ୟକଳାପକୁ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି । ଖଣି ଖାଦାନ ଉପରେ ପ୍ରତ୍ୟେକ ରାଜ୍ୟର ଆଇନଗତ ଓ ସାମ୍ବିଧାନିକ ଅଧିକାର ରହିଛି । ଜୁଲାଇ ୨୦୨୪ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ୯ ଜଣିଆ ଖଣ୍ଡପୀଠ ଏହା ଉପରେ ବିଚାର କରି ଖଣି ଓ ଖଣିର ଜମି ଉପରେ ରାଜ୍ୟ ମାନଙ୍କର ଅଧିକାର ରହିଛି, ତେଣୁ ରାଜ୍ୟମାନେ ଖଣିଜ ପଦାର୍ଥ ଉପରେ ଲେଭି ଓ ଟ୍ୟାକ୍ସ ଲଗାଇ ପାରିବେ ବୋଲି ମତ ଦେଇଥିଲେ । ଏହି ବିଚାରରେ, ୧ ଏପ୍ରିଲ ୨୦୦୫ରୁ ଖଣି ମାଲିକ ମାନଙ୍କ ଠାରୁ ବକେୟା ଟ୍ୟାକ୍ସ ଆଦାୟ କରିପାରିବେ ବୋଲି ଉଚ୍ଚତମ ନ୍ୟାୟାଳୟ କହିଥିଲେ । ସେହି ଅନୁସାରେ, ଓଡିଶା କେବଳ ବକେୟା ଆକାରରେ ଦେଢ଼ ଲକ୍ଷ କୋଟି ଟଙ୍କା ଆଦାୟ କରିପାରିବ ବୋଲି ଆକଳନ ହୋଇଥିଲା । ଏହାଛଡା ପ୍ରତିବର୍ଷ ଖଣି ରାଜସ୍ୱ ଅଧିକ ୧୨,୦୦୦ କୋଟି ଟଙ୍କା ଆଦାୟ ହେବ ବୋଲି ଆକଳନ ହୋଇଥିଲା । କିନ୍ତୁ ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ଜରିଆରେ ଓଡ଼ିଶାର ନ୍ୟାର୍ଯ୍ୟ ପ୍ରାପ୍ୟକୁ କେନ୍ଦ୍ର ସରକାର ହଡ଼ପ କରିଦେଲେ । ଦୁଃଖ ଓ ପରିତାପର ବିଷୟ ଯେ, ଓଡ଼ିଶାରୁ ନିର୍ବାଚିତ ବିଜେପିର ୨୦ ଲୋକସଭା ସାଂସଦ ଓ ୫ ରାଜ୍ୟସଭା ସାଂସଦ, ଓଡିଶା ବିରୋଧୀ ଆକ୍ଟକୁ ହାତ ଟେକି ସମର୍ଥନ କରିଥିଲେ । ବିଜେପି ଦଳ ରାଜ୍ୟବାସୀଙ୍କୁ ଭ୍ରମିତ କରିବା ଭଳି କଥା ନକହି ଯଦି ସତ୍ସାହସ ଅଛି ତେବେ ଖୋଲା ମଞ୍ଚରେ ବିତର୍କ କରିବା ପାଇଁ ବିଜେଡି ପକ୍ଷରୁ ଆହ୍ୱାନ କରିଛନ୍ତି । ଖଣିର ରାଜସ୍ୱ ଅର୍ଥ ଦ୍ୱାରା ଓଡ଼ିଶାର ଅନେକ ହିତ୍ ସାଧନ ହୋଇପାରିଥାନ୍ତା । କିନ୍ତୁ ବିଜେପି ଦଳ ପାଇଁ ଓଡ଼ିଶା କ୍ଷତି ସହିବ । ସୁପ୍ରିମକୋର୍ଟ ରାଜ୍ୟର ଖଣିଜ ସମ୍ପଦରୁ ରାଜସ୍ୱ ଆଦାୟ କରିବା ନେଇ ଯେଉଁ ଅଧିକାର ଦେଇଥିଲେ ତାହାକୁ ଉକ୍ତ ଆକ୍ଟ ଜରିଆରେ ବିଜେପି ଛଡ଼ାଇ ନେଲା । ରାଜ୍ୟର ବିକାଶ ପାଇଁ ଖଣି କ୍ଷେତ୍ରରୁ ଆଦାୟ ରାଜସ୍ୱର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । କିନ୍ତୁ ଦୁର୍ଭାଗ୍ୟର ବିଷୟ ବିଜେପି ସରକାର ଏମ୍ଏମଡିଆର ଆକ୍ଟ ଆଣିବା ପରେ ରାଜ୍ୟ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଖଣି କ୍ଷେତ୍ରରୁ ଟିକସ୍ ଆଦାୟ କ୍ଷମତା କେନ୍ଦ୍ର ହାତକୁ ଟେକି ଦେଇଛି । ଯାହା ଦ୍ୱାରା ଓଡ଼ିଶାର ଆଗାମୀ ଭବିଷ୍ୟତର ପିଢ଼ି ସୁରକ୍ଷିତ କରିବାକୁ ବିଜେପି ସରକାର ଅବରୋଧ କରିଛନ୍ତି । ଆଗାମୀ ଦିନରେ ଏହାକୁ ବିରୋଧ କରି ବିଜେଡି ପକ୍ଷରୁ ଦୃଢ ପ୍ରତିବାଦ କରାଯିବ ।
ସେହିପରି ଶ୍ରୀ ରାୟ କହିଛନ୍ତି ଯେ, ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ଯୋଗୁଁ ଓଡ଼ିଶାର ଅନେକ କ୍ଷତି ହେବ । ଯାହାକୁ ନେଇ ରାଜ୍ୟସାରା ସମସ୍ତ ବର୍ଗଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ରତ୍ନଗର୍ଭା ଓଡ଼ିଶା ଖଣିଜ ସମ୍ପଦର ଲୁଟିବା ପାଇଁ ବିଜେପି ପକ୍ଷରୁ ଏକ ଷଡ଼ଯନ୍ତ୍ର କରାଯାଇଛି । ଏଥିପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ, ସମସ୍ତ ବିଜେପି ସାଂସଦ ଓ ନେତୃତ୍ୱଗଣ ଦାୟୀ । କେନ୍ଦୁଝର ଭଳି ଖଣିଜ ସମ୍ପଦ ଭରା ଜିଲ୍ଲାରୁ ଶ୍ରୀ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା । କେବଳ ଓଡ଼ିଶାର ଖଣିଜ ସମ୍ପଦ ଲୁଟିବା ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା ବୋଲି ବର୍ତ୍ତମାନ ଜଣାପଡୁଛି । ଝାଡଖଣ୍ଡ ରାଜ୍ୟ ତାହାର ବକେୟା ରାଜସ୍ୱ ଆଦାୟ କରିପାରିଥିବା ବେଳେ ଓଡ଼ିଶା ୧ଲକ୍ଷ କୋଟିରୁ ଉଦ୍ଧ୍ୱର୍ ଟଙ୍କା ଆଦାୟ କରି ପାରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଉକ୍ତ ଅର୍ଥ ରାଜ୍ୟର ଉନ୍ନତି ପାଇଁ ବିନିଯୋଗ ହୋଇପାରିଥାନ୍ତା କିନ୍ତୁ ତାହା ନହୋଇ ରାଜ୍ୟବାସୀଙ୍କ କ୍ଷତି ହୋଇଛି ।
ବିଜେଡି ଶାସନ ସମୟରେ ସମୃଦ୍ଧଶାଳୀ ଓଡ଼ିଶାକୁ ଗରିବୀ ଆଡ଼କୁ ନେବାକୁ ବିଜେପି ସରକାର ଯୋଜନା କରିଛି । ଖଣିରୁ ସେସ୍ ଓ ଟିକସ ଆଦାୟ ଓଡିଶା ସ୍ୱାର୍ଥ ଦୃଷ୍ଟିରୁ ନିତ୍ୟାନ୍ତ ଜରୁରୀ ଓ ବକେୟା ଖଣି ରାଜସ୍ୱ ନ ମିଳିଲେ ଓଡ଼ିଶାର ବ୍ୟାପକ କ୍ଷତି ହେବ । ଯାହାକୁ ନେଇ ସଂସଦରେ ଏକ ସ୍ୱତନ୍ତ୍ର ପର୍ଯ୍ୟାୟ ଆଲୋଚନା କରିବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦାବି ଉପସ୍ଥାପନ କରିଛନ୍ତି । କିନ୍ତୁ ବିଜେପି ନିଜର ଦୋଷ ତ୍ରୁଟିକୁ ଲୁଚାଇବା ପାଇଁ ତାହା କରୁନାହିଁ । ପୁଞ୍ଜିପତି ବ୍ୟବସାୟୀ ମାନଙ୍କ ହିତ ପାଇଁ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ତାଙ୍କ ପାଖରୁ ଛଡ଼ାଇ ନେଇଛନ୍ତି । କେନ୍ଦ୍ର ସରକାର ରାଜ୍ୟ ମାନଙ୍କ ସହ ଆଲୋଚନା ନକରି କିପରି ଉକ୍ତ ଆକ୍ଟକୁ ପାରିତ କରିଲେ ବୋଲି ପ୍ରଶ୍ନ କରିଛନ୍ତି । ଯାହାକି ଭାରତ ବର୍ଷର ବିଧି ବ୍ୟବସ୍ଥା ସମ୍ୱିଧାନକୁ ନଷ୍ଟ କରୁଛି । ଓଡିଆ ଅସ୍ମିତାର ଦ୍ୱାହି ଦେଇ ବିଜେପି ସରକାର କରିଥିବା ବେଳେ ଓଡ଼ିଶାର ସ୍ୱାର୍ଥକୁ ସେମାନେ ଭୁଲି ଯାଇଛନ୍ତି । କେବଳ ଦଳୀୟ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଉଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆର୍ଥିକ ପରିଚାଳନାକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବାରମ୍ବାର ପ୍ରଶଂସା କରିଛି । ନିତି ଆୟୋଗ ଆଦି ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ବାରମ୍ବାର ପ୍ରଶଂସା କରୁଥିବା ବେଳେ ରାଜ୍ୟ ସରକାର ଅସହିଷ୍ଣୁ ମନୋଭାବ ପୋଷଣ କରୁଛନ୍ତି । ରାଜ୍ୟର ସ୍ୱାର୍ଥ ହାସଲ ପାଇଁ ଆଗାମୀ ଦିନରେ ବିଜେଡି ଆନେ୍ଦାଳନ କରିବ ବୋଲି ଶ୍ରୀ ରାୟ କହିଛନ୍ତି ।

Leave A Reply

Your email address will not be published.