ସଞ୍ଜୟ ଗାନ୍ଧୀ କଲୋନୀରେ ଘର ଭାଙ୍ଗି ଚୋରି ଘଟଣାର ପର୍ଦ୍ଦାଫାସ : ଜଣେ ଗିରଫ

10

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ପୋଲିସ ସଞ୍ଜୟ ଗାନ୍ଧୀ କଲୋନୀରେ ଘଟିଥିବା ଏକ ବଡ଼ ଧରଣର ଘର ଭାଙ୍ଗି ଚୋରି ଘଟଣାର ସଫଳ ପର୍ଦ୍ଦାଫାସ କରି ଅଭିଯୁକ୍ତ ସର୍ବସୁଧି କୁମାର ସ୍ୱାମୀ (୩୦) , ସଞ୍ଜୟ ଗାନ୍ଧୀ କଲୋନୀ , ପାରଳାଖେମୁଣ୍ଡିଙ୍କୁ ଗିରଫ କରାଯାଇଛି। ଏ ସମ୍ପର୍କରେ ଆଦର୍ଶ ଥାନା ପାରଳାଖେମୁଣ୍ଡି କେସ୍ ନଂ. ୩୨୭, ତା.୦୮.୦୮.୨୦୨୬, ଦଫା ୩୩୧(୪)/୩୦୫(ଏ)/୩(୫) ବି ଏନ ଏସ ରୁଜୁ ହୋଇଥିଲା । ଅଭିଯୋଗକାରିଣୀ ଶ୍ରୀମତୀ ସରାବସୁଧି ସନ୍ତୋଷିନୀ (୪୫) ଘରେ ନଥିବା ସମୟରେ ୦୭/୦୮.୦୮.୨୦୨୬ ମଧ୍ୟରାତ୍ରିରେ ଅଜଣା ଦୁର୍ବୃତ୍ତମାନେ ତାଙ୍କ ଘର ଓ ଆଲମାରୀର ତାଲା ଭାଙ୍ଗି ସୁନା , ରୂପା ଅଳଙ୍କାର ସହିତ ନଗଦ ୫,୫୦,୦୦୦ ଟଙ୍କା ଚୋରି କରିନେଇଥିଲେ। ତଦନ୍ତ ସମୟରେ ମିଳିଥିବା ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ୨୦.୦୮.୨୦୨୬ ତାରିଖରେ କୋରାପୁଟ ଜିଲ୍ଲାର ସିମିଳିଗୁଡ଼ା ଅଞ୍ଚଳରୁ ଠାବ କରି ଗିରଫ କରିଥିଲା । ପରବର୍ତ୍ତୀ ତଦନ୍ତ ଓ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୋଲିସ ପ୍ରାୟ ୭.୫ ତୋଳା ସୁନା ଅଳଙ୍କାର , ଯାହାର ଆନୁମାନିକ ମୂଲ୍ୟ ୯,୭୫,୦୦୦ ଟଙ୍କା , ପ୍ରାୟ ୯୦ ତୋଳା ରୂପା ସାମଗ୍ରୀ , ଯାହାର ଆନୁମାନିକ ମୂଲ୍ୟ ୩,୦୦,୦୦୦ ଟଙ୍କା, ନଗଦ/ଚୋରି ସାମଗ୍ରୀ ବିକ୍ରୟରୁ ପ୍ରାପ୍ତ ୧,୮୨,୦୦୦ ଟଙ୍କା ଏବଂ ୧୯,୫୦୦ ଟଙ୍କା ମୂଲ୍ୟର ଗୋଟିଏ OPPO K14x 5G ମୋବାଇଲ୍ ଫୋନ୍ ଜବତ କରିଛି ।
ଏହିପରି ମୋଟ ପ୍ରାୟ ୧୪,୭୬,୫୦୦ ଟଙ୍କା ମୂଲ୍ୟର ଚୋରି ସମ୍ପତ୍ତି ଓ ସମ୍ପୃକ୍ତ ସାମଗ୍ରୀ ଉଦ୍ଧାର ଓ ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କୁ ଆଜି ମାନ୍ୟବର ଅଦାଲତକୁ ଚାଲାଣ କରାଯାଇଛି। ଅନ୍ୟ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବା ଏବଂ ବଳକା ଚୋରି ସମ୍ପତ୍ତି ଉଦ୍ଧାର ପାଇଁ ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷରୁ ପ୍ରେସ ବିଜ୍ଞପ୍ତି ରେ ଜଣାଯାଇଛି।

Leave A Reply

Your email address will not be published.