-ଦକ୍ଷତା ବିକାଶର ପାଞ୍ଚ ବର୍ଷ, ଭବିଷ୍ୟତ ଗଠନର ଅଭିଯାନ
-ଆଇଆଇଟି ଭୁବନେଶ୍ୱର ସହ ଏକବର୍ଷୀୟ ସହଯୋଗୀ କାର୍ଯ୍ୟକ୍ରମର ଶୁଭାରମ୍ଭ
ଭୁବନେଶ୍ୱର: ଏସଡିଆଇ ଭୁବନେଶ୍ୱରରେ ସ୍କିଲ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟର (ଏଆଇ ଆଇସି) ପଦକ୍ଷେପ ଅଧୀନରେ ଜର୍ମାନ ଭାଷା ପ୍ରଶିକ୍ଷଣର ଶୁଭାରମ୍ଭ କରିଛି |
ସ୍କିଲ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ (ଏସଡିଆଇ) ଭୁବନେଶ୍ୱର ୨୦ ଅଗଷ୍ଟ ୨୦୨୬ରେ ଏହାର ସ୍ଥାୟୀ କ୍ୟାମ୍ପସର ୫ ବର୍ଷ ପୂର୍ତ୍ତି ପାଳନ କରୁଛି; ଯାହା ଦକ୍ଷତା ବିକାଶ ଏବଂ ଭବିଷ୍ୟତ-ଉପଯୋଗୀ ପ୍ରତିଭା ସୃଷ୍ଟି କ୍ଷେତ୍ରରେ ଏକ ଜାତୀୟ ସ୍ତରର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ହେବା ଦିଗରେ ଏହାର ଯାତ୍ରାର ଏକ ପ୍ରମୁଖ ମାଇଲଖୁଣ୍ଟ ଅଟେ।
ଭାରତ ସରକାରଙ୍କ ‘ସ୍କିଲ୍ ଇଣ୍ଡିଆ ମିଶନ’ ଅଧୀନରେ ତଥା ‘ସ୍କିଲ୍ଡ ଇନ୍ ଓଡ଼ିଶା’ ଅଭିଯାନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତିଷ୍ଠିତ ଏସଡିଆଇ ଭୁବନେଶ୍ୱର, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ତତ୍ତ୍ୱାବଧାନରେ ତୈଳ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ରର ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସୟୁଏସ୍)ଗୁଡ଼ିକର ଏକ ପ୍ରମୁଖ ସିଏସଆର ପଦକ୍ଷେପ ଅଟେ, ଯେଉଁଥିରେ ଇଣ୍ଡିଆନଅଏଲ୍ ମୁଖ୍ୟ ନିବେଶକ ତଥା ପରିଚାଳନା ସଂସ୍ଥା ଭାବରେ କାର୍ଯ୍ୟ କରୁଛି।
ଭାରତର ଯୁବପିଢ଼ିଙ୍କୁ ଶିଳ୍ପୋପଯୋଗୀ ଦକ୍ଷତାରେ ସଶକ୍ତ କରିବା, ସେମାନଙ୍କର ନିଯୁକ୍ତି ଯୋଗ୍ୟତା ବୃଦ୍ଧି କରିବା ଏବଂ ଆଗାମୀ ସୁଯୋଗଗୁଡ଼ିକ ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବା ଭଳି ଏକ ସ୍ପଷ୍ଟ ଉଦ୍ଦେଶ୍ୟ ନେଇ ଏହି ଅନୁଷ୍ଠାନର ପରିକଳ୍ପନା କରାଯାଇଥିଲା।
ଏହି ସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର ପ୍ରାୟ ୪୭ ଏକର ଜମି ପ୍ରଦାନ କରିଥିଲେ। ୨୦୧୮ ମସିହାରେ ଭାରତର ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ୱାରା ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ଏବଂ ୨୦ ଅଗଷ୍ଟ ୨୦୨୧ରେ ଏହି ସ୍ଥାୟୀ କ୍ୟାମ୍ପସକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସ୍କିଲ୍ ଇଣ୍ଡିଆ ମିଶନ୍’ ଅଧୀନରେ ତଥା ଶ୍ରୀ ହରଦୀପ ସିଂହ ପୁରୀଙ୍କ ନେତୃତ୍ୱରେ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ, ତୈଳ ଓ ଗ୍ୟାସ୍ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସୟୁଏସ୍) ଏବଂ ଇଣ୍ଡିଆନ୍ ଅଏଲ୍ର ନିରନ୍ତର ସହଯୋଗ ଦ୍ୱାରା ପରବର୍ତ୍ତୀ ସମୟରେ ଏହି ପଦକ୍ଷେପଟିକୁ ଆହୁରି ସୁଦୃଢ଼ କରାଯାଇଛି।
କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଭାବରେ କାର୍ଯ୍ୟକାଳ ସମୟରେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଜାତୀୟ ସ୍ତରର ଏକ ‘ମେଗା ମଡେଲ ମଲ୍ଟି-ସ୍କିଲିଂ ଇନଷ୍ଟିଚ୍ୟୁଟ୍’ (ବହୁମୁଖୀ ଦକ୍ଷତା ବିକାଶ ପ୍ରତିଷ୍ଠାନ) ଗଢ଼ିତୋଳିବା ଲକ୍ଷ୍ୟ ନେଇ ଏହି ଅନୁଷ୍ଠାନର ପରିକଳ୍ପନା ଓ ରୂପରେଖ ପ୍ରସ୍ତୁତ କରାଯାଇଥିଲା।
ପ୍ରାୟ ₹୫୦୦ କୋଟି ଟଙ୍କାର ସାମଗ୍ରିକ ପ୍ରକଳ୍ପ ନିବେଶ ସହିତ, ଏସଡିଆଇ ଭୁବନେଶ୍ୱର ଆଜି ସୁଦୃଢ଼ ଶିଳ୍ପ ସହଭାଗିତା ସହିତ ଜାତୀୟ ମାନର ପ୍ରଶିକ୍ଷଣ ତଥା ଆବାସିକ ଭିତ୍ତିଭୂମି ବିକଶିତ କରିପାରିଛି।
ବର୍ଷକ୍ରମେ ଏସଡିଆଇ ଭୁବନେଶ୍ୱର ଏହାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ଶିଳ୍ପ ସଂସ୍ଥାଗୁଡ଼ିକ ସହ ଭାଗିଦାରିକୁ କ୍ରମାଗତ ଭାବେ ବିସ୍ତାର କରିଆସିଛି। ଏହି ପ୍ରତିଷ୍ଠାନରୁ ୧୦,୦୦୦ରୁ ଅଧିକ ଯୁବକ-ଯୁବତୀ ପ୍ରଶିକ୍ଷଣ ସମାପ୍ତ କରି ନିଜ ନିଜ କ୍ୟାରିୟରରେ ଆଗକୁ ବଢ଼ିଛନ୍ତି।
ଏହି ପ୍ରତିଷ୍ଠାନ ସ୍ନେଇଡର ଇଲେକ୍ଟ୍ରିକ୍, ସିମେନ୍ସ, କେମ୍ପି, ଲିକ୍ସିଲ୍ ଏବଂ ଏନଟିଟିଏଫ୍ ସମେତ ଅନ୍ୟାନ୍ୟ ଅଗ୍ରଣୀ ସଂଗଠନ ସହିତ ସହଭାଗିତା ସ୍ଥାପନ କରିଛି। ଏହା ମାଧ୍ୟମରେ ଶିଳ୍ପ କ୍ଷେତ୍ରର ବିଶେଷଜ୍ଞତା ଓ ପ୍ରଯୁକ୍ତିକୁ ଦକ୍ଷତା ପ୍ରଶିକ୍ଷଣ ସହିତ ଆହୁରି ନିକଟତର କରାଯାଇଛି।
ଏନଏସଡିସି ପକ୍ଷରୁ ଏସଡିଆଇ ଭୁବନେଶ୍ୱରକୁ ବିଶେଷ ଭାବେ ସ୍କିଲ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟରର କାର୍ଯ୍ୟକାରିତା ଏବଂ କ୍ୟାମ୍ପସ୍ରେ ମିଡିଆ ସେକ୍ଟର ସେଣ୍ଟର ଅଫ୍ ଏକ୍ସିଲେନ୍ସ ଓ ଏଚଭିଏସି ସେଣ୍ଟର ଅଫ୍ ଏକ୍ସିଲେନ୍ସ ପ୍ରତିଷ୍ଠା କରିବାରେ ଉଲ୍ଲେଖନୀୟ ସହଯୋଗ ପ୍ରଦାନ କରାଯାଇଛି।
ଓଡ଼ିଶା ସ୍କିଲ୍ ଡେଭଲପମେଣ୍ଟ ଅଥରିଟି ମଧ୍ୟ ପ୍ରତିଷ୍ଠାନକୁ ସୁଦୃଢ଼ କରିବା ସହ ଓଡ଼ିଶାର ବ୍ୟାପକ ଦକ୍ଷତା ବିକାଶ ପରିବେଶରେ ଏହାର ଭୂମିକାକୁ ଆହୁରି ମଜବୁତ କରିବା ଦିଗରେ ନିରନ୍ତର ମାର୍ଗଦର୍ଶନ ପ୍ରଦାନ କରିଆସୁଛି।

ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେ, “ଜିଏସଡିପି ଲକ୍ଷ୍ୟ ହାସଲ କରିବା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଓଡ଼ିଶା ଖଣି ଓ ଧାତୁ କ୍ଷେତ୍ର ବାହାରେ ମଧ୍ୟ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଉଛି। ‘Skilled in Odisha, Skilling for the World’ ଦୃଷ୍ଟିକୋଣକୁ ଆଗରେ ରଖି, ଏସଡିଆଇ ମାଧ୍ୟମରେ ଝିଅମାନେ ମଧ୍ୟ ଉନ୍ନତ ଦକ୍ଷତା ହାସଲ କରୁଛନ୍ତି। ଏଥିପାଇଁ ବୈଷୟିକ, ସଫ୍ଟ ଏବଂ ଭାଷାଗତ ଦକ୍ଷତା କ୍ଷେତ୍ରରେ ବିଶ୍ୱସ୍ତରୀୟ ବିଶେଷଜ୍ଞଙ୍କ ସହଯୋଗ ନିଆଯାଉଛି। ପ୍ରଶିକ୍ଷଣକୁ ବଜାରର ଆବଶ୍ୟକତା ଅନୁଯାୟୀ ରଖିବା ପାଇଁ ପ୍ରତିବର୍ଷ WSC ପାଠ୍ୟକ୍ରମର ୨୦ ପ୍ରତିଶତ ନବୀକରଣ କରାଯାଉଛି। ଏଥିସହ WSC ଏବଂ ITEES ସିଙ୍ଗାପୁର ମଧ୍ୟରେ ଭାଗିଦାରୀ ମଧ୍ୟ କରାଯାଇଛି। ସଠିକ୍ ଦକ୍ଷତା ଯେପରି ସଠିକ୍ ନିଯୁକ୍ତି ସୁଯୋଗ ସହ ଯୋଡ଼ି ହୋଇପାରିବ, ସେଥିପାଇଁ ସରକାର ଏହି ଦିଗରେ ଗୁରୁତ୍ୱ ଦେଉଛନ୍ତି।”
ଏହି କାର୍ଯ୍ୟକ୍ରମ ଏସଡିଆଇ ଭୁବନେଶ୍ୱରର ଅଧ୍ୟକ୍ଷା ତଥା ଆଇଓସିଏଲ୍ର କର୍ପୋରେଟ୍ କାର୍ଯ୍ୟାଳୟର ନିର୍ଦ୍ଦେଶିକା (ମାନବ ସମ୍ବଳ) ଶ୍ରୀମତୀ ରଶ୍ମି ଗୋଭିଲଙ୍କ ଉଦ୍ଘାଟନୀ ଅଭିଭାଷଣରୁ ଆରମ୍ଭ ହୋଇଥିଲା। ଏହାପରେ ସମ୍ମାନିତ ଅତିଥି ତଥା ସିଙ୍ଗାପୁରର ଗ୍ଲୋବାଲ୍ ଫାଇନାନ୍ସ ଆଣ୍ଡ ଟେକ୍ ନେଟୱର୍କ (GFTN)ର ଇଣ୍ଡିଆ ହେଡ୍ ଶ୍ରୀ ଭିନ୍ସେଣ୍ଟ ଲିଉ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ବିଶିଷ୍ଟ ଭାରତୀୟ ଅଭିନେତ୍ରୀ ଶ୍ରୀମତୀ ଅନୁ ଚୌଧୁରୀଙ୍କୁ GFTN ସିଙ୍ଗାପୁରର ବ୍ରାଣ୍ଡ ଆମ୍ବାସାଡର ଭାବେ ତାଙ୍କର ଭୂମିକା ପାଇଁ ସମ୍ମାନିତ କରାଯାଇଥିଲା। ଶେଷରେ, ଏସଡିଆଇ ଭୁବନେଶ୍ୱରର ସିଇଓ ଶ୍ରୀ ରଞ୍ଜନ ଭୌମିକଙ୍କ ଧନ୍ୟବାଦ ଅର୍ପଣ ସହିତ କାର୍ଯ୍ୟକ୍ରମର ସମାପନ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରମୁଖ ଶିକ୍ଷା ଓ ବୈଷୟିକ ଅନୁଷ୍ଠାନର ମୁଖ୍ୟ ଓ ପ୍ରତିନିଧିମାନେ ମଧ୍ୟ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରେ ୱାର୍ଲ୍ଡ ସ୍କିଲ୍ ସେଣ୍ଟର, ସିଟିଟିସି, ସିପେଟ୍, ସି.ଭି. ରମଣ ୟୁନିଭର୍ସିଟି, ସେଣ୍ଟୁରିଅନ୍ ୟୁନିଭର୍ସିଟି, SOA ୟୁନିଭର୍ସିଟି, DRIEMS ୟୁନିଭର୍ସିଟି, ଦାଧିଚି ଗ୍ରୁପ୍, ସୋଫିଟୋରିୟମ୍ ଏବଂ ସିଲିକନ୍ ୟୁନିଭର୍ସିଟିର ମୁଖ୍ୟ ଓ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଭବିଷ୍ୟତର ଦକ୍ଷତା ପାଇଁ ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହେଇଛି
ଏସଡିଆଇ ଭୁବନେଶ୍ୱର ବର୍ତ୍ତମାନ ପାରମ୍ପରିକ ଦକ୍ଷତା ବିକାଶଠାରୁ ଆଗକୁ ବଢ଼ି ଭବିଷ୍ୟତ ତଥା ଉଦୀୟମାନ ଦକ୍ଷତା କ୍ଷେତ୍ରଗୁଡ଼ିକରେ ନିଜର ପରିସର ବିସ୍ତାର କରୁଛି।
ଏହାର ସାଇବର ସିକ୍ୟୁରିଟି ଗୁରୁକୁଳ, ‘ଆଇ ଆସ୍ପାୟାର ମାଇଣ୍ଡ ଫାଉଣ୍ଡେସନ୍’ ସହଯୋଗରେ ୧,୦୦୦ରୁ ଅଧିକ ସ୍ନାତକ ଇଞ୍ଜିନିୟରଙ୍କୁ ତାଲିମ ପ୍ରଦାନ କରିଛି, ଯେଉଁମାନେ ପରବର୍ତ୍ତୀ ସମୟରେ ସାରା ଦେଶର ପ୍ରମୁଖ ଆଇଟି କମ୍ପାନୀଗୁଡ଼ିକରେ ଯୋଗ ଦେଇଛନ୍ତି।
ଓଡ଼ିଶା ସରକାରଙ୍କ ଭାରତନେତ୍ର ପଦକ୍ଷେପ ଅଧୀନରେ ଫିନ୍ଟେକ୍ ପ୍ରଶିକ୍ଷଣ ପାଇଁ ଜିଏଫଟିଏନ ସିଙ୍ଗାପୁର ସହିତ ପ୍ରତିଷ୍ଠାନର ସହଭାଗିତା ଏହାର ପ୍ରଶିକ୍ଷଣ ପରିବେଶକୁ ଆହୁରି ବିଶ୍ୱସ୍ତରୀୟ ଆୟାମ ପ୍ରଦାନ କରିଛି। ଏହି କାର୍ଯ୍ୟକ୍ରମରୁ ୫୦୦ରୁ ଅଧିକ ପ୍ରଶିକ୍ଷାର୍ଥୀ ପ୍ରଶିକ୍ଷଣ ସମାପ୍ତ କରିଛନ୍ତି।
ଭାରତର ବିଭିନ୍ନ ରାଜ୍ୟର ଦକ୍ଷତା ବିକାଶ କର୍ତ୍ତୃପକ୍ଷମାନେ ମଧ୍ୟ ଏସଡିଆଇ ଭୁବନେଶ୍ୱର ସହିତ ଯୋଡ଼ି ହେଉଛନ୍ତି ଯାହା ଫଳରେ ଜାତୀୟ ସ୍ତରରେ ଏହାର ପ୍ରସାର ଧୀରେ ଧୀରେ ଆହୁରି ସୁଦୃଢ଼ ହେଉଛି।