ଝାରସୁଗୁଡ଼ା: ଲଗାଣ ବର୍ଷା ଯୋଗୁଁ ଝାରସୁଗୁଡ଼ା ପୌରପାଳିକା ଅନ୍ତର୍ଗତ ପୁରୁଣାବସ୍ତି ଅଞ୍ଚଳରେ ୬ଟି ପରିବାରର ଘର କ୍ଷତିଗ୍ରସ୍ତ ହୋଇ ଭାଙ୍ଗିପଡ଼ିଛି। ଖବର ପାଇ ବୁଧବାର ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ।
ବିଧାୟକ ଶ୍ରୀ ତ୍ରିପାଠୀ ୱାର୍ଡ ନଂ-୧୫ର ଲୋକେଶ ସାହୁ ଓ ଭାରତ ସାହୁଙ୍କ ସମେତ ୱାର୍ଡ ନଂ-୧୬ର ଇୟା ମିସ୍ତ୍ରୀ, ଯୁଗଳ ମହାପାତ୍ର, ପ୍ରକାଶ ମହାପାତ୍ର ଓ ପ୍ରଦୀପ ମହାପାତ୍ରଙ୍କ ପରିବାର ସହ ଆଲୋଚନା କରିଥିଲେ। ବର୍ଷା ଯୋଗୁଁ ସେମାନଙ୍କ ଘର ଓ ଜୀବନଜୀବିକା ଉପରେ ପଡ଼ିଥିବା ପ୍ରଭାବ ସହ ତୁରନ୍ତ ଆବଶ୍ୟକ ଥିବା ସହାୟତା ସମ୍ପର୍କରେ ପଚାରି ବୁଝିଥିଲେ।
ଏହାପରେ ପୌରପରିଷଦ ଅଧିକାରୀଙ୍କ ସହ କ୍ଷୟକ୍ଷତିର ସମୀକ୍ଷା କରିଥିଲେ। ପ୍ରଭାବିତ ପରିବାରଗୁଡ଼ିକ ଯେପରି ଅସୁବିଧାରେ ନ ପଡ଼ନ୍ତି ଏବଂ ତୁରନ୍ତ ସରକାରୀ ସହାୟତା ପାଇପାରନ୍ତି, ସେଥିପାଇଁ ଜିଲ୍ଲା ପ୍ରଶାସନର ସମ୍ପୃକ୍ତ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ। ପ୍ରଭାବିତ ପରିବାରଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ଆଶ୍ୱାସନା ଦେଇଥିଲେ।
ସ୍ଥିତି ସମୀକ୍ଷା ସମୟରେ ଝାରସୁଗୁଡ଼ା ପୌରପରିଷଦର ଇଓ ନିଶିକାନ୍ତ ଟେଟେଙ୍କ ସମେତ ବିମଳେନ୍ଦୁ ଭୋଳ, ରାଜେନ୍ଦ୍ର ସା, ସୋନୁ ଥିରାଣୀ, ବିବେକ ଶ୍ରୀବାସ, ନେତ୍ର ମହାପାତ୍ର, ରୁବି ମହାନ୍ତି ଓ ପୌରପରିଷଦର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।