ଗୋମାତାଙ୍କ ସୁରକ୍ଷା ନିମନ୍ତେ ଅଭିନବ ଯୋଜନା

8

କେନ୍ଦୁଝର,ତା୧୯/୮- କେନ୍ଦୁଝର ଜିଲ୍ଲା ପ୍ରାଣୀ ବିଭାଗ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ ମିନି କଫେରେସନ ଗୃହ ଠାରେ ଗୋମାତାଙ୍କ ସୁରକ୍ଷା ତଥା ମଣିଷ ମାନଙ୍କ ଦୁର୍ଘଟଣାକୁ ପ୍ରଶମିତ କରିବା ପାଇଁ ଏକ ଜିଲ୍ଲା ସ୍ତରୀୟ ସଂଯୋଜନା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲପାଳ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ ସଭାପତିତ୍ବ କରିଥିଲା ବେଳେ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରସନ୍ନ କୁମାର ମୁଣ୍ଡା ସଂଯୋଜନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜାତୀୟ ରାଜପଥ ପ୍ରୋଜେକ୍ଟ ଡାଇରେକ୍ଟର ଏ. କାର୍ତ୍ତିକ ରେଡ୍ଡୀ, ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ , ପ୍ରାଣୀ ବିଭାଗର ଉପନିର୍ଦ୍ଦେଶକ ଡାକ୍ତର ରାଧାକାନ୍ତ ପୁହାଣ, ବଡ଼ବିଲ ଥାନା ଅଧିକାରୀ ରବୀନ୍ଦ୍ର ନାରାୟଣ ଦାସ, ସଦର ଇନିସ୍ପେକ୍ଟର ଅଶୋକ କୁମାର ହାଁସଦା, ଆନନ୍ଦପୁର ମୁନିସିପାଲିଟି ଇଞ୍ଜିନିଅର ସଂଗ୍ରାମ କେଶରୀ ବେହେରା,ସଦର ମୁନିସିପାଲିଟି ଇଞ୍ଜିନିଅର ପୂର୍ଣଚନ୍ଦ୍ର ମହାନ୍ତ, କେନ୍ଦୁଝର ଡେଭଲ୍ପମେଣ୍ଟ ଟ୍ରଷ୍ଟ ସମ୍ପାଦକ ଶ୍ରୀ ଭକ୍ତବତ୍ସଳ ମହାନ୍ତି, ଇଣ୍ଡିଆନ ଡେଭଲ୍ପମେଣ୍ଟ ପ୍ରୋଜେକ୍ଟ ସଦସ୍ୟ ସମ୍ପାଦକ ଗୋକୁଳାନନ୍ଦ ଓଝା, ପ୍ରଗତି ଫାଉଣ୍ଡେସନ ଟ୍ରଷ୍ଟ, ସ୍ୱସ୍ତି ଫାଉଣ୍ଡେସନ, ଦଳିତ ଫାଉଣ୍ଡେସନ, ଘୁଙ୍ଗୁରୁ କ୍ଲବର ପ୍ରତିନିଧି ମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ l ଜାତୀୟ ରାଜପଥ କଡରେ ଚି଼ହ୍ନଟ ସ୍ଥାନ, କେନ୍ଦୁଝର, ଆନନ୍ଦପୁର, ଚମ୍ପୁଆ, ଯୋଡ଼ା ଓ ବଡ଼ବିଲର ପୌରାଞ୍ଚଳ ପରିସର ଚି଼ହ୍ନଟ ସ୍ଥାନ ମାନଙ୍କରେ ବୁଲା ଗୋରୁଗାଈ ଷଣ୍ଡ ମାନଙ୍କ ବେକରେ ରେଡିୟମ ବେଲ୍ଟ ପିନ୍ଧାଇ ସୁରକ୍ଷା ଦେବାକୁ ସ୍ଥିର ହୋଇଛି l ଏଥି ସହିତ ରାସ୍ତାରେ ଗୋରୁଗାଈ ମାନଙ୍କ ଦ୍ୱାରା ଘଟୁଥିବା ଦୁର୍ଘଟଣାକୁ ନିୟନ୍ତ୍ରଣ କରାଯିବାକୁ ନିଷ୍ପତ୍ତି ମଧ୍ୟ ନିଆଯାଇଛି l ପ୍ରାଣୀ ବିଭାଗ, ପୌରାଞ୍ଚଳ ପ୍ରତିନିଧି, ସ୍ଥାନୀୟ ପୋଲିସ, ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରତିନିଧି ମାନଙ୍କୁ ନେଇ ଭିନ୍ନ ଭିନ୍ନ ସ୍ଥାନରେ ରେଡିୟମ ବେଲ୍ଟ ପିନ୍ଧାଇବାପାଇଁ କମିଟି ମାନ ଗଠନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ପୌରାଞ୍ଚଳରେ ମାଇକ ମାଧ୍ୟମରେ ପ୍ରଚାର ପ୍ରସାର ପାଇଁ ନିଷ୍ପତ୍ତି ସହ ଦୁର୍ଘଟଣାଗ୍ରସ୍ତ ଗୋରୁଗାଈ ଓ ଅନ୍ୟାନ୍ୟ ପ୍ରାଣୀ ମାନଙ୍କୁ ଚିକିତ୍ସା ଦେବାପାଇଁ ଗୋଶାଳା, ଆଶ୍ରୟସ୍ଥଳ ନିର୍ମାଣ ପାଇଁ ସାମୁହିକ ନିଷ୍ପତ୍ତି ଗ୍ରହଣ କରାଯାଇଛି। କାର୍ଯ୍ୟକ୍ରମ ଅଗ୍ରଗତିର ସମୀକ୍ଷା ପାଇଁ ପ୍ରତି ମାସ ଏକ ସମୀକ୍ଷା ବୈଠକ ଆୟୋଜିତ କରିବାକୁ ସ୍ଥିର କରାହୋଇଛି । ସଭା ଶେଷରେ ପ୍ରାଣୀ ବିଭାଗ ଡାକ୍ତର ସୂର୍ଯ୍ୟଭାନୁ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Leave A Reply

Your email address will not be published.